ବି.ଆର‌୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ଥୋରାସିସ୍‌ ଏନ୍ୟୁରିଜମ୍‌ ବାହାର କରି ସିନ୍ଥେଟିକ୍‌ ଗ୍ରାଫ୍‌ଟନ୍‌ର ପ୍ରତିରୋପଣ

ଚନ୍ଦ୍ରଶେଖରପୁର: ବି.ଆର‌୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲ ଡାକ୍ତରମାନଙ୍କ ଦ୍ବାରା ପୁଣି ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ୬୨ ବର୍ଷୀୟ ତ୍ରିଲୋଚନ ଜେନାଙ୍କ ଶରୀରରୁ ‌ଥୋରାସିସ୍‌ ଏନ୍ୟୁରିଜମ୍‌ ବାହାର କରାଯାଇ ଏକ ସିନ୍ଥେଟିକ୍‌ ଗ୍ରୁଫ୍‌ଟନ୍‌ର ସଫଳ ପ୍ରତିରୋପଣ କରାଯାଇଛି। ଏଭଳି ବିରଳ ଚିକିତ୍ସା ଦ୍ବାରା ତ୍ରିଲୋଚନ ନୂଆ ଜୀବନ ପାଇବା ସହ ଡାକ୍ତରମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ତ୍ରିଲୋଚନ ଗତ ଦୁଇ ମାସ ହେବ ପୁରୁଣା ପିଠି ଯନ୍ତ୍ରଣାରେ ପୀଡିତ ଥିଲେ। ତାଙ୍କୁ ଏହି ହସ୍ପିଟାଲକୁ ଅଣାଯାଇ ପରୀକ୍ଷା ନିରୀକ୍ଷା ସହ ସିଟି ସ୍କାନ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ତାଙ୍କର ସେଣ୍ଟ୍ରାଲ ଆଓର୍ଟା(ହୃଦୟରୁ ଶରୀରର ଅନ୍ୟ ଭାଗକୁ ରକ୍ତ ପଠାଉଥିବା ଧମନୀ)ର ଆକାର ସାଧାରଣ(୨.୫ ସେମି) ତୁଳନାରେ ୭ ସେମିକୁ ବୃଦ୍ଧି ପାଇଛି। ଆବଶ୍ୟକ ପରୀକ୍ଷଣ ପରେ ତାଙ୍କୁ ହସ୍ପିଟାଲର ସିଟିଭିଏସ୍‌ ନିର୍ଦ୍ଦେଶକ କରୁଣାକର ପାଢୀଙ୍କ ନିକଟକୁ ପଠାଯାଇଥିଲା। ସେଠାରେ ଶ୍ରୀ ପାଢ଼ୀ ଏନ୍ୟୁରିଜମ୍‌କୁ ଅଧିକ ବଢିବାରୁ ସୁରକ୍ଷା ଦେବା ଓ ଫାଟିବାରୁ ରୋକିବା ପାଇଁ ଥୋରାସିସ୍‌ ଏନ୍ୟୁରିଜମ୍‌କୁ ଅପରେସନ ମାଧ୍ୟମରେ ବାହାର କରିଥିଲେ ଏବଂ ସେ ସ୍ଥାନରେ ସିନ୍ଥେଟିକ୍‌ ଗ୍ରାଫ୍ଟର ପ୍ରତିରୋପଣ କରିଥିଲେ।

ଏହି ବିରଳ ଚିକିତ୍ସା ସମ୍ପର୍କରେ ଡା. ପାଢୀଙ୍କ କହିବାନୁଯାୟୀ, ପରୀକ୍ଷଣ ସମୟରେ ତ୍ରିଲୋଚନଙ୍କଠାରେ ଥୋରାସିସ୍‌ ଆଓର୍ଟା ଏନ୍ୟୁରିଜମ୍‌ ଓ କୋରୋନାରୀ ବ୍ଲକ୍‌ର ସମସ୍ୟା ଦେଖା ଯାଇଥିଲା। ଆମେ ପ୍ରଥମେ କୋରୋନାରୀ ବ୍ଲକ୍‌କୁ ଔଷଧ ମାଧ୍ୟମରେ ଠିକ୍‌ କରିଥିଲୁ। ଏହାପରେ ରୋଗୀ ସାମାନ୍ୟ ସୁସ୍ଥ ହେବା ପରେ ଏକ ହାର୍ଟ-ଲଙ୍ଗ୍‌ ମେସିନ୍‌ ବ୍ୟବହାର କରି ଆଓର୍ଟା ବାଇପାସ୍‌ ସହ ଓପନ୍‌ ହାର୍ଟ ସର୍ଜରୀ କରିଥିଲୁ। ଏହି ହାର୍ଟ-ଲଙ୍ଗ୍‌ମେସିନ୍‌ ଥୋରାସିସ୍‌ ଏନ୍ୟୁରିଜମ୍‌ର ଉଚ୍ଛେଦ ଓ ସିନ୍ଥେଟିକ୍‌ ଗ୍ରାଫ୍ଟ ପ୍ରତିରୋପଣ ସମୟରେ ଶରୀରରେ ରକ୍ତ ସଞ୍ଚାଳନକୁ ଜାରି ରଖିବା ପାଇଁ ବ୍ୟବହାର କରାଯାଇଥାଏ। ପ୍ରାୟ ୭ ଘଣ୍ଟା ଧରି ଏହି ଓପନ୍‌ ହାର୍ଟ ସର୍ଜରି ଜାରି ରହିଥିଲା। ରୋଗୀ ଜଣଙ୍କ ଏବେ ସୁସ୍ଥ ହେଉଥିବା ବେଳେ ଖୁବ୍‌ଶୀଘ୍ର ସାଧାରଣଭାବେ ବଞ୍ଚିପାରିବେ। ଆଓର୍ଟା ଏନ୍ୟୁରିଜମ୍‌କୁ ଚିହ୍ନଟ କରାଯିବା ସମ୍ପର୍କରେ ମତ ରଖି ହସ୍ପିଟାଲର ମେଡିକାଲ ସୁପରିନ୍‌ଟେଣ୍ତେଣ୍ଟ ମଞ୍ଜିନ୍ଦର ଭଟ୍ଟି କହିଛନ୍ତି ଯେ ଏନ୍ୟୁରିଜମ୍‌ ଅତ୍ୟଧିକ ବଡ ଆକାର ଧାରଣ ନ କରିବା ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଇ ନ ଥାଏ। ଅନ୍ୟ କୌଣସି ଶାରୀରିକ ଅସୁସ୍ଥତାର ପରୀକ୍ଷଣ ସମୟରେ ମଧ୍ୟ ଏହା ଜଣାପଡିଥାଏ। ରୋଗୀଙ୍କ ଛାତି ଓ ପିଠିରେ ଯନ୍ତ୍ରଣା, ହୃଦ୍‌ ସ୍ପନ୍ଦନରେ ପରିବର୍ତ୍ତନ, ଥକ୍କାପଣ, ମୁଣ୍ତ ବୁଲାଇବା ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ଭଳି ଲକ୍ଷଣ ଅନୁଭବ ହୋଇଥାଏ। ଯଦି ଏଭଳି କୌଣସି ଲକ୍ଷଣ ଦେଖାଯାଉଥାଏ ତେବେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯିବା ଉଚିତ।

ସମ୍ବନ୍ଧିତ ଖବର