ଭୁବନେଶ୍ବର : ନିଶା ବ୍ୟବସାୟୀଙ୍କୁ ସାବାଡ୍‌ କରିବା ପାଇଁ ଅଣ୍ଟା ଭିଡ଼ିଥିବା କମିସନରେଟ୍‌ ପୁଲିସକୁ ଚଳିତ ବର୍ଷ ଭଲ ସଫଳତା ମିଳିଛି। ଅପରେସନ୍ ହ୍ବାଇଟ୍‌ ସ୍ପାଇଡର୍‌ ବଳରେ ଚଳିତବର୍ଷ ୭୨ଟି ଏନ୍‌ଡିପିଏସ୍‌ ମାମଲା ରୁଜୁ କରି ୧୪୯ଜଣ ନିଶାବେପାରୀଙ୍କୁ ଗିରଫ କରାଯାଇଛି। ଏଥିରେ ସବୁଠୁ ଅଧିକ ୪୪ଟି ବ୍ରାଉନ୍‌ସୁଗାର ମାମଲା ରହିଛି। ଏହି ମାମଲାରେ ପୁଲିସ ୯୮ଜଣ ଧଳାଜହର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୭ କେଜି ୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୭କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Advertisment

ସେହିପରି ୨୭ଟି ଗଞ୍ଜେଇ ଚୋରାଚାଲାଣ ମାମଲାରେ ୪୯ଜଣଙ୍କୁ ଗିରଫ କରାଯାଇଛି ଓ ୮କ୍ବିଣ୍ଟାଲ୍‌ ଗଞ୍ଜେଇ ଜବତ କରାଯାଇଛି। ସେହିଭଳି ନିଷିଦ୍ଧ କଫ୍‌ ସିରଫ୍‌ ଚାଲାଣ ମାମଲାରେ ଜଣଙ୍କୁ ଗିରଫ କରାଯାଇ ତା’ ନିକଟରୁ ୧୪୦ ବୋତଲ କଫ୍‌ ସିରଫ୍‌ ଜବତ କରାଯାଇଛି। ଏହି ସବୁ ମାମମଲାରେ ଅଭିଯୁକ୍ତଙ୍କଠାରୁ ୪୫ଲକ୍ଷ ୬୪ ହଜାର ୯୪୨ଟଙ୍କା ଜବତ କରାଯାଇଛି। ଅନ୍ୟ ଜବତ ବସ୍ତୁ ମଧ୍ୟରେ ରହିଛି ଗୋଟିଏ ବନ୍ଧୁକ, କିଛି ଗୁଳି, ୭ଟି କାର୍‌, ୨୩ ଟି ବାଇକ୍‌, ୬୭ଟି ମୋବାଇଲ ଫୋନ୍‌। ପୁଲିସ ପାଇଁ ଏହା ଏକ ସଫଳତା ହୋଇଥିଲେ ବି ରାଜଧାନୀରେ ଏବେ ବହୁ ନିଶା ବେପାରୀ ସକ୍ରିୟ ଅଛନ୍ତି ଓ ନିଶାଡ଼ିଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ୁଥିବା ଜଣାପଡ଼ିଛି। ତେଣୁ ରାଜଧାନୀରୁ ଧଳାଜହର ବେପାର ପୂରା କମାଇବା କମିସନେରଟ୍‌ ପୁଲିସ ପାଇଁ ଆଜି ମଧ୍ୟ ମଧ୍ୟ ଚ୍ୟାଲେଞ୍ଜ୍‌ ହୋଇ ରହିଛି ବୋଲି କୁହାଯାଉଛି।