ଅପରେସନ୍ ହ୍ବାଇଟ୍‌ ସ୍ପାଇଡର୍‌: ୨ ଜଣଙ୍କଠାରୁ ୫୦ଗ୍ରାମ୍ ଜବତ, ମୋଟ୍‌ ୬ ଗିରଫ

ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ରାଜଧାନୀକୁ ବ୍ରାଉନ୍‌ସୁଗାର ବେପାରୀଙ୍କ କବଳରୁ ମୁକ୍ତ କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା ଅପରେସନ୍‌ ହ୍ବାଇଟ୍‌ ସ୍ପାଇଡର୍ ଯୋଜନାରେ ଆଜି ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଛି। ଯାଁଳା ଫାଣ୍ଡି ପୁଲିସ ୨ ଜଣ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫୦ଗ୍ରାମ୍ ମାଲ୍ ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ସାମନ୍ତରାପୁରର ସଦାଶିବ ନାୟକ ଓ ରାଜେନ୍ଦ୍ର ବେହେରା। ପୁଲିସ ସେମାନଙ୍କଠାରୁ ବ୍ରାଉନ୍‌ସୁଗାର ସହ ନଗଦ ୩ ହଜାର ଟଙ୍କା ଓ ୩ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ଇନ୍‌ଫୋଭ୍ୟାଲି ରୋଡ୍‌ରେ କାରବାର କରୁଥିବା ବେଳେ ପୁଲିସ ଚଢ଼ଉ କରିଥିଲା।

ସେହିଭଳି ଖାରବେଳନଗର ଥାନା ପୁଲିସ ଆଜି ଆଜାଦ୍‌ନଗର ବସ୍ତିର ବିକ୍ରମ ବେହେରା ଓରଫ କାହ୍ନା, ମସଜିଦ୍ କଲୋନିର ସେକ୍ ମହିବୁଲ୍‌ ଅଲ୍ଲୀ ଓରଫ ବାପି ଓ ସେକ୍ ସିତୁ ଓରଫ ସିଲ୍‌ଟୁକୁ ଗିରଫ କରିଛି। ଅଭିଯୁକ୍ତମାନେ ରାଜୁ ପାଖରୁ ଧଳାଜହର ଆଣି ମାଷ୍ଟରକ୍ୟାଣ୍ଟିନ, ସତ୍ୟନଗର, ବାପୁଜୀନଗର, ଏୟାରଫିଲ୍ଡ ଆଦି ଅଞ୍ଚଳରେ କାରବାର ଚଳାଇଥିବା ଜଣାପଡ଼ିଛି। ପୁଲିସ ସେମାନଙ୍କ ଠାରୁ ୩୩ ହଜାର ଟଙ୍କା ଓ ମୋବାଇଲ୍ ଫୋନ୍‌ ଜବତ କରିଛି। ଗତ ୧୬ ତାରିଖ ବିଳମ୍ବିତ ରାତିରେ ପୁଲିସ ରାଜୁ ଓ ତା’ ସହଯୋଗୀ ବିଜୟକୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ୨୫ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଥିଲା। ଅନ୍ୟ ଏକ ମାମଲାରେ ପଟିଆ ବାରଙ୍ଗ ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର କରୁଥିବା ପଦାସାହିର ସନ୍ତୋଷ ବେହେରାକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଗତ ଦୁଇ ଦିନ ପୂର୍ବେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ପଟିଆ ‌ଷ୍ଟେସନ୍ ନିକଟରୁ ୬ ଜଣଙ୍କୁ ଗିରଫ କରିଥିଲା। ସେତେବେଳେ ସନ୍ତୋଷ ପୁଲିସକୁ ଚକ୍‌ମା ଦେଇ ଖସି ପଳାଇଥିଲା।

ସମ୍ବନ୍ଧିତ ଖବର