ଭୁବନେଶ୍ବର: ପାର୍ବଣ ପାଇଁ ଜୋର୍‌ଦାର ଚାଲିଥିବା ହ୍ବାଇଟ୍‌ ସ୍ପାଇଡର୍‌ ଅଭିଯାନରେ ଆଜି ୫ ନିଶାବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ପାଖାପାଖି ଦେଢ଼ଲକ୍ଷ ଟଙ୍କାର ବିଭିନ୍ନ ନିଶାଦ୍ରବ୍ୟ ଜବତ କରାଯାଇଛି।

Advertisment

ସୂଚନାନୁସାରେ ମଞ୍ଚେଶ୍ୱର ଥାନା ପୁଲିସ କଳାରାହାଙ୍ଗ ହାଟରୋଡ୍‌ରେ ଚଢଉ କରି କୃଷ୍ଣଚନ୍ଦ୍ର ନାଥକୁ ଗିରଫ କରିବା ସହ ତା’ଠାରୁ ୧୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ସାଢ଼େ ୧୦ ହାଜର ଟଙ୍କା ଜବତ କରିଛି। ଶ୍ରୀଲିଙ୍ଗରାଜ ଥାନା ପୁଲିସ କେନାଲ ବନ୍ଧ ନିକଟରେ ଚଢଉ କରି ସରୋଜ କୁମାର ପାତ୍ରକୁ ଗିରଫ କରିବା ସହ ସାଢ଼େ ୫କେଜି ଗଞ୍ଜେଇ ଜବତ କରିଛି।

ବାଲିପାଟଣା ଥାନା ପୁଲିସ ଗାରେଡ଼ିପାଞ୍ଚଣ ଛକରୁ କାହ୍ନୁ ଦାସକୁ ଗିରଫ କରି ତା’ଠାରୁ ୧୪୦୦ ଗ୍ରାମ୍‌ ଓଜନର ଗଞ୍ଜେଇ ଜବତ କରିଛି। ବାଲିଅନ୍ତା ଥାନା ପୁଲିସ ସାଇଫନ୍‌ ଛକରୁ ପ୍ରଭାତ ଭୋଇକୁ ଗିରଫ କରି ତା’ଠାରୁ ୧୬୫୦ଗ୍ରାମ୍‌ ଗଞ୍ଜେଇ ଜବତ କରିଛି। ସେହିଭଳି ଚନ୍ଦ୍ରଶେଖରପୁର ଥାନା ପୁଲିସ ବିଡିଏ କଲୋନି ନୀଳମାଧବ ବସ୍ତିରୁ ପ୍ରଶାନ୍ତ ମହାନ୍ତ ଓ ବିଶ୍ବନାଥ ସାହୁକୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୩କେଜି ଗଞ୍ଜେଇ ଜବତ କରିଛି।