ହେମଲତା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ପେଟରୁ ବାହାରିଲା ୧୦ କେଜିର ଟ୍ୟୁମର

ଚନ୍ଦ୍ରଶେଖରପୁର: ୫୨ ବର୍ଷର ଜଣେ ମହିଳାଙ୍କ ପେଟରୁ ବାହାରିଛି ୧୦ କେଜିର ଟ୍ୟୁମର। ହେମଲତା ହସ୍ପିଟାଲ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟରର ସର୍ଜିକାଲ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡା. ସଂଗ୍ରାମ କେଶରୀ ପଣ୍ଡାଙ୍କ ନେତୃତ୍ବରେ ଗଠିତ ଟିମ୍‌ ଦ୍ବାରା ଏଭଳି ଏକ ବିରଳ ଅସ୍ତ୍ରୋପଚାର କରାଯାଇ ବାହାର କରାଯାଇଛି। ଟ୍ୟୁମର ବାହାରିବା ପରେ ସମ୍ପୃକ୍ତ ମହିଳା ଜଣକ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଖୋର୍ଧା ଜିଲ୍ଲାର ୫୨ ବର୍ଷିଆ ମହିଳା ସ୍ମିତା (ଛଦ୍ମ ନାମ)ଙ୍କ ପେଟରେ ଟ୍ୟୁମର ହୋଇଥିଲା। ଲଗାତାର ଭାବେ ତାଙ୍କ ପେଟ ଫୁଲୁଥିବାରୁ ଚିକିତ୍ସା କରାଇବା ପାଇଁ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲ ବୁଲିଥିଲେ। ତେବେ ପାଖରେ ଅର୍ଥ ନ ଥିବାରୁ ବଡ଼ ହସ୍ପିଟାଲକୁ ଯିବାକୁ ସାହାସ ଜୁଟାଇ ପାରୁ ନ ଥିଲେ। ଦୀର୍ଘଦିନ ଧରି ଏଣେତେଣୁ ବୁଲିବା ପରେ କୌଣସି ସୂତ୍ରରୁ ଖବର ପାଇ ହେମଲତା ହସ୍ପିଟାଲର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡାଙ୍କ ସହ ଯୋଗାଯୋଗ କରି ଫେବ୍ରୁଆରି ୩ ତାରିଖରେ ମେଡିକାଲରେ ପହଞ୍ଚିଥିଲେ। ତାଙ୍କ ପେଟ ଦେଖିବା ପରେ ଡା. ପଣ୍ଡା ଚିକିତ୍ସା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଡାକ୍ତରୀ ଦଳର ୪ ଘଣ୍ଟାର କଠିନ ପରିଶ୍ରମ ପରେ ସ୍ମିତା ଏବେ ସୁସ୍ଥ ହୋଇଛନ୍ତି।

ଡା. ପଣ୍ଡାଙ୍କ କହିବାନୁଯାୟୀ ମହିଳାଙ୍କ ପରିସ୍ରା ଗ୍ରନ୍ଥିଠାରୁ ଯକୃତ ପର୍ଯ୍ୟନ୍ତ ଏକ ବଡ଼ ଟ୍ୟୁମର ରହିଥିବା ଅସ୍ତ୍ରୋପଚାର ସମୟରେ ଦେଖିବାକୁ ମିଳିଥିଲା। ପରୀକ୍ଷା କରାଯିବା ପରେ ଜଣାପଡ଼ିଥିଲା ଯେ ଓଭାରି(ଡିମ୍ବାଶୟ)ରୁ ଟ୍ୟୁମର ବାହାରିଛି। ମହିଳା ଜଣକ ସ୍ବଚ୍ଛଳ ହୋଇ ନଥିବାରୁ ତାଙ୍କୁ ରାଜ୍ୟ ଚିକିତ୍ସା ପାଣ୍ଠି ସମ୍ପର୍କରେ ଅବଗତ କରାଯାଇଥିଲା। ଏହାପରେ ସ୍ମିତା ପରିବାରର ରୋଜଗାର ସାର୍ଟିଫିକେଟ୍‌ ସମେତ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରିବା ପରେ ତାହାକୁ ସରକାରଙ୍କ ସ୍ବୀକୃତି ପାଇଁ ପଠାଯାଇଥିଲା। ସେଠାରୁ ଅନୁମତି ମିଳିବା ପରେ ଗତ ୧୫ ତାରିଖରେ ଡାକ୍ତରମାନଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌‌ରେ ଡା. ଚିନ୍ମୟୀ, ଡା. ଚିତ୍ତରଞ୍ଜନ ପଣ୍ଡିତ୍‌, ସିଷ୍ଟର ନୈନା ଓ ଯୋଜନା ରହିଥିଲେ। ଆଗରୁ ଓଡ଼ିଶାର ଅନେକ ମହିଳାଙ୍କ ପେଟରୁ ଟ୍ୟୁମର ବାହାରିଛି। ତେବେ ୧୦ କେଜିର ଟ୍ୟୁମର ବାହାରିବା ବିରଳ ଘଟଣା ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଲୋକେ ସଚେତନ ହେବା ଆବଶ୍ୟକ। ଟ୍ୟୁମର ବଢ଼ିବା ପୂର୍ବରୁ ଉପଯୁକ୍ତ ଚିକତ୍ସା କରାଗଲେ ରୋଗୀଙ୍କର କୌଣସି ଅସୁବିଧା ହେବ ନାହିଁ। ସ୍ମିତା ଯେଉଁ ସମୟରେ ଆମ ନିକଟକୁ ଆସିଥିଲେ ସେତେ‌ବେଳକୁ ଟ୍ୟୁମରଟି ବହୁତ ବଡ଼ ହୋଇଯାଇଥିଲା। ଅସ୍ତ୍ରୋପଚାର ସମୟରେ ରିସ୍କ ନେବାକୁ ପଡ଼ିଥିଲା। ଯେକୌଣସି ବୟସରେ ଟ୍ୟୁମର ହୋଇପାରେ। ତେବେ ୪୦ ବୟସ ବେଳକୁ ଲୋକେ ଏଥିରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି। ଟ୍ୟୁମର ହୋଇଥିଲେ ରୋଗୀ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି। ଝାଡ଼ା କଠିନ ହେବା ସହ ଖାଇବାରେ ସମସ୍ୟା, ବାରମ୍ବାର ପରିସ୍ରା ହୋଇଥାଏ। ତେଣୁ ଲକ୍ଷଣ ଦେଖାଦେବା କ୍ଷଣି ଚିକିତ୍ସା କରାଇବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର