ତାତିଲେ ବିରୋଧୀ, ବିଏମ୍‌ସି ଉପରେ ବର୍ଷିଲେ

ବିଜେପିର ବିକ୍ଷୋଭ, ପୁଲିସ ସହ ଧସ୍ତାଧସ୍ତି, କମିସନରଙ୍କୁ ଗିରଫ ଓ ୫୦ ଲକ୍ଷ କ୍ଷତିପୂରଣ ଦାବି

ଭୁବନେଶ୍ବର : ମୁକୁଳା ଡ୍ରେନ୍‌ରେ ଭାସି ବରମୁଣ୍ଡା ଢିପସାହିର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜା ମୃତ୍ୟୁ ମାମଲାରେ ସୋମବାର ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅଭାବନୀୟ ଘଟଣା ପାଇଁ ରାଜ୍ୟ ସରକାର ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଆୟୋଜିତ ହୋଇଥିବା ଏହି ଆନ୍ଦୋଳନରେ ବିଜେପିର ସବୁ ମୋର୍ଚ୍ଚାର କର୍ମୀମାନେ ସାମିଲ୍‌ ହୋଇଥିଲେ। ବିଏମ୍‌ସି କମିସନରଙ୍କୁ ଗିରଫ କରାଯିବା ସହ ମୃତ ଛାତ୍ରଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ବିଜେପି କର୍ମୀମାନେ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ହଙ୍ଗାମା କରିଥିଲେ। କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କଲାବେ‌ଳେ ପୁଲିସ ସହ ବିଜେପି କର୍ମୀମାନଙ୍କର ଧସ୍ତାଧସ୍ତି ହୋଇଥିଲା। ପୁଲିସ ଘଟଣାସ୍ଥଳରୁ କିଛି କର୍ମୀଙ୍କୁ ଗିରଫ କରିବା ସହ ପରେ ଛାଡ଼ିଥିଲା।

ବାବୁ ସିଂଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ବିଜେପି ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଆଦିର ଶତାଧିକ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ରାଜା ମୃତ୍ୟୁ ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଦାୟୀ ବୋଲି ଅଭିଯୋଗ କରି ନାରାବାଜି କରିଥିଲେ। ନବୀନ ସରକାରଙ୍କୁ ଭର୍ତ୍ସନା କରି ମହିଳା ମୋର୍ଚ୍ଚାର କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ମହିଳା କର୍ମୀମାନେ ଫାଟକ ଚଢ଼ି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ମହିଳା ପୁଲିସ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ୍‌ ହୋଇ ପଡ଼ିଥିଲା। ଯୁବ ମୋର୍ଚ୍ଚାର କର୍ମୀମାନେ ଫାଟକକୁ ଠେଲାପେଲା କରି ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ଯେତେ ଅଧିକ ବୁଝାସୁଝା କରୁଥିଲା, ବିକ୍ଷୋଭକାରୀମାନେ ସେ‌ତେ ଉଗ୍ର ହୋଇ ନାରାବାଜି କରୁଥିଲେ। ତେଣୁ ପୁଲିସ କିଛି କର୍ମୀଙ୍କୁ ଗିରଫ କରି ବହୁ କଷ୍ଟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ବାବୁ ସିଂଙ୍କ ଅଭିଯୋଗ ଅନୁସାରେ ମୁକୁଳା ଡ୍ରେନ୍ ଯୋଗୁଁ ରାଜଧାନୀରେ ବାରମ୍ବାର ଏଭଳି ଅଘଟଣ ଘଟୁଛି। ଗତ ୬ ବର୍ଷ ଭିତରେ ୭ ଜଣ ମୁକୁଳା ଡ୍ରେନ୍‌ରେ ଭାସି ଯାଇ ପ୍ରାଣ ହରାଇଲେଣି। ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ବିଏମ୍‌ସିକୁ ୧ ହଜାର କୋଟି ଟଙ୍କା ଅନୁଦାନ ଦେଇଥିଲେ। ଏହି ଅନୁଦାନ କେବଳ ଡ୍ରେନ୍‌ ସମସ୍ୟା ସମାଧାନ କରିବାକୁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଇଥିଲା। ସେ ଟଙ୍କା କୁଆଡ଼େ ଗଲା ବୋଲି ଶ୍ରୀ ସିଂ ପ୍ରଶ୍ନ କରିଥିଲେ। ଏହି ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଇରାନୀ ରାୟ, ସୁନୀଲ ପ୍ରଧାନ, ମନୋଜ ପଶ୍ଚିମକବାଟ, ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଶେଖର ଛୋଟରାୟ, ରଶ୍ମିରଞ୍ଜନ ମୁଦୁଲି, ତାପସ ଦଳାଇ, ବିଭାସ ସେନଗୁପ୍ତା, ମାନସୀ ରାୟ, ସୁମିତ୍ରା ଆଚାର୍ଯ୍ୟ, ଅଭିଷେକ ନାୟକ, ସବିତା ପଟ୍ଟନାୟକ, ଲିପ୍ସା ଦାସ, ପ୍ରତୀକ୍ଷା ମହାପାତ୍ର ପ୍ରମୁଖ ସାମିଲ୍‌ ହୋଇଥିଲେ।

ବିଏମ୍‌ସି ଓ ସ୍ବେରେଜ୍ ବୋର୍ଡ ବି‌ରୋଧରେ କଂଗ୍ରେସର ଏତଲା
ଏମ୍ସରେ ଆମ୍ବୁଲାନ୍ସ ଆଗରେ ବସିଲେ କଂଗ୍ରେସ ନେତ୍ରୀ
ଭୁବନେଶ୍ବର : ଶତାବ୍ଦୀ ନଗରରେ ଏକ ଖୋଲା ଡ୍ରେନ୍‌ରେ ଜଣେ ୧୫ବର୍ଷର ଛାତ୍ର ଭାସିଯିବା ଓ ଆଜି ତାହାର ମୃତଦେହ ମିଳିବା ଘଟଣାରେ ବିଏମ୍‌ସି ଓ ସ୍ବେରେଜ୍ ବୋର୍ଡର ଦାୟିତ୍ବହୀନତା ବିରୋଧରେ ଏତଲା ଦେଇଛି ଭୁବନେଶ୍ବର ଜିଲ୍ଲା କଂଗ୍ରେସ। ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧିଦଳ ଡିସିପିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ କରିବା ସହିତ ଦୋଷୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି।

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ କହିଛନ୍ତି, ଭୁବନେଶ୍ବରକୁ ସ୍ମାର୍ଟ ସିଟି ଘୋଷଣା କରାଯାଇଛି। ମାତ୍ର ସ୍ମାର୍ଟ ସିଟି ନାଁରେ ବିଭିନ୍ନ ସରକାରୀ ସଂସ୍ଥା ନିମ୍ନମାନର କାମ କରି ଅସାଧୁ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି। ଗତ ୬ବର୍ଷରେ ଏଭଳି ବହୁ ଅଘଟଣ ଘଟିସାରିଛି। ମାତ୍ର ବିଏମ୍‌ସି ଓ ସ୍ବେରେଜ୍ ‌ବୋର୍ଡ ଚୁପ୍ ବସିଛି। ଜିଲ୍ଲା କଂଗ୍ରେସ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଖୋଲା ଡ୍ରେନ୍‌ର ତୁରନ୍ତ ମରାମତି ଦାବି କରିଛନ୍ତି।

ପ୍ରଦେଶ କଂଗ୍ରେସର ଉପସଭାପତି ଶିବାନନ୍ଦ ରାୟ କହିଛନ୍ତି ସ୍ମାର୍ଟ ସିଟି ନର୍ସ ଅନୁଯାୟୀ ସମସ୍ତ ଡ୍ରେନ୍ କଭର ହେବା ଦରକାର। ମାତ୍ର ଭୁବନେଶ୍ବରରେ ୫୦ ପ୍ରତିଶତରୁ ଅଧିକ ଡ୍ରେନ୍ ଖୋଲା ପଡ଼ିଛି ଓ କିଛି ଅସଂପୂର୍ଣ୍ଣ ହୋଇ ରହିଛି। ବିଏମ୍‌ସି ଓ ସ୍ବେରେଜ୍ ବୋର୍ଡର ଅବହେଳା ଓ ଦାୟିତ୍ବହୀନତା ପାଇଁ ନିରୀହ ପିଲା ଜୀବନ ଚାଲିଯାଇଛି ବୋଲି କହିଛନ୍ତି। ପ୍ରତିନିଧିଦଳରେ ସୁବ୍ରତ ମହାପାତ୍ର, ରଶ୍ମି ମହାପାତ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, ସେକ୍ ଅଫତାବ ଅଲ୍ଲୀ, ସଂଜୀବ ମହାନ୍ତି, ଦେବରାଜ ମହାନ୍ତି, ଶ୍ରୀଧର ବଳିୟାରସିଂହ, କୁସୁମ ପ୍ରଧାନ, ସୁଭଦ୍ରା ମିଶ୍ର, ମନୋଜ ସାହୁ, ସୁବ୍ରତ ସେନାପତି, ଶୁଭ୍ରଜ୍ୟୋତି ଲେଙ୍କା, ସେକ ନିୟାଜୁଲ ଇସଲାମ ଓ ଦେବଦତ୍ତ ରାୟ ପ୍ରମୁଖ ରହିଥିଲେ। ଅନ୍ୟପକ୍ଷରେ ଆଜି ଏମ୍ସରେ ରାଜାର ଶବକୁ ଘରକୁ ନେବା ଲାଗି ପୁଲିସ ଉଦ୍ୟମ କଲାବେଳେ ରାଜା ମୃତ୍ୟୁ ପାଇଁ ଦାୟୀ ବିଏମ୍‌ସି ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ ନେତୃତ୍ବରେ କିଛି କର୍ମୀ ଅମ୍ବୁଲାନ୍ସ ଆଗରେ ଧାରଣା ଦେଇଥିଲେ।

ସମ୍ବନ୍ଧିତ ଖବର