ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ଏକାମ୍ରରେ ବିରୋଧ

ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ବିନା ଫେରିଲେ ଦେବତୀର୍ଥ

ପୁରୁଣା ଭୁବନେଶ୍ବର: ଏକାମ୍ର କ୍ଷେତ୍ରରେ ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ଆଜି ଜୋର୍‌ଦାର୍‌ ବିରୋଧ କରାଯାଇଥିଲା। ଆଦିତ୍ୟ ବାହିନୀ ପକ୍ଷରୁ ଆୟୋଜିତ ହୋଇଥିବା ଏହି ବିରୋଧ ‌ଓ ଗଣମାଧ୍ୟମର ଘନଘନ ପ୍ରଶ୍ନବାଣରେ ଜର୍ଜରିତ ଅଧ୍ୟକ୍ଷାନନ୍ଦ ଦେବତୀର୍ଥ ଶେଷରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ନପାରି ଫେରିଥିଲେ। ଘଟଣାଟି ଆଜି ପୁରୁଣା ଭୁବନେଶ୍ବରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଅପରାହ୍ଣ ପ୍ରାୟ ୩ଟାରେ ଅଧକ୍ଷାନନ୍ଦ ଦେବତୀର୍ଥ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ। ତାଙ୍କ ସହିତ କିଛି ଶିଷ୍ୟ ବି ଥିଲେ। ରଥଗଡ଼ା ଛକରେ ତାଙ୍କ ଗାଡ଼ି ପହଞ୍ଚିବା ମାତ୍ରେ ଆରମ୍ଭ ହୋଇଥିଲା ହୋ-ହଲ୍ଲା। ଆଦିତ୍ୟ ବାହିନୀର ସଦସ୍ୟମାନେ ନକଲି ଶଙ୍କରାଚାର୍ଯ୍ୟ ଗୋ-ବ୍ୟାକ୍‌ ଗୋ-ବ୍ୟାକ୍‌ ଧ୍ବନି ଦେଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଦେବତୀର୍ଥ ଗାଡ଼ିରୁ ଓହ୍ଲାଇ ପାରିନଥିଲେ। ଏମିତିକି ତାଙ୍କ ସହ ଥିବା ଶିଷ୍ୟମାନେ ବି ଭୟରେ ଗାଡ଼ିରୁ ଓହ୍ଲାଇପାରି ନଥିଲେ। ତେବେ ଗଣମାଧ୍ୟମର ପ୍ରତିନିଧିମାନେ ଦେବତୀର୍ଥଙ୍କୁ ଘେରିଯାଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସେ କେଉଁଠୁ ଆସିଛନ୍ତି? ସେ କେଉଁ ମଠରେ ରହୁଛନ୍ତି? ସେ କିଭଳି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ହେ‌ଲେ? ତାଙ୍କୁ ଏହି ଉପାଧି କିଏ ଦେଲା? ଏମିତି ଗୁଡ଼େଇତୁଡ଼େଇ ପ୍ରଶ୍ନ କରିବା ଦ୍ବାରା ଦେବତୀର୍ଥ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ, ବରଂ ଏହା ରାସ୍ତା ଉପରେ ଅରାଜକତା ବୋଲି କହିଥିଲେ। ଶେଷରେ ବିମାନ ସମୟ ହୋଇଯିବା ବାହାନା କରି ସେ ସେହିଠାରୁ ହିଁ ଫେରିଯାଇଥିଲେ। ଲିଙ୍ଗରାଜ ମନ୍ଦିରକୁ ଯାଇ ପାରିନଥିଲେ।

ସୂଚନାଯୋଗ୍ୟ, ଆଜି ସକାଳେ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ବି ପୁରୀରେ ଜୋର୍‌ଦାର ବିରୋଧ କରାଯାଇଥିଲା। ନିଜକୁ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଦର୍ଶାଇ ସେ ସୁରକ୍ଷା ଯୋଗାଇ ଦେବାକୁ ରେଳବାଇ ପୁଲିସକୁ ଚିଠି ଲେଖିଥିଲେ। ଆଜି ସକାଳୁ ସେ ପୁରୀରେ ପହଁଚିବା ମାତ୍ରେ ରେଳଷ୍ଟେସନରେ ତାଙ୍କୁ ପ୍ରବଳ ବିରୋଧ କରିଥିଲେ ଆଦିତ୍ୟ ବାହିନୀର ସଦସ୍ୟମାନେ। ଫଳରେ ପୁରୀ ଷ୍ଟେସନରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ ଜିଆର୍‌ପି ଓ ପୁରୀ ପୁଲିସ ତାଙ୍କୁ କଡ଼ା ସୁରକ୍ଷା ବଳୟରେ ସହର ବାହାରେ ଥିବା ବେଲେଶ୍ୱର ଆଶ୍ରମକୁ ପଠାଇ ଦେଇଥିଲେ। ସେଠାରୁ ସେ ଭୁବନେଶ୍ବର ଫେରିଥିଲେ ଓ ଲିଙ୍ଗରାଜ ମନ୍ଦିରେ ବି ଅନୁରୂପ ବିରୋଧର ସମ୍ମୁଖୀନ ହୋଇ ଓଡ଼ିଶା ଛାଡ଼ିଛନ୍ତି। ସୂଚନାନୁସାରେ ଦେବତୀର୍ଥ ପୂର୍ବରୁ ନିଜକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ବୋଲି ଦାବି କରି ବିବାଦକୁ ଆସିଥିଲେ। ୧୯୯୬ରୁ ୨୦୦୦ ମସିହା ଭିତରେ ଏହି ବିବାଦ ଉଗ୍ରରୂପ ନେଇଥିଲା। ଶେଷରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା ଓ ପ୍ରଶାସନ ପକ୍ଷରୁ ତାଙ୍କ ପୁରୀ ପ୍ରବେଶ ଉପରେ କଟକଣା ଲାଗିଥିଲା। ଦୀର୍ଘ ବର୍ଷ ପରେ ସେ ପୁଣି ପୁରୀ ଫେରିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର