ବିଏମ୍‌ସିର ଫାଇନ୍ ଆଦାୟକୁ ବିରୋଧ : ରାସ୍ତାରୋକ କଲେ ବ୍ୟବସାୟୀ

ଭୁବନେଶ୍ବର : ବିଏମ୍‌ସିର ଚଢ଼ଉକୁ ବିରୋଧ କରି ଆଜି ବ୍ୟବସାୟୀ ରାସ୍ତାକୁ ଓହ୍ଲାଇଛନ୍ତି। ବିଏମ୍‌ସି ପକ୍ଷରୁ ଆଜି ସଂଧ୍ୟାରେ ରସୁଲଗଡ଼ ଛକରେ ଯାଞ୍ଚ ସମୟରେ ବିଭିନ୍ନ ଦୋକାନରୁ ପଲିଥିନ୍ ଓ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀ ବାହାରିବାରୁ ଦୋକାନୀଙ୍କୁ ଜରିମାନା କରାଯାଇଛି। ଛୋଟଛୋଟ ଦୋକାନୀଙ୍କୁ ଦୁଇରୁ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରିଥିବାରୁ ବ୍ୟବସାୟୀମାନେ ରସୁଲଗଡ଼ ଛକରେ ଜାତୀୟ ରାଜପଥ ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ବିଏମ୍‌ସିର ଉତ୍ତର ଜୋନ୍ ସ୍କ୍ବାଡ୍‌ ରସୁଲଗଡ଼ ଛକରେ ଡଷ୍ଟବିନ୍‌ ଓ ପ୍ଲାଷ୍ଟିକ, ପଲିଥିନ୍ ଚେକିଂ କରୁଥିଲା। ଏଥିରେ ପାନ ଦୋକାନ, ଷ୍ଟେସନାରି ଦୋକାନ, ତେଜରାତି ଦୋକାନରୁ ପଲିଥିନ୍ ଓ ନିଷେଧ ପ୍ଲାଷ୍ଟିକ ସାମଗ୍ରୀ ବାହାରିଥିଲା। ଏହାପରେ ସ୍କ୍ବାଡ୍‌ ପ୍ରାୟ ୧୦ଟି ଦୋକାନ ଉପରେ ଜରିମାନା କରିଥିଲା। ଏହାକୁ ବିରୋଧ କରି ଉତ୍ତ୍ୟକ୍ତ ବ୍ୟବସାୟୀମାନେ ରାସ୍ତାରୋକ କରିଥିଲେ। ପ୍ରାୟ ୧୫ ମିନିଟ କାଳ ରାସ୍ତାରୋକ ହେବା ପରେ ପୁଲିସ ଘଟଣାରେ ହସ୍ତକ୍ଷେପ କରି ରାସ୍ତାରୋକ ହଟାଇଥିଲା।

ବ୍ୟବସାୟୀମାନଙ୍କ ଯୁକ୍ତି ଥିଲା ଯେ ବିଏମ୍‌ସି ନିଷେଧ ହୋଇଥିବା ପଲିଥିନ୍ ଫ୍ୟାକ୍ଟ୍ରି ଓ ଗୋଦାମ ଉପରେ ଚଢ଼ଉ କରୁନି। ସେମାନେ ବିକୁଛନ୍ତି ବୋଲି ଆମେ କିଣୁଛୁ। ଏପଟେ ଆମେ ବିକିଲେ ଆମଠୁ ଜରିମାନା ଆଦାୟ କରୁଛି। ଗ୍ରାହକ ୧୦ ଟଙ୍କାର ଜିନିଷ କିଣିଲେ ବି ପଲିଥିନ୍ ମାଗୁଛନ୍ତି। ଛୋଟ କପଡ଼ା ବ୍ୟାଗ୍‌ ଦାମ୍‌ ୨ରୁ ୩ଟଙ୍କା ପଡ଼ୁଥିବାରୁ ଆମେ କପଡ଼ା ବ୍ୟାଗ୍ ଦେବା ସମ୍ଭବ ନୁହେଁ। ତେଣୁ ଶସ୍ତାରେ ମିଳୁଥିବା ପଲିଥିନ୍ କିଣୁଛୁ। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ଆମ ଉପରେ ଜରିମାନା ଲଗାଉଛନ୍ତି। ଆମେ କୌଣସି ପରିସ୍ଥିତିରେ ବି ଜରିମାନା ଦେବୁନି।

ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ବିଏମ୍‌ସି ପକ୍ଷରୁ ନିୟମ ହୋଇଛି ଯେରାଜଧାନୀରେ ସବୁ ଦୋକାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ଦୋକାନ ଆଗରେ ଦୁଇଟି ଡଷ୍ଟବିନ୍ ରଖିବେ। ଯିଏ ନରଖିବେ, ଜରିମାନା ଆଦାୟ ହେବ। ଏହାସହ କେହି ନିଷେଧ ପ୍ଲାଷ୍ଟିକ୍ ଓ ପଲିଥିନ୍ ବିକି ପାରିବେନି। ଦୁଇ ଦିନ ହେଲା ଏନେଇ ଚଢ଼ଉ ହେଉଛି। ରସୁଲଗଡ଼ ଛକରେ ନିୟମ ଅନୁଯାୟୀ ଚଢ଼ଉ ହୋଇଥିଲା। ଯେଉଁମାନେ ନିୟମ ମାନି ନଥିଲେ, ତାଙ୍କୁ ଜରିମାନା କରାଯାଇଛି। ଆଜି ଯେଉଁମାନଙ୍କୁ ଜରିମାନା ହୋଇଛି ସେମାନେ ଜରିମାନା ଦେବେ। ନଚେତ୍ ଦୋକାନ ସିଲ୍‌ କରାଯିବ।

୧୩୫୦ ଦୋକାନରୁ ୧.୧୯ ଲକ୍ଷ ଜରିମାନା ଆଦାୟ
ଭୁବନେଶ୍ବର : ଦୋକାନ ସମ୍ମୁଖରେ ଦୁଇଟି ଡଷ୍ଟବିନ୍ ନରଖିବା ଏବଂ ପଲିଥିନ୍ ଓ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ବିଏମ୍‌ସି ଆଜି ଜୋରଦାର ଚଢ଼ଉ କରିଛି। ତିନିଟି ଜୋନ୍‌ର ସ୍କ୍ବାଡ୍‌ ୧୩୫୦ଟି ଦୋକାନ ଉପରେ ଚଢ଼ଉ କରି ୧ଲକ୍ଷ ୧୯ହଜାର ୯୦୦ଟଙ୍କା ଜରିମାନା ଆଦାୟ କରିଛି। ଏହାସହ ଦୁଇଟି ଦୋକାନ ସିଲ୍‌ କରିଛି। ସୂଚନାଯୋଗ୍ୟ ଯେ ସୋମବାର ୬୨୦ଟି ଦୋକାନରୁ ୪୧,୭୫୦ଟଙ୍କା ଜରିମାନା ଆଦାୟ ହୋଇଛି।

ସମ୍ବନ୍ଧିତ ଖବର