ଭୁବନେଶ୍ବର: କ୍ବାର୍ଟର୍ସ ମଞ୍ଜୁର ହୋଇ ନଥିଲା। ତଥାପି ମାଡ଼ିବସି ସେଇ ଘରେ ରହିଥିଲେ। କିଏ ପରିବାର ସହ ତ ଆଉ କିଏ ସାଙ୍ଗସାଥୀଙ୍କ ସହ ରହୁଥିଲେ। ଘର ଭିତରେ ଏସି ଲାଗିଥିଲା। ବିଜୁଳି ଓ ପାଣି ସଂଯୋଗ ବି ହୋଇଥିଲା। ଗୋଟିଏ ଗୋଟିଏ ଘରେ ୪ରୁ ଅଧିକ ଫ୍ୟାନ୍ ଚାଲୁଥିଲେ ମଧ୍ୟ ମାସ ଶେଷରେ ଟଙ୍କାଟିଏ ବିଲ୍ ଦେବାକୁ ପଡ଼ୁ ନଥିଲା। ବରଂ ପ୍ରତି ମାସରେ ବ୍ୟବହୃତ ହେଉଥିବା ବିଜୁଳି ବିଲ୍ ବାବଦ ଅର୍ଥ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଭରଣା କରୁଥିଲେ। ଘରେ ରୋଷେଇ ଗ୍ୟାସ ରଖିଥିଲେ ମଧ୍ୟ ଜବରଦଖଲକାରୀ ହିଟର୍ ବ୍ୟବହାର କରୁଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ିବସିଥିବା ବ୍ୟକ୍ତିବିଶେଷ ଏମିତି ଜୀବନଯାପନ କରୁଥିବା ଆଜି ନଜରକୁ ଆସିଛି। ହଷ୍ଟେଲରୁ ଅଣଛାତ୍ରଙ୍କୁ କାଢ଼ିବା ପରେ ପୁଲିସ ସହାୟତାରେ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ନେତୃତ୍ବରେ ଆଜିଠାରୁ ‘ଅପରେସନ୍ ଅଲ୍ଆଉଟ୍’ ଆରମ୍ଭ ହୋଇଛି। ବେଆଇନ ଭାବେ ରହୁଥିବା ଏବଂ ଚିହ୍ନଟ ହୋଇଥିବା ୪୯ଟି କ୍ବାର୍ଟର୍ସ ମଧ୍ୟରୁ ପ୍ରଥମ ଦିନରେ ୪୦ଟି କ୍ବାର୍ଟର୍ସକୁ ଖାଲି କରାଯାଇଛି। ବାକି ୯ଜଣ ସମୟ ମାଗିଥିବାରୁ ସେମାନଙ୍କୁ ହଟାଯାଇ ନାହିଁ। ଦିନେ ଦୁଇ ଦିନ ମଧ୍ୟରେ ସେମାନଙ୍କୁ ମଧ୍ୟ ହଟାଇ ଦିଆଯିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।
‘ଅପରେସନ ଅଣଛାତ୍ର’ ପରେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଥିବା ବ୍ୟକ୍ତିବିଶେଷଙ୍କୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ କାଢ଼ିବାକୁ ଦାବି ହେଉଥିଲା। ଯେଉଁଥିପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗତ ୮ ତାରିଖରେ ସମସ୍ତ ବେଆଇନ କ୍ବାର୍ଟର୍ସରେ ନୋଟିସ୍ ଲଗାଇଥିଲେ। ଯେଉଁଥିରେ ଦର୍ଶାଯାଇଥିଲା ଯେ ବେଆଇନ ଭାବେ ଅକ୍ତିଆର ହୋଇଥିବା କ୍ବାର୍ଟର୍ସଗୁଡ଼ିକୁ ସେପ୍ଟେମ୍ବର ୯ ସୁଦ୍ଧା ଖାଲି ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ନୋଟିସ୍ ପରେ ଅଧିକାଂଶ ଜବରଦଖଲକାରୀ ଘେର ତାଲା ପକାଇ ପଳାଇ ଯାଇଥିଲେ। ଯେଉଁମାନେ ଘର ଛାଡ଼ି ନଥିଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବେଆଇନ ଭାବେ ରହୁଥିବା ଲୋକଙ୍କ ସାମଗ୍ରୀଗୁଡ଼ିକୁ ଘର ବାହାରକୁ ଫୋପାଡ଼ି ଦିଆଯାଇଥିଲା। ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ୪ ପ୍ଲାଟୁନ୍ ଫୋର୍ସ ଉଚ୍ଛେଦ ବେଳେ ମୁତୟନ ହୋଇଥିଲେ। କୁଳପତି ପ୍ରଫେସର ଦଣ୍ଡପାଟ, କୁଳସଚିବ ସ୍ବାତୀ ମିଶ୍ର, ପିଜି କାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ମିତାଲୀ ଚିନ୍ନାରା, ୱାଡେନ୍ ପ୍ରଫେସର କବୀରମୋହନ ସେଠୀ ପ୍ରମୁଖଙ୍କ ନେତୃତ୍ବରେ ଏହି ଜବରଦଖଲ ଉଚ୍ଛେଦ ହୋଇଥିଲା।
ବେଆଇନ କ୍ବାର୍ଟର୍ସଗୁଡ଼ିକର ତାଲା ଭଙ୍ଗାଯାଇ ଯାଞ୍ଚ ପରେ ପୁଣିଥରେ ସେଥିରେ ନୂଆ ତାଲା ପକାଯାଇଛି। ତିନିଦିନ ହେଲା କ୍ୟାମ୍ପସ୍ରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଥିବାରୁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ଆଉ ୪ ଦିନ ପର୍ଯ୍ୟନ୍ତ ପୁଲିସ ଫୋର୍ସ କ୍ୟାମ୍ପସ୍ରେ ରହିବେ। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଅଧିକ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। କୁଳପତି ପ୍ରଫେସର ଦଣ୍ଡପାଟ କହିଛନ୍ତି ଯେ କ୍ୟାମ୍ପସ୍ରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି। ବହୁଦିନରୁ ଅଣଛାତ୍ରଙ୍କ ଅକ୍ତିଆରରେ ବାଣୀବିହାର ରହିଥିଲା। ଗୁଣାତ୍ମକ ମାନ ଓ ରୢାଙ୍କିଙ୍ଗ୍ ନେଇ ଆମେ ସବୁବେଳେ ଚିନ୍ତିତ ରହୁଛୁ। ଅଣଛାତ୍ର ବାହାରିବା ପରେ ୩ ନମ୍ବର ହଷ୍ଟେଲ ମରାମତି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ଦୁଇମାସ ମଧ୍ୟରେ ରୁମ୍ଗୁଡ଼ିକର ମରାମତି ପରେ ପୁଣିଥରେ ଆଲର୍ଟ କରାଯିବ। କେତେକ କ୍ବାର୍ଟର୍ସ ମରାମତି କରାଯିବ। ଯେଉଁଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି ସେଗୁଡ଼ିକୁ ଭାଙ୍ଗିବା ଦିଗରେ ପଦକ୍ଷେପ ନିଆଯିବ।
ଆହୁରି ୩୦ରୁ ଅଧିକ ପରିବାର ରହୁଛନ୍ତି
୪୯ଟି କ୍ବାର୍ଟର୍ସ ଉଚ୍ଛେଦ ପରେ ବିବାଦ ମୁଣ୍ଡ ଟେକିଛି। କ୍ୟାମ୍ପସ୍ରେ ଏମିତି ଆହୁରି ପ୍ରାୟ ୩୦ ପରିବାର ରହୁଛନ୍ତି, ଯେଉଁମାନଙ୍କର ବିଶ୍ବବିଦ୍ୟାଳୟ ସହ କୌଣସି ନେଣଦେଣ ନାହିଁ। ଆଜି ଯେଉଁମାନଙ୍କୁ ଉଚ୍ଛେଦ କରାଯାଇଛି ସେମାନଙ୍କ ମଧ୍ୟରେ କେତେଜଣ କ୍ୟାମ୍ପସରେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି। କିଏ ୮ ହଜାର ଟଙ୍କାରେ ହଷ୍ଟେଲ୍ରେ ରୋଷେଇ କରୁଛି ତ ଆଉ କିଏ ଦୈନିକ ପାରିଶ୍ରମିକରେ ଠିକାଦାରଙ୍କ ନିକଟରେ ଅଛନ୍ତି। ମାତ୍ର ଚୁକ୍ତିଭିତ୍ତିକ ଭାବେ ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା କେତେଜଣ କ୍ୟାମ୍ପସ ଭିତରେ ଘର କରି ରହୁଥିବା ଅଭିଯୋଗ ଆସିଛି। ସେମାନଙ୍କ ମୁଣ୍ଡ ଉପରେ ବଡ଼ବଡ଼ିଆ ଅଧିକାରୀଙ୍କ ହାତ ଥିବାରୁ ଚିହ୍ନଟ ପ୍ରକ୍ରିୟାରୁ ବାଦ୍ ପଡ଼ିଛନ୍ତି ବୋଲି ଅଭିଯୋଗ ଉଠିଛି।
ଭୋ ଭୋ ହୋଇ କାନ୍ଦିଲେ
ଜବରଦଖଲ ଉଚ୍ଛେଦ ସମୟରେ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜି ହଠାତ୍ ଏଭଳି ଉଚ୍ଛେଦ ହେବ ବୋଲି କ୍ବାର୍ଟର୍ସରେ ରହୁଥିବା ଜଣେ ମହିଳା ଜାଣି ନଥିଲେ। ସକାଳୁ ପିଲାମାନଙ୍କ ପାଇଁ ଭାତ ରାନ୍ଧିବା ସହ ଭଜା ଭାଜି ରଖିଥିଲେ। ମାତ୍ର ଖାଇପାରି ନଥିଲେ। ଉଚ୍ଛେଦକାରୀ ଦଳ ତାଙ୍କ ଘରେ ପଶି ସାମଗ୍ରୀଗୁଡ଼ିକୁ ଫୋପାଡ଼ି ଦେଇଥିଲେ। ଏହା ଦେଖି ମହିଳା ଜଣକ ଭୋ ଭୋ ହୋଇ କାନ୍ଦିଥିଲେ। ଗରିବଙ୍କ ପେଟରେ ଲାତ ମାରିଲେ ଭଗବାନ ସହିବେ ନାହିଁ ବୋଲି ମହିଳା ଜଣକ କହିଥିଲେ।
ଆଗପଟେ ତାଲା, ପଛପଟ ଖୋଲା
କ୍ବାର୍ଟର୍ସର ପ୍ରବେଶ ପଥରେ ତାଲା ପଡ଼ିଛି। ଘର ସାମ୍ନାରେ ଗଛ ଲତା ମାଡ଼ିଯାଇଛି। ବାହାରୁ ଦେଖିଲେ ଘର ଭିତରେ କେହି ରହୁଥିବା ଭଳି ମନେ ହେଉ ନାହିଁ। ମାତ୍ର ଘର ଭିତର ପୂରା ଚକାଚକ୍। କେହି ବି ଭାବିପାରିବେନି ଯେ ଏମିତି ଏକ ଘର ଭିତରେ ଲୋକ ରହୁଛନ୍ତି। ଆଜି ଉଚ୍ଛେଦ ସମୟରେ ଏମିତି କିଛି କ୍ବାର୍ଟର୍ସ ଦେଖିବାକୁ ମିଳିଥିଲା ଯେଉଁଠି ଘର ଆଗପଟେ ତାଲା ଝୁଲୁଥିବା ବେଳେ ପଛପଟ ମେଲା ଥିଲା। ପଛପାର୍ଶ୍ବରେ ଏକ ବାଟ କରି ଲୋକେ ଯିବା ଆସିବା କରୁଥିଲେ। ଘର ଭିତର ବହୁତ ଚିକ୍କଣ ହୋଇଥିବା ଦେଖିବାକୁ ମିଳିଥିଲା।