‘ସୁରଭି’ରେ ଛାୟା ବିଧାନସଭା, ବିରୋଧୀ, ଶାସକ ମୁହାଁମୁହିଁ

ଭୁବନେଶ୍ବର: ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ମନ୍ତ୍ରୀ, ବିଧାୟକ ଓ ବିରୋଧୀ ଏକାଠି ବସିଥିଲେ। ହଠାତ୍‌ ବିରୋଧୀଦଳ ନେତା ଓ ବିଧାୟକଙ୍କ ପ୍ରଶ୍ନବାଣରେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ଛନ୍ଦି ହୋଇପଡ଼ିଥିଲେ। ଏହାପରେ ଆରମ୍ଭ ହୋଇଥିଲା ମହାବିତର୍କ। ବାଚସ୍ପତି ଉଭୟ ଶାସକ ଓ ବିରୋଧୀ ଦଳକୁ ଗୃହରେ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ‘ସୁରଭି’ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବର ଦ୍ବିତୀୟ ଦିନରେ ଅନୁଷ୍ଠିତ ଛାୟା ବିଧାନସଭାରେ ଆଜି କିଛି ସମୟ ଲାଗି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ବିଧାନସଭାର ଭ୍ରମ ସୃଷ୍ଟି ହୋଇଥିଲା। ଏଥିରେ ରାଜ୍ୟପାଳ ଭୂମିକାରେ ଥିବା ପ୍ରତ୍ୟୁଷ ରଞ୍ଜନ ପାଢ଼ୀ ରାଜ୍ୟକୁ ଏକ ଶକ୍ତିଶାଳୀ ରାଜ୍ୟରେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ। ବାଚସ୍ପତି ଭୂମିକାରେ ଥିଲେ ଈଶା ବୈଶାଖୀ ଗିରି। ମୁଖ୍ୟମନ୍ତ୍ରୀ ଭୂମିକାରେ ଅବିନାଶ ମିଶ୍ର ସରକାରଙ୍କ କାର୍ଯ୍ୟକ୍ରମ ସ˚ପର୍କରେ ଅଭିଭାଷଣ ଦେଇଥିବା ବେଳେ ବିରୋଧୀ ଦଳ ନେତ୍ରୀ ଅପର୍ଣ୍ଣା ପ୍ରଧାନ ଓ ୧୧ଜଣ ବିରୋଧୀ ବିଧାୟକ ଆଲୋଚନାରେ ଅ˚ଶ ଗ୍ରହଣ କରିଥିଲେ। ସେହିପରି ଶାସକ ଦଳରୁ ୧୫ଜଣ ବିତର୍କରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ପ୍ରଦୀପ କୁମାର ଅମାତ ଯୋଗଦେଇ କହିଥିଲେ ଯେ, ଗଣତାନ୍ତ୍ରିକ ବିଧିବିଧାନ ସଂପର୍କରେ ଜାଣିବା ଲାଗି ଛାୟା ବିଧାନସଭା ସୁଯୋଗ ସୃଷ୍ଟି କରିଛି। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଓପେପା ନିର୍ଦ୍ଦେଶକ ଭୂପେନ୍ଦ୍ର ସି˚ ପୁନିଆ ଓ ଏସ୍‌ସିଇଆର‌୍‌ଟି ନିର୍ଦେଶକ ପ୍ରତାପ ଚନ୍ଦ୍ର ଦାସ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କର ନିଖୁଣ ଅଭିନୟକୁ ଉପଭୋଗ କରିଥିଲେ। ଏହି ଅବସରରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର