ଭୁବନେଶ୍ବର: ପ୍ରଥମେ ଚେତାବନୀ। ଏହାପରେ ସେପ୍ଟେମ୍ବର ୪ ସୁଦ୍ଧା‌ ହ‌ଷ୍ଟେଲ ଛାଡ଼ିବାକୁ କୁହାଗଲା। ମାତ୍ର ତାହାକୁ ଖାତିର କଲେନି ଅଣଛାତ୍ର। ତଥାକଥିତ ପୁରାତନ ଛାତ୍ରମାନେ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତିକୁ ହେୟଜ୍ଞାନ କରି ହଷ୍ଟେଲ ରୁମ୍‌ ମାଡ଼ି ବସି ରହିଲେ। ରାତିରେ ମଦର ଆସର ଜମାଇଲେ। ଯିଏ ମୁହଁ ଖୋଲିଲା ମାଡ଼ ମାରିଲେ। ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ରୁମ୍‌ ଭିତରେ ତାଲା ମାରି ଅଟକ ରଖିଲେ। ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ ଉପରକୁ ଟେକାପଥର ମାଡ଼ କଲେ। ପରିଣାମ ସ୍ବରୂପ ଆଜି କ୍ୟାମ୍ପସ୍‌ରେ ଜୋର୍‌ଦା‌ର୍‌ ଚଢ଼ଉ ହୋଇଛି। କମିସନରେଟ୍‌ ପୁଲିସ ସହାୟତାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ସକାଳୁ ହିଁ ଆରମ୍ଭ କରି ଦେଇଥିଲେ ‘ଅପରେସନ୍‌ ଅଣଛାତ୍ର’।

Advertisment

କବ୍‌ଜାମୁକ୍ତ ହେଲା ୨୧୮ କୋଠରି
ପୁଲିସ ଛାଉଣୀରେ ତାଲା ଭାଙ୍ଗିଲେ କର୍ତ୍ତୃପକ୍ଷ
ଏବେ ସମ୍ପୂର୍ଣ୍ଣ ବନ୍ଦ ହେବ ୩ ନମ୍ବର ହଷ୍ଟେଲ
ମହଙ୍ଗା ପଡ଼ିଲା ପୁଲିସକୁ ଟେକାପଥର ମାଡ଼

ଡିସିପି ପାହ୍ୟାର ଅଧିକାରୀ ଅନୁପ୍‌ କାନୁନ୍‌ଗୋଙ୍କ ନେତୃତ୍ବରେ ୨ଜଣ ଅତିରିକ୍ତ ଡିସିପି, ୬ଜଣ ଏସିପି, ୭ଜଣ ଆଇଆଇସି, ୪୦ ଏସ୍‌ଆଇ ଏବଂ ୧୦ ପ୍ଲାଟୁନ୍‌ ଫୋର୍ସକୁ ନେଇ ଆରମ୍ଭ ହୋଇଥିଲା ଚଢ଼ଉ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କ ସମେତ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ, ୱାଡେନ୍‌, ହଷ୍ଟେଲ୍‌ ଅଧୀକ୍ଷକ, ବିଭିନ୍ନ ବିଭାଗର ପ୍ରଫେସରମାନେ ସାମିଲ ହୋଇଥିଲେ। ପ୍ରଥମେ ଛାତ୍ରାବାସ-୩ରେ ଚଢ଼ଉ ହୋଇଥିଲା। ପୂର୍ବରୁ ପ୍ରସ୍ତୁତ ହୋଇଥିବା ତାଲିକାରେ ଛାତ୍ରାବାସ-୩ର ୧୮୦ରୁ ୧୪୦ଟି ରୁମ୍‌ ଅଣଛାତ୍ରଙ୍କ କବ୍‌ଜାରେ ରହିଥିଲା। ତେଣୁ ତାଲିକା ଅନୁଯାୟୀ ଚଢ଼ଉ କରାଯାଇ ଗୋଟିଏ ପରେ ଗୋଟିଏ ରୁମ୍‌ର ତାଲା ଭାଙ୍ଗିଥିଲା ପୁଲିସ। ରୁମ୍‌ ଭିତରେ ଥିବା ଅଣଛାତ୍ରଙ୍କ ବହି ଓ ଜିନିଷପତ୍ରକୁ ବାହାରକୁ କଢ଼ାଯାଇ ତାଲା ମରାଯାଇଥିଲା। ସମାନ ଢଙ୍ଗରେ ଛାତ୍ରାବାସ-୨ର ୪୦ଟି ରୁମ୍‌, ଛାତ୍ରାବାସ-୧ର ୨୦ଟି ରୁମ୍‌, ଛାତ୍ରାବାସ-୪ର ୧୫ଟି ରୁମ୍‌ ଓ ଛାତ୍ରାବାସ-୫ର ୩ଟି ରୁମ୍‌ରେ ଚଢ଼ଉ କରି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ନିଜ ଅକ୍ତିଆରକୁ ନେଇଥିଲେ। ୩ ନମ୍ବର ଛାତ୍ରାବାସକୁ ଏବେ ସମ୍ପୂର୍ଣ୍ଣ ସିଲ୍‌ କରିବାକୁ ନିଷ୍ପତ୍ତି ହୋଇଛି। ଚଢ଼ଉ ସମୟରେ ହଷ୍ଟେଲ ରୁମ୍‌ରୁ ବହୁ ପରିମାଣରେ ମଦ ବୋତଲ, ହିଟର, ହୁକା ଟାଣିବା ସାମଗ୍ରୀ ନଜରକୁ ଆସିଥିଲା। ସେଗୁଡ଼ିକ ବାହାରକୁ କଢ଼ାଯାଇ ନିଶାମୁକ୍ତ କ୍ୟାମ୍ପସ୍‌ ଦିଗରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଆସନ୍ତାକାଲି ବାକି ରୁମ୍‌ଗୁଡ଼ିକୁ ଖାଲି କରାଯିବ ବୋଲି ଜଣାପଡ଼ିଛି। 

କେହି ଟେର୍‌ ପାଇଲେନି
ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ଛାତ୍ରନେତାମାନେ ହଷ୍ଟେଲ ରୁମ୍‌ ଅକ୍ତିଆର କରି ରଖିଥିଲେ। ନିଜକୁ ପୁରାତନ ଛାତ୍ର କହି ସେମାନେ ପତିଆରା ଜାହିର କରୁଥିଲେ। ମାତ୍ର ଆଜି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୁଲିସର ‘ଅପରେସନ ଅଣଛାତ୍ର’ ସେମାନଙ୍କ ନିଦ ହଜାଇ ଦେଇଛି। ସକାଳ ପ‌୍ରାୟ ୧୦ଟା ହେବ। ଛାତ୍ର ଓ ଅଣଛାତ୍ର ସମସ୍ତେ ଛାତ୍ରାବାସରେ ଥାଆନ୍ତି। ହଠାତ୍‌ କ୍ୟାମ୍ପସ୍‌ରେ ବାଜିଉଠିଲା ସାଇରନ୍‌। ଗୋଟିଏ ପରେ ଗୋଟିଏ ପୁଲିସ ଭ୍ୟାନ୍‌ ଚକର କାଟିଲା। ପଛକୁ ପଛ ଲାଗିଥିଲା ପୁଲିସ ଫୋର୍ସ ଭ୍ୟାନ୍‌। କ୍ଷଣକ ମଧ୍ୟରେ କ୍ୟାମ୍ପସ୍‌ରେ ପୁଲିସ ଛାଉଣୀ ହୋଇଯାଇଥିଲା ଏବଂ ଅଣଛାତ୍ରଙ୍କୁ ରୁମ୍‌ ଛାଡ଼ିବାକୁ ଚେତାବନୀ ଦିଆଯାଇଥିଲା। ସକାଳୁ ସକାଳୁ ପୁଲିସ ଫୋର୍ସ ସହ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଅତର୍କିତ ଚଢ଼ଉ ଦେଖି କେହି କିଛି ବୁଝିପାରିନଥିଲେ। ଅଣଛାତ୍ରଙ୍କ ମୁଣ୍ଡ କାମ କରିନଥିଲା। ବର୍ଷ ବର୍ଷ ଧରି ନିଜ ଅକ୍ତିଆରରେ ଥିବା ରୁମ୍‌ ହାତରୁ ଚାଲିଯିବ, ଯେଉଁମାନେ ୫୦ ହଜାର ଟଙ୍କା ଦେଇ ଅଣଛାତ୍ରଙ୍କଠାରୁ ରୁମ୍‌ ବି କିଣିଥିଲେ ସେମାନେ ବାଉଳି ହୋଇଥିଲେ। କ’ଣ କରିବେ? କେମିତି ରୁମ୍‌ ରହିବ? ଏପଟେ ପୁଲିସ ଭୟ; ସେପଟେ ରୁମ୍‌ ହାତ ଛଡ଼ା ହୋଇଯିବ। ତେଣୁ ଉପାୟଶୂନ୍ୟ ହୋଇ ରୁମ୍‌ରେ ତାଲାମାରି ବାହାରକୁ ଚାଲିଯାଇଥିଲେ। ଆଉ ଏହାପରେ ଆରମ୍ଭ ହୋଇଥିଲା ‘ଅପରେସନ୍‌ ଅଣଛାତ୍ର’। ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମେତ ସମସ୍ତ ପ୍ରବେଶ ପଥ, ପ୍ରଶାସନିକ କୋଠା, ହଷ୍ଟେଲ ସମ୍ମୁଖ, କୁଳପତିଙ୍କ ବାସଭବନ ସମ୍ମୁଖରେ ପୁଲିସ ମୁତୟନ ହୋଇଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓ ଅଣଛାତ୍ରଙ୍କ ମଧ୍ୟରେ ଲାଗିରହିଥିବା ଛକାପଞ୍ଝାର ଏବେ ଏକପ୍ରକାର ଅନ୍ତ ହୋଇଥିବା‌ କୁହାଯାଉଛି। ୨୧୮ ରୁମ୍‌ ଅଣଛାତ୍ର ମୁକ୍ତ ହୋଇଥିବା କୁହାଯାଉଥିଲେ ମଧ୍ୟ ପୁଣି ସେହି ରୁମ୍‌ଗୁଡ଼ିକ ଯେପରି ଅଣଛାତ୍ରଙ୍କ କବ୍‌ଜାକୁ ଚାଲିନଯାଏ, ସେଥିପାଇଁ ପଦକ୍ଷେପ ନିଆଯାଇଛି। ତାଲା ଭଙ୍ଗାଯାଇ ଯାଞ୍ଚ କରାଯିବା ପରେ ପୁଣିଥରେ ରୁମ୍‌ଗୁଡ଼ିକରେ ନୂଆ ତାଲା ପକାଯାଇଛି। ଏଥିସହ କିଛି ରୁମ୍‌କୁ ନୂତନ ଛାତ୍ରଙ୍କୁ ଆଲର୍ଟ କରାଯାଇଛି। କ୍ୟାମ୍ପସ୍‌ରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଥିବାରୁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ପୁଲିସ ଫୋର୍ସ ଦୁଇଦିନ ପାଇଁ ମୁତୟନ ରହିବେ। ଯଦି କିଛି ଅପ୍ରୀତିକର ସ୍ଥିତି ଦେଖାଦିଏ ତାହା ହେଲେ ସପ୍ତାହେ ଯାଏ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଶୈକ୍ଷିକ ବାତାବରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ବହୁଦିନରୁ ଅଣଛାତ୍ରଙ୍କ ଅକ୍ତିଆରରେ ବାଣୀବିହାର ରହିଥିଲା। ଏବେ ସୁଧାର ଆଣିବାକୁ ଆମେ ଉଦ୍ୟମ କରୁଛୁ। ନାଲି ଆଖି ଦେଖାଇ କିଛି କରିହେବ ନାହିଁ। ପୂର୍ବତନ ଛାତ୍ରମାନେ ଦାୟିତ୍ବବାନ ହୁଅନ୍ତୁ। ଗୁଣାତ୍ମକ ମାନ ଓ ରୢାଙ୍କିଙ୍ଗ୍‌ ନେଇ ଆମେ ସବୁବେଳେ ଚିନ୍ତିତ ରହୁଛୁ। ଅଣଛାତ୍ର ବାହାରିବା ପରେ ହଷ୍ଟେଲ ସିଲ୍‌ ହେବ। ଆବଶ୍ୟକୀୟ ମରାମତି ପରେ ପୁଣି ଆଲଟ୍‌ କରାଯିବ। କ୍ୟାମ୍ପସ୍‌ରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସୁରକ୍ଷା ବଢ଼ିଲା, ନିୟମିତ ଯାଞ୍ଚ ହେବ
ହଷ୍ଟେଲ ରୁମ୍‌କୁ କର୍ତ୍ତୃପକ୍ଷ ନିଜ ଅକ୍ତିଆରକୁ ନେଇଥିଲେ ମଧ୍ୟ ପୁଣିଥରେ ଅଣଛାତ୍ରଙ୍କ ପ୍ରବେଶ ଆଶଙ୍କା ରହିଛି। ‌ଏନେଇ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ କହିଛନ୍ତି ଯେ କିଛି ଦିନ ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ପୁଲିସ ଫୋର୍ସ ମୁତୟନ କରାଯିବ। ପ୍ରତି ହଷ୍ଟେଲ୍‌ରେ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ କରାଯାଇ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ହେବ। ହଷ୍ଟେଲ୍‌କୁ ପ୍ରବେଶ ସମୟରେ ଛାତ୍ରଙ୍କ ପରିଚୟପତ୍ର ଯାଞ୍ଚ କରାଯିବ। ମଝିରେ ମଝିରେ ଅଧୀକ୍ଷକଙ୍କଙ୍କ ନେତୃତ୍ବରେ ରୁମ୍‌ଗୁଡ଼ିକରେ ତଦାରଖ ହେବ। ଯେଉଁମାନେ ଯୁକ୍ତିତର୍କ କିମ୍ବା ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ହେବ। ଏଥିସହ ପ୍ରତି ହଷ୍ଟେଲ୍‌ର ସିସିଟିଭି କ୍ୟା‌ମେରା ଲଗାଯାଇ ସ୍ଥିତି ଉପରେ ନଜର ରଖାଯିବ ବୋଲି ସେ କହିଛନ୍ତି।
ବସ୍ତି ପାଳି କେବେ?
ଅଣଛାତ୍ରଙ୍କୁ ହଷ୍ଟେଲ୍‌ରୁ ତଡ଼ିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ଚାପ ବଢ଼ିଛି। କାରଣ କ୍ୟାମ୍ପସ୍‌ ଭିତରଠାରୁ ଆରମ୍ଭ କରି ଚାରିପଟେ ବସ୍ତି ଛାଇଯାଇଛି। ବିଭିନ୍ନ ସମୟରେ ବସ୍ତିରୁ ଅପରାଧୀଙ୍କୁ ପୁଲିସ ଗିରଫ କରିଛି। ଗଞ୍ଜେଇ, ମଦ, ବ୍ରାଉନ୍‌ସୁଗାର ଭଳି ନିଶାଦ୍ରବ୍ୟ ମଧ୍ୟ ଜବତ କରାଯାଉଛି। ବସ୍ତିରେ ଅପରାଧୀଙ୍କ ଆଡ଼ା ଯୋଗୁଁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି। ଶୈକ୍ଷିକ ବାତାବରଣରେ ବାଧା ସୃଷ୍ଟି ହେଉଛି। ଅଣଛାତ୍ରଙ୍କୁ କଢ଼ାଯିବା ପରେ କ୍ୟାମ୍ପସ୍‌ରୁ କେବେ ବସ୍ତି ହଟିବ ସେନେଇ ଛାତ୍ର ଓ ଅଣଛାତ୍ର କର୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ।  କୁଳସଚିବ କହିଛନ୍ତି ଯେ ଆଗାମୀ ଦିନରେ ବସ୍ତି ହଟାଇବା ଦିଗରେ ପଦକ୍ଷେପ ନିଆଯିବ।

ଜୋର ଧରିଲା ରାଜନୀତି

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅଣଛାତ୍ରଙ୍କୁ ତଡ଼ିବା ପ୍ରସଙ୍ଗରେ ବିଜେଡି ଓ ବିଜେପିର ଛାମୁଆ ଛାତ୍ର ସଙ୍ଗଠନ ମୁହାଁମୁହିଁ ହୋଇଛନ୍ତି। ବିଜୁ ଛାତ୍ର ଜନତା ଦଳ ସଭାପତି ଇପ୍ସିତା ସାହୁ କହିଛନ୍ତି ‌ଯେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ଖେଳୁଛନ୍ତି। ସରକାରୀ ଦଳର ଯୁବ ଓ ଛାତ୍ର ଗୋଷ୍ଠୀ ଛାତ୍ର ସାଜି ହଷ୍ଟେଲ ସିଟ୍‌ ମାଡ଼ି ବସିଥିଲେ। କ୍ୟାମ୍ପସ୍‌ରେ ଶାସକ ଦଳର ଉଭୟ ଗୋଷ୍ଠୀ ବାରମ୍ବାର ଗଣ୍ଡଗୋଳ କରିଛନ୍ତି। ବିଜେପି ‌ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ଯଦି ଆମ ଦଳର ଅଧିକ ଅଣଛାତ୍ର ଥିଲେ, ତେବେ ଆମେ ପ୍ରତିକ୍ରିୟାଶୀଳ ହେବା କଥା। ଏଥିରେ ବିଜେଡିକୁ କାହିଁକି ଝଟକା ଲାଗୁଛି। ସେମାନେ କାହିଁକି ବିଚଳିତ ହେଉଛନ୍ତି। ବହୁବର୍ଷ ହେଲା ଅଣଛାତ୍ରଙ୍କ ବେଆଇନ ଅଧିକାର ଶୈକ୍ଷିକ ପରିବେଶକୁ ନଷ୍ଟ କରୁଥିଲା। ଆଜି ରାଜ୍ୟ ସରକାରଙ୍କ ସହାୟତାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କ୍ୟାମ୍ପସ୍‌ରୁ ବସ୍ତିବାସିନ୍ଦାଙ୍କୁ ତୁରନ୍ତ କଢ଼ାଯାଉ ବୋଲି ସଙ୍ଗଠନର ରାଜ୍ୟ ସମ୍ପାଦକ ଦୀପ୍ତିମୟୀ ପ୍ରତିହାରୀ କହିଛନ୍ତି।