ଅପରେସନ୍ ‘ଡିକୟ’କୁ ଭୁଲିଗଲେ, ଗର୍ଭସ୍ଥ ଲିଙ୍ଗ ଚିହ୍ନଟ ପାଇଁ ତରିକା ବଦଳାଇଛନ୍ତି ଡାଏଗ୍ନୋଷ୍ଟିକ୍ ସେଣ୍ଟର

୨ବର୍ଷରେ ଖୋର୍ଧା ଜିଲ୍ଲାରେ ସିଲ୍ ହୋଇଛି ମାତ୍ର ୯ ଅଲଟ୍ରାସାଉଣ୍ଡ ମେସିନ୍‌, ପାଣିରେ ପଡ଼ିଲା ମହିଳା ସ୍ବେଚ୍ଛାସେବୀଙ୍କୁ ‘ଡିକୟ’ ପାଇଁ ତାଲିମ୍

ଭୁବନେଶ୍ବର : ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରୁଥିବା ହସ୍ପିଟାଲ କିମ୍ବା ଡାଏଗ୍ନୋଷ୍ଟିକ ସେଣ୍ଟରକୁ ଧରିବା ଲାଗି ଅପରେସନ୍ ‘ଡିକୟ’ ଯୋଜନା ହୋଇଥିଲା। ଏହା ନିଷ୍ପତ୍ତି ହେବାର ୫ବର୍ଷ ବିତିଲାଣି, ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ଅପରେସନ୍ ‘ଡିକୟ’ ସଫଳ ହେବା ତ ଦୂରର କଥା, କାର୍ଯ୍ୟକାରୀ ମଧ୍ୟ ହୋଇ ପାରିଲାନି। ‘ଡିକୟ’ କାର୍ଯ୍ୟକାରୀ କରିବା ପାଇଁ ଜଣେ ଗର୍ଭବତୀ ସ୍ବେଚ୍ଛାସେବୀଙ୍କୁ ଯୋଗାଡ଼ କରିବାରେ ବି ସ୍ବାସ୍ଥ୍ୟ ବିଭାଗ ସଫଳ ହେଲା ନାହିଁ।

ଅପରପକ୍ଷେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ପାଇଁ ଡାଏଗ୍ନୋଷ୍ଟିକ ସେଣ୍ଟର ଏବେ ଭିନ୍ନ ତରିକା ଆପଣାଇଛନ୍ତି। ସିଧାସଳଖ ନିଜ ସେଣ୍ଟରରେ କୌଣସି ପରୀକ୍ଷା ନ କରି ଗର୍ଭବତୀଙ୍କୁ ଅନ୍ୟତ୍ର ଲୁଚାଛପା ସ୍ଥାନରେ ଲିଙ୍ଗ ନିରୂପଣ କରୁଥିବା ନଜରକୁ ଆସିଛି। ଏପରିକି ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏ ସଂପର୍କରେ ଅବଗତ ଅଛନ୍ତି। ମାତ୍ର ‘ଡିକୟ’ (ଗର୍ଭବତୀ ସ୍ବେଚ୍ଛାସେବୀ) ଅଭାବରୁ ଘଟଣାସ୍ଥଳରେ ଏସବୁ ସେଣ୍ଟରକୁ ଧରିବା ସହଜ ହେଉନାହିଁ। କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନରେ ଖୋର୍ଧା ଜିଲ୍ଲାରେ ୪୫ଟି ହସ୍ପିଟାଲ/ଡାଏଗ୍ନୋଷ୍ଟିକ ସେଣ୍ଟର ପଞ୍ଜୀକୃତ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ୨୦୮ଟି ହସ୍ପିଟାଲ/ଡାଏଗ୍ନୋଷ୍ଟିକ ସେଣ୍ଟର ରହିଛି। ଏହାସହ ଅନେକ ପଞ୍ଜୀକୃତ ହୋଇ ନ ଥିବା ଡାଏଗ୍ନୋଷ୍ଟିକ ସେଣ୍ଟର ମଧ୍ୟ ରହିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୨ବର୍ଷ ଭିତରେ ଖୋର୍ଧା ଜିଲ୍ଲାରେ ମାତ୍ର ୯ଟି ହସ୍ପିଟାଲ/ଡାଏଗ୍ନୋଷ୍ଟିକ ସେଣ୍ଟରରେ ଚଢ଼ଉ କରାଯାଇ ଅଲଟ୍ରାସାଉଣ୍ଡ ମେସିନ୍‌କୁ ସିଲ୍ କରାଯାଇଛି। ୨୦୧୮ ମସିହାରେ ୫ଟି ଓ ଚଳିତବର୍ଷ ଏ ପର୍ଯ୍ୟନ୍ତ ୪ଟି ସେଣ୍ଟରରେ ଚଢ଼ଉ ହୋଇଛି। ହେଲେ ଏହି ଚଢ଼ଉରେ ଅପରେସନ୍‌ ‘ଡିକୟ’ର କୌଣସି ଭୂମିକା ନାହିଁ। ଯାହା ବି ଚଢ଼ଉ ହେଉଛି ସେସବୁ ଜିଲ୍ଲା ପ୍ରଶାସନ ନିର୍ଦେଶରେ। ଏହାସହ ଗତବର୍ଷ ୮ଟି ହସ୍ପିଟାଲର ପଞ୍ଜୀକରଣ/ନବୀକରଣ ଓ ଚଳିତବର୍ଷ ଏ ପର୍ଯ୍ୟନ୍ତ ୪ଟି ହସ୍ପିଟାଲର ପଞ୍ଜୀକରଣ/ନବୀକରଣ ସମୟରେ ସାଧାରଣ ଭାବେ ଯାଞ୍ଚ ହୋଇଛି।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୪ରେ ୭ବର୍ଷରୁ କମ୍‌ ବୟସର ୧ହଜାର ନାବାଳକଙ୍କ ଅନୁପାତରେ ୯୩୪ଜଣ ନାବାଳିକା ରହିଛନ୍ତି। ଏଭଳି ପରିସ୍ଥିତିରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରୁଥିବା ଡାଏଗ୍ନୋଷ୍ଟିକ/ହସ୍ପିଟାଲଗୁଡ଼ିକୁ ଧରିବା ସ୍ବାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଅପରେସନ୍‌ ‘ଡିକୟ’କୁ ସଫଳ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୧୫ଜଣ ଗର୍ଭବତୀ ମହିଳା ସ୍ବେଚ୍ଛାସେବୀଙ୍କୁ ଚିହ୍ନଟ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ୨ଦିନିଆ ତାଲିମ୍ ମଧ୍ୟ ପ୍ରଦାନ କରାଯାଇଥିଲା। ଅପରେସନ୍‌ ଆରମ୍ଭ ହେଲେ ଏହି ମହିଳା ସ୍ବେଚ୍ଛାସେବୀମାନଙ୍କୁ ଏଥିରେ ସାମିଲ କରାଯିବ। ଫଳରେ ଅପରେସନ୍‌ ‘ଡିକୟ’ ସଫଳ ହୋଇପାରିବ। ମାତ୍ର ଗୋଟିଏ ହେଲେ ଅପରେସନ୍‌ ହୋଇ ନ ଥିବାରୁ ତାଲିମ୍ ନେଇଥିବା ମହିଳା ସ୍ବେଚ୍ଛାସେବୀମାନଙ୍କୁ ବିଭାଗ ମଧ୍ୟ ନିୟୋଜିତ କରିପାରିନାହିଁ।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଅପରେସନ୍ ‘ଡିକୟ’କୁ ସଫଳ କରିବା ପାଇଁ ଗର୍ଭବତୀ ମହିଳା ସ୍ବେଚ୍ଛାସେବୀଙ୍କ ଅଭାବ ରହିଛି। ଏଭଳି ସ୍ବେଚ୍ଛାସେବୀଙ୍କୁ ଚିହ୍ନଟ କରି ଅପରେସନ୍‌ରେ ନିୟୋଜିତ କରିବା ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଯଦିବା କୌଣସି ହସ୍ପିଟାଲ/ଡାଏଗ୍ନୋଷ୍ଟିକ ସେଣ୍ଟରକୁ ଏଭଳି ଅପରେସନ୍‌ ଦ୍ବାରା ଧରା ହେଲା, ତେବେ କୋର୍ଟରେ ଏହାକୁ ସାବ୍ୟସ୍ତ କରିବା କଷ୍ଟକର। କାରଣ ସ୍ବେଚ୍ଛାସେବୀ ଗର୍ଭବତୀ ଓ ତାଙ୍କ ପରିବାର ଅପରେସନ୍‌ ପରବର୍ତୀ ସମୟରେ କୋର୍ଟ କଚେରିକୁ ଦୌଡ଼ିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କିଛି ମାସ ପୂର୍ବରୁ ରାଜଧାନୀରେ ଏକ ଡାଏଗ୍ନୋଷ୍ଟିକ୍ ସେଣ୍ଟରରେ ଲିଙ୍ଗ ନିରୂପଣ କରାଯାଉଥିବା ଖବର ଆସିବା ପରେ ଅପରେସନ୍ ‘ଡିକୟ’ ପାଇଁ ଯୋଜନା ହୋଇଥିଲା। ତେବେ ଡାଏଗ୍ନୋଷ୍ଟିକ୍ ସେଣ୍ଟରରେ ପହଞ୍ଚିବା ପରେ ସଂପୃକ୍ତ ସେଣ୍ଟରର କର୍ମଚାରୀ ଅନ୍ୟ ଏକ ସ୍ଥାନରେ ଏହା କରାଯାଉଥିବା କହିଥିଲେ। ଏଥିପାଇଁ ସଂପୃକ୍ତ ଗର୍ଭବତୀ ସ୍ବେଚ୍ଛା‌ସେବୀଙ୍କୁଏକୁଟିଆ ଯିବା ପାଇଁ କୁହାଯାଇଥିଲା। ମାତ୍ର ଏଭଳି ଅପରେସନ୍‌ରେ ଯିବା ପାଇଁ ଗର୍ଭବତୀଜଣକ ରାଜି ହୋଇ ନ ଥିଲେ।

ଅପରପକ୍ଷେ ନିୟମିତ ଅପରେସନ୍‌ ହେଉ ନ ଥିବାରୁ ପୂର୍ବରୁ ଯେଉଁ ମହିଳା ସ୍ବେଚ୍ଛାସେବୀମାନଙ୍କୁ ଏଥିପାଇଁ ତାଲିମ୍ ଦିଆଯାଇଥିଲା, ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ସମ୍ଭବ ହେଉନାହିଁ। ରାଜସ୍ଥାନ, ପଞ୍ଜାବ ଓ ଦିଲ୍ଲୀରେ ସ୍ବେଚ୍ଛାସେବୀମାନେ ଆଗେଇ ଆସୁଥିବାରୁ ସେସବୁ ରାଜ୍ୟରେ ଏଭଳି ଷ୍ଟିଙ୍ଗ୍ ଅପରେସନ୍‌ ସଫଳ ହୋଇପାରୁଛି। ଏବେ କେବଳ ଜିଲ୍ଲା ପ୍ରଶାସନ ନିର୍ଦେଶରେ ଚଢ଼ଉ କରାଯାଉଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର