ଭୁବନେଶ୍ବର: ବସିଥିଲା ବିଧାନସଭା। ବାଚସ୍ପତିଙ୍କ ନିମନ୍ତ୍ରଣରେ ଗୃହକୁ ପ୍ରବେଶ କରିଥିଲେ ରାଜ୍ୟପାଳ। ରାଜ୍ୟପାଳଙ୍କୁ ବାଚସ୍ପତି ଓ ମାର୍ଶାଲ ପାଛୋଟି ଆଣିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆରମ୍ଭ ହୋଇଥିଲା ପ୍ରଶ୍ନୋତ୍ତର। ପ୍ରଶ୍ନୋତ୍ତର କାଳରେ ବିରୋଧୀ ଦଳ ପ୍ରଶ୍ନବାଣରେ ଶାସକ ଦଳକୁ ଘେରିଥିଲେ। ବାଲ୍ୟବିବାହ, ଶିଶୁ ଶ୍ରମିକ ଓ ଶିଶୁ ନିର୍ଯାତନା ପ୍ରସଙ୍ଗରେ ଶାସକଦଳକୁ ହରଡ଼ଘଣାରେ ପକାଇବା ସହ କୈଫିୟତ ମାଗିଥିଲେ।
ଶିଶୁ ସୁରକ୍ଷା ପାଇଁ କ’ଣ ବ୍ୟବସ୍ଥା କରିଛ, ବିଭାଗୀୟ ମନ୍ତ୍ରୀଙ୍କଠାରୁ ଉତ୍ତର ଲୋଡ଼ିଥିଲେ। ସେହିପରି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ କ’ଣ ସୁଧାର ଅଣାଯାଇଛି? କେତେ ସ୍କୁଲକୁ ସ୍ମାର୍ଟ ସ୍କୁଲ କରାଯାଇଛି? କେତେ ସ୍କୁଲ ରୂପାନ୍ତରଣ ହୋଇଛି ଓ ଆଉ କ’ଣ କ’ଣ ଯୋଜନା ହୋଇଛି ଆଦିର ସବିଶେଷ ବିବରଣୀ ବିଭାଗୀୟ ମନ୍ତ୍ରୀଙ୍କଠାରୁ ଲୋଡ଼ିଥିଲେ। ଖାଲି ସେତିକି ନୁହେଁ, ଶିଶୁ ଶ୍ରମ ନିରୋଧ ଆଇନ ମଧ୍ୟ ପାରିତ ହୋଇଥିଲା। ଶ୍ରମ ଓ ଇଏସ୍ଆଇ ମନ୍ତ୍ରୀ ଆଗତ କରିଥିବା ବିଲ୍ଟି ବହୁ ମତରେ ପାରିତ ହୋଇଥିଲା।
ବିଲ୍ ପାରିତ ସମୟରେ ଶାସକଦଳ ଟେବୁଲ ବାଡ଼େଇ ସ୍ବାଗତ କରିଥିଲେ। ରାଜ୍ୟପାଳ ଗୃହରେ ଅଭିଭାଷଣ ରଖିଥିବା ବେଳେ ୨୦୨୧-୨୨ ବଜେଟ୍ ବି ପାରିତ ହୋଇଥିଲା। ଶୋକ ପ୍ରସ୍ତାବ, ପ୍ରଶ୍ନକାଳ, ମୁଲତବୀ ପ୍ରସ୍ତାବ ଆଗତ କରଯାଇଥିଲା। ନୂଆ ବିଧାୟକ ଓ ବିଧାୟିକାଙ୍କୁ ରାଜ୍ୟପାଳ ଶପଥ ପାଠ ଗ୍ରହଣ କରାଇଥିଲେ। ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ବେଶରେ ଯୋଗଦେଇ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏପରି ପ୍ରଶ୍ନ, ଯୁକ୍ତି ଓ ଭାଷଣ ରଖିଥିଲେ ଯେ ତାହା ଅସଲ ବିଧାନସଭା ଅଧିବେଶନର ଭ୍ରମ ସୃଷ୍ଟି କରିଥିଲା।
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ୟୁନିସେଫ୍ର ମିଳିତ ପ୍ରୟାସରେ ଆଜି ଇନ୍ଦିରା ଗାନ୍ଧୀ ପାର୍କ ନିକଟ ପୁରୁଣା ବିଧାନସୌଧ ପରିସରରେ ଛାୟା ବିଧାନସଭା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ସ୍ୱର୍ଣ୍ଣପଦକପ୍ରାପ୍ତ ଭାରୋତ୍ତଳନକାରୀ କେ. ରବିକୁମାର, ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ପ୍ରମୁଖ ଯୋଗଦେଇ ବିଧାନସଭା ଉପରେ ପିଲାମାନଙ୍କୁ ବୁଝାଇଥିଲେ।
ସମ୍ମାନନୀୟ ଅତିଥି ଭାବେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ପିକକ୍ର ସମ୍ପାଦକ ରଞ୍ଜନ ମହାନ୍ତି, ଅନୁରାଧା ମହାନ୍ତି, ୟୁନିସେଫ୍ର ନେହା ନାଇଡୁ, ଆକ୍ସନ ଏଡ୍ର ଘାସିରାମ ପଣ୍ଡା, ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀ ପ୍ରମୁଖ ଉପସ୍ଥିତ ଥିଲେ। ଛାୟା ବିଧାନସଭାରେ ରାଜଧାନୀର ବିଭିନ୍ନ ସରକାରୀ ସ୍କୁଲ ସମେତ ସାଇ ଇଣ୍ଟରନ୍ୟାସନାଲ୍, କିସ୍ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।