ଅପରେସନ୍ ‘ହ୍ୱାଇଟ୍ ସ୍ପାଇଡର୍’ ଆରମ୍ଭ

ଫୋକସରେ ବସ୍ତି, ରାଜଧାନୀକୁ ବ୍ରାଉନ୍‌ସୁଗାର ମୁକ୍ତ କରିବାକୁ ପୁଲିସର ପ୍ରୟାସ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରକୁ ଗିଳି ସାରିଲାଣି ବ୍ରାଉନସୁଗାର କାରବାର। ଏମିତି କେଉଁ ଅଞ୍ଚଳ ବାକି ନାହିଁ, ଯେଉଁଠି ଧଳାଜହର କାରବାର ହେଉନାହିଁ। ବାଲେଶ୍ବର ପରେ ସର୍ବାଧିକ ବ୍ରାଉନସୁଗାର ବେପାର ଭୁବନେଶ୍ବରରେ ଚାଲିଛି। ନିଶା ସେବନକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପ୍ରାୟ ୫୦ ହଜାର ଛାତ୍ର ନିଶା ଜାଲରେ ପଡ଼ିଛନ୍ତି। ଯାହା ଚିନ୍ତାର ବିଷୟ ପାଲଟିଛି।

ଏଭଳି ପରିସ୍ଥିତିରେ ରାଜଧାନୀ ଭୁବନେଶ୍ବରକୁ ବ୍ରାଉନସୁଗାର ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି କମିସନରେଟ୍ ପୁଲିସ। ସ୍ବତନ୍ତ୍ର ଅପରେସନ୍ ‘ହ୍ବାଇଟ୍ ସ୍ପାଇଡର୍’ ଆରମ୍ଭ ହୋଇଥିବା ନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସବୁ ଥାନା, କୁଇକ୍ ଆକ୍ସନ ଟିମ୍(କ୍ୟୁଏଟି) ଏହି ଅପରେସନରେ ସାମିଲ ହେବେ। ବିଶେଷ କରି ବସ୍ତି ଅଞ୍ଚଳକୁ ନିଶାମୁକ୍ତ କରିବା ଦିଗରେ ଫୋକସ୍ କରାଯିବ। ବେପାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅପରେସନ୍ ଆରମ୍ଭ ହୋଇଥିବା ବେଳେ ଆଗକୁ ଆହୁରି ଜୋରଦାର ହେବ ବୋଲି ସେ ସୂଚନା ଦେଇଛନ୍ତି।

ସେହିଭଳି କାହିଁକି ବସ୍ତିରେ ଅପରାଧ ବଢ଼ୁଛି, ତା’ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଡିସିପିଙ୍କ ତତ୍ତ୍ବାବଧାନରେ ‘ବସ୍ତିକୁ ଚାଲ’ ଅଭିଯାନ ଆରମ୍ଭ ହୋଇଛି। ଏହା ସହ ବସ୍ତିରେ କ’ଣ ସମସ୍ୟା ରହୁଛି, ତା’ ଉପରେ ମଧ୍ୟ ଆପୋସ ଆଲୋଚନା କରିବ ପୁଲିସ।

ସୂଚନାଯୋଗ୍ୟ, ପ୍ରତି ବସ୍ତିରେ ଦୁଇ ଜଣ ପୁଲିସ କର୍ମଚାରୀ ୨୪ ଘଣ୍ଟିଆ ଦାୟିତ୍ବରେ ରହିବେ। ସେଠାରେ ବାସିନ୍ଦାଙ୍କ ସାଙ୍ଗରେ ଆଲୋଚନା କରି ଭଲମନ୍ଦ ବୁଝିବା ସହ ଅପରାଧୀ କାର୍ଯ୍ୟକଳାପ ସମ୍ପର୍କରେ ଥାନାରେ ଥିବା ନୋଡାଲ୍ ଅଫିସରଙ୍କୁ ଜଣାଇବେ। ନୋଡାଲ୍ ଅଫିସର ଯେତେଦୂର ସମ୍ଭବ ବସ୍ତିର ଏକ ଡାଟାବେସ୍ ତିଆରି କରିବେ। ଡିସିପି ଅଫିସର ଜଣେ ଏସିପି ନୋଡାଲ୍ ଅଫିସରଙ୍କ ଠାରୁ ମିଳୁଥିବା ତଥ୍ୟର ଡାଟାବେସ୍ ପ୍ରସ୍ତୁତ କରିବେ।

୨୮୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଶୁକୁରୁ ଗିରଫ
ଭୁବନେଶ୍ବର : ପୁଲିସକୁ ଚକ୍‌ମା ଦେଇ ଭରତପୁର ଥାନା ଅଞ୍ଚଳରେ ବେଶ୍ କିଛି ଦିନ ହେଲା ବ୍ରାଉନ୍‌ ସୁଗାର କାରବାର ଚଳାଉଥିବା ଶୁକୁରୁ ପାତ୍ର(୨୨) ଶେଷରେ ଧରାପଡ଼ିଛି। ଭରତପୁର ଥାନା ପୁଲିସ ତା’ଠାରୁ ୨୮୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର(ବଜାର ମୂଲ୍ୟ ୨୮ ଲକ୍ଷ ଟଙ୍କା) ଜବତ କରିଛି। ପୁଲିସର ହ୍ବାଇଟ୍‌ ସ୍ପାଇଡର୍‌ ଅପରେସନ୍‌ର ପ୍ରଥମ ଦିନରେ ଶୁକୁରୁ ପାତ୍ର(୨୨) ଗିରଫ ହୋଇଛି। ପୁଲିସ ନିକଟରେ ବହୁ ପୂର୍ବରୁ ସୂଚନା ଥିଲେ ବି ଧୂର୍ତ୍ତ ଶୁକୁରୁ ବଡ଼ କାଇଦାରେ କାରବାର କରୁଥିବାରୁ ତାକୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିବା ସମ୍ଭବ ହେଉନଥିଲା। ତେବେ ଆଜି ଶୁକୁରୁର ଚାଲାକି କାମ ଦେଇନଥିଲା। ସକାଳେ ସେ ପୁଲିସ ଜାଲରେ ପଡ଼ି ଯାଇଥିଲା। କିଛି ଗ୍ରାହକଙ୍କୁ ବ୍ରାଉନ୍‌ସୁଗାର ଦେବା ପାଇଁ ସେ ଏଜି କଲୋନି ପାଖକୁ ଡକେଇ ନେଇଥିଲା। ଶୁକୁରୁର ଗତିବିଧି ଉପରେ ନଜର ରଖିଥିବରା ପୁଲିସ ଟିମ୍‌ ତାକୁ ଜିଏ କଲୋନି ଯିବା ଦେଖି ପିଛା କରିଥିଲା ଓ ସେଠାରେ ତାକୁ ଅତର୍କିତ ଘେରି ଯାଇ କାବୁ କରିଥିଲା। ଶୁକୁରୁ ଉଭୟ ଖୋର୍ଦ୍ଧା ଓ ଜଳେଶ୍ବରରୁ ମାଲ୍ ମଗାଇ କାରବାର କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର