ଭୁବନେଶ୍ବର: ବିଗତ ଦୁଇ ବର୍ଷ ଭଳି ନୂଆବର୍ଷ-୨୦୨୩ରେ ମଧ୍ୟ କମିସନରେଟ ପୁଲିସ ଅପରେସନ୍ ‘ହ୍ବାଇଟ୍ ସ୍ପାଇଡର’ ଜାରି ରଖିବ। ଉଭୟ କଟକ ଓ ଭୁବନେଶ୍ବରରେ ହେଉଥିବା ନିଶା କାରବାର ଉପରେ କମିସନରେଟ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଗତ ୨୦୨୧ ଓ ୨୦୨୨ରେ କମିସନରେଟ ପୁଲିସ ନିଶା କାରବାର ଜନିତ ଯେତିକି ମାମଲା ରୁଜୁ କରିଛି ଏବଂ ନିଶା ମାଫିଆମାନଙ୍କୁ ଗିରଫ କରିଛି, ତାହା ଅନ୍ୟ ପୁଲିସ ଜିଲ୍ଲା ତୁଳନାରେ ଏକ ରେକର୍ଡ। ନିଶା ବେପାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଚଳିତବର୍ଷ ମଧ୍ୟ ଜାରି ରହିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Advertisment

କମିସନରେଟ୍‌ ପୁଲିସ ପାଇଁ ସାଇବର ଅପରାଧ ଚ୍ୟାଲେଞ୍ଜ ହୋଇଛି। ବିଶେଷକରି କୋଭିଡ୍‌ ମହାମାରୀ ପରେ ଏଭଳି ଅପରାଧ ବହୁ ମାତ୍ରାରେ ବଢ଼ି ଯାଇଛି। ସାଇବର୍‌ ଅପରାଧ ଜନିତ ମାମଲାରେ ପୁଲିସ ଟଙ୍କା ଫେରାଇ ଆଣିବାରେ ଏତେଟା ସଫଳତା ପାଇ ନଥିଲେ ମଧ୍ୟ ନୂତନ ବର୍ଷରେ ସାଇବର ଅପରାଧ ଜନିତ ମାମଲାର ତଦନ୍ତରେ ସହଯୋଗ ପାଇଁ ସାଇବର ଫୋରେନସିକ୍ ସେଲ୍ ଖୋଲିବାକୁ ଯୋଜନା ହୋଇଛି। କର୍ମଚାରୀ ସଂଖ୍ୟାରେ ମଧ୍ୟ ଅଭାବ ରହିଛି। ତେଣୁ ସାଇବର ଥାନାରେ କର୍ମଚାରୀ ସଂଖ୍ୟା ବଢ଼ାଇବାକୁ ଉଦ୍ୟମ କରାଯିବ। ସାଇବର ଠକେଇରୁ ବର୍ତ୍ତିବା ପାଇଁ କମିସନରେଟ୍‌ ପୁଲିସ ବିଭିନ୍ନ ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ କରାଉଛି।
କମିସନରେଟ ପୁଲିସ ଅଧୀନରେ ଘଟୁଥିବା ଅପରାଧର ସ୍ବତନ୍ତ୍ର ଭାବେ ତଦନ୍ତ କରିବାକୁ ସ୍ପେସାଲ୍ କ୍ରାଇମ ୟୁନିଟ୍‌ ପ୍ରତିଷ୍ଠା ହୋଇଛି। ଏହା କାମ ଆରମ୍ଭ କରିଥିଲେ ମଧ୍ୟ ଖୁବ୍‌ଶୀଘ୍ର ପୂର୍ଣ୍ଣାଙ୍ଗ ଭାବେ କାମ ଆରମ୍ଭ କରିବ। କମିସନରେଟ ପୁଲିସ ଅଧୀନରେ ଘଟୁଥିବା ବଡ଼ ବଡ଼ ଅପରାଧର ତଦନ୍ତ ଏହି ୟୁନିଟ୍‌ କରିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ସେହିପରି କମିସନରେଟ ପୁଲିସ ପାଇଁ ମୁଖ୍ୟ ସମସ୍ୟା ଏବେ ଟ୍ରାଫିକ୍। ଯେଉଁଭଳି ଭାବେ ଗତ ୧୦ବର୍ଷ ମଧ୍ୟରେ ରାଜଧାନୀ ଚାରିପାଖ ଉନ୍ନତି କଲା, ତାହା ହିଁ ଟ୍ରାଫିକ୍‌ ଜାମ୍‌ର ମୁଖ୍ୟ କାରଣ। ଗାଡ଼ି ମୋଟର ସଂଖ୍ୟା ଅହେତୁକ ଭାବେ ବଢ଼ିଛି। ପ୍ରତ୍ୟେକ ଦିନ ରାଜଧାନୀକୁ ଶହଶହ ସଂଖ୍ୟାରେ ବାଇକ, କାର ଓ ଅଟୋ ଆସୁଛି। କିନ୍ତୁ ସେହି ପରିମାଣର ଟ୍ରାଫିକ୍ କର୍ମଚାରୀ ନାହାନ୍ତି। ତେଣୁ ଆମକୁ ଟେକ୍ନୋଲୋଜି ଉପରେ ଅଧିକ ନିର୍ଭର ହେବାକୁ ପଡ଼ିବ। ଏଥିପାଇଁ ସହରରରେ ସିସି କ୍ୟାମେରା ସଂଖ୍ୟା ଆହୁରି ବୃଦ୍ଧି କରିବାକୁ ପଡ଼ିବ। ଚଳିତ ବର୍ଷ ଏହା ଉପରେ ମଧ୍ୟ କମିସନରେଟ ପୁଲିସର ଫୋକସ ରହିବ। ରାଜଧାନୀରେ ଚେନ୍, ମୋବାଇଲ ଲୁଟ୍ ଓ ବାଇକ୍ ଚୋରି ଭଳି ଅପରାଧ ପ୍ରତ୍ୟେକ ଦିନ ଘଟୁଛି। ଏହା ଉପରେ କମିସନରେଟ ପୁଲିସ ସ୍ବତନ୍ତ୍ର ଟିମ୍ ନଜର ରଖିଛନ୍ତି। ଚଳିତ ବର୍ଷ କମିସନରେଟ ପୁଲିସ ୨୭ଶହ ମୋବାଇଲ ଅଭିଯୋଗକାରୀମାନଙ୍କୁ ଫେରାଇଛି। ତାହା ଏକ ରେକର୍ଡ। ବସ୍ତିକୁ ଚାଲ ଅଭିଯାନ ଓ ବରିଷ୍ଠ ନାଗରିକ, ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ କମିସନରେଟ ପୁଲିସ ପୂର୍ବବର୍ଷ ଭଳି ଚଳିତ ବର୍ଷ କାମ କରିବ ବୋଲି ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।