ବାଲିପାଟଣା: ବାଲିପାଟଣା ବ୍ଲକ ଅନ୍ତର୍ଗତ ଆଳିଶି ଶାସନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣକୁ ସ୍ଥାନୀୟ ଜନସାଧାରଣ ତୀବ୍ର ବିରୋଧ କରିଛନ୍ତି। ଆଜି ଶତାଧିକ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନ କରି ପ୍ରଶାସନର ମନମୁଖୀ କାର୍ଯ୍ୟର ଦୃଢ଼ ବିରୋଧ କରିଛନ୍ତି। ଧାନୁଆ ନଈର ଉଭୟ ପାର୍ଶ୍ୱରେ ଥିବା ୭ଟି ଗ୍ରାମକୁ ନେଇ ଆଳିଶି ପଞ୍ଚାୟତ ଗଠିତ ହୋଇଛି। ଧନୁଆ ନଈର ଆଳିଶି ପାଶ୍ୱର୍ରେ ୫ଟି ଗ୍ରାମ ରହିଛି। ଅପର ପାର୍ଶ୍ୱରେ ମାତ୍ର ୨ ଗୋଟି ଗ୍ରାମ ରହିଥିବା ବେଳେ ସେହି ପାର୍ଶ୍ୱରେ ପଞ୍ଚାୟତ ଗୃହ ନିର୍ମାଣ ଯଥାର୍ଥ ନୁହେଁ ବୋଲି ଆନ୍ଦୋଳନକାରୀ କହିଛନ୍ତି।

Advertisment

ସ୍ଥାନୀୟ ତହସିଲ ତରଫରୁ ଆଳିଶି ଶାସନ ଠାରେ ଜାଗା ନିରୁପଣ କରାଯାଇ ଏକ ଏକରରୁ ଅଧିକ ଜମି ଚିହ୍ନଟ କରାଯାଇଛି। ଅଥଚ ଭଇରିପୁର ଠାରେ କାର୍ଯ୍ୟାଳୟ ନିର୍ମାଣ ହେବାରୁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଆଳିଶି ଶାସନ ସରପଞ୍ଚ ସୁଶାନ୍ତ ବଳିଆଙ୍କ ସୂଚନା ଅନୁସାରେ ପଞ୍ଚାୟତ ଗୃହ ନିର୍ମାଣ ସମ୍ପର୍କରେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଥିଲା। ଭଇରିପୁରରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଲାଗି ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସରକାର ଓ ବ୍ଲକ ପ୍ରଶାସନର ନିଷ୍ପତ୍ତି କ୍ରମେ ଭଇରିପୁରରେ ପଞ୍ଚାୟତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।