ବିନା ଥଇଥାନରେ ସୁବାସନଗର ବସ୍ତିରେ ଘରଭଙ୍ଗାକୁ ବିରୋଧ

ଛିଡ଼ା ହେଲେ ବସ୍ତିବାସିନ୍ଦା, ସ୍ଥଗିତ ରହିଲା ଉଚ୍ଛେଦ

ଖଣ୍ଡଗିରି : ବିନା ଥଇଥାନରେ ସୋମବାର ସୁବାସନଗର ବସ୍ତିର ୧୮ଟି ପରିବାରର ଘର ଭାଙ୍ଗିବାକୁ ଆସିଥିବା ଉଚ୍ଛେଦ ଟିମ୍‌କୁ ଫେରାଇ ଦେଇଛନ୍ତି ବସ୍ତି ବାସିନ୍ଦା। ୨୦୦୮ ମସିହାରେ କରାଯାଇ ଥିବା ସର୍ଭେରେ ଏହି ପରିବାର ସାମିଲ ରହିଛନ୍ତି, ତେଣୁ ସେମାନଙ୍କୁ ପ୍ରଥମେ ଥଇଥାନ କର; ପରେ ଜେସିବି ଚଲାଇବ ବୋଲି ଲୋକେ ଯୁକ୍ତି ବାଢ଼ିବାରୁ ଉଚ୍ଛେଦ ପାଇଁ ଆସିଥିବା ବିଡିଏ, ବିଏମ୍‌ସି ଅଧିକାରୀମାନେ ଉଚ୍ଛେଦ ନକରି ଫେରି ଯାଇଛନ୍ତି।

ଲକ୍‌ଡାଉନ୍‌ରେ ରୋଜଗାର ବନ୍ଦ ପଡ଼ିଛି, ଏଭଳି ସ୍ଥିତିରେ ବିଡିଏ ପକ୍ଷରୁ ଉଚ୍ଛେଦ ଘୋଷଣା ଖଣ୍ଡିଗିରି ଥାନା ଅନ୍ତର୍ଗତ ସୁବାସନଗର ବସ୍ତିର ୧୮ ପରିବାର ଚିନ୍ତା ବଢାଇ ଦେଇଛି। ଉଚ୍ଛେଦ ହେଉଥିବା ସୁମିତ୍ରା ସାହୁ କହିଛନ୍ତି, ୧୯୯୯ ମସିହାରୁ ଏହି ବସ୍ତିରେ ରହୁଛନ୍ତି। ସିଲେଇ କରି ଜୀବିକା ନିର୍ବାହ କରୁଛନ୍ତି, ଉଚ୍ଛେଦ କରାଯାଉଥିବା ୧୮ଟି ପରିବାର ମଧ୍ୟରୁ ସମସ୍ତେ ଦିନମଜୁରିଆ ଶ୍ରେଣୀର। ଆମ ଘର ଭାଙ୍ଗିଦେଲେ ଆମେ ରହିବୁ କେଉଁଠି? ବଞ୍ଚିବୁ କେମିତି?

ବର୍ତ୍ତମାନ ହାଉସିଂ ବୋର୍ଡ ପକ୍ଷରୁ ଏଠାରେ ନିର୍ମାଣ କାର୍ଯ୍ୟ ପାଇଁ ଉଚ୍ଛେଦ କରାଯାଉଥିବା ବିଡିଏ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ୨ ବର୍ଷ ହେଲା ଏହି ପରିବାରଙ୍କୁ ଉଚ୍ଛେଦ ପାଇଁ ନୋଟିସ କରାଯାଉଛି। ଦୁଇ ଦିନ ପୂର୍ବରୁ ଏଥିପାଇଁ ମାଇକ୍‌ରେ ଘୋଷଣା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସୋମବାର ସକାଳ ପ୍ରାୟ ୯ଟାରେ ସୁବାସନଗର ବସ୍ତିରେ ରହୁଥିବା ଅନ୍ୟ ସମସ୍ତ ପରିବାରର ମହିଳା, ପୁରୁଷ ପ୍ରସ୍ତାବିତ ଉଚ୍ଛେଦସ୍ଥଳରେ ପହଞ୍ଚି ମିଳିତ ଭାବରେ ପ୍ରତିବାଦ ସଭା କରିଥିଲେ। ଏଥିରେ ବସ୍ତି ବାସିନ୍ଦା ମହାସଂଘର ପ୍ରମିଳାଙ୍କ ସମେତ ପୁଷ୍କର ସୁବୁଦ୍ଧି, ରବୀନ୍ଦ୍ର ନାଏକ, ବିଚିତ୍ର ପାତ୍ର, ପ୍ରଭାତୀ ତ୍ରିପାଠୀ, ଲକ୍ଷ୍ମୀପ୍ରିୟା ସାହୁ, ଗୁଡ଼ିଆ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବସ୍ତି ବାସିନ୍ଦା ମିଳିତ ଭ‌ାବେ କହିଥିଲେ ଯେ ୨୦୦୮ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ରାଜୀବ ଆବାସ ଯୋଜନା(ରେ) ସର୍ଭେ ଅନୁସାରେ ଦେଶର ୧୦୦ଟି ସହରକୁ ବସ୍ତିମୁକ୍ତ କରାଯିବ। ଏଥିରେ ଭୁବନେଶ୍ବର ମଧ୍ୟ ରହିଛି। ତେଣୁ ଆଜି ପର୍ଯ୍ୟନ୍ତ କାହିଁକି ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ‌ସେମାନେ ପ୍ରଶ୍ନ କରିଥିଲେ। ବର୍ତ୍ତମାନର ସରକାର ମଧ୍ୟ ବସ୍ତିମୁକ୍ତ ଭୁବନେଶ୍ବର ଅଭିଯାନ ଆରମ୍ଭ କରିଛନ୍ତି, ତେଣୁ ବିନା ଥଇଥାନରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ବାସଚ୍ୟୁତ କରାଯିବାକୁ ସେମାନେ ବିରୋଧ କରିଥିଲେ।

ଏହାପରେ ଦିନ ପ୍ରାୟ ୧.୩୦ରେ ବିଡିଏ, ବିଏମସି ଅଧିକାରୀ ଜେସିବି ଏବଂ ପୁଲିସ ଫୋର୍ସ ସହିତ ସେଠାରେ ପହଞ୍ଚିଥିଲେ। ମାତ୍ର ସେମାନେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବସ୍ତିବାସିନ୍ଦାଙ୍କ ଦ୍ବାରା ବିରୋଧର ସମ୍ମୁଖୀନ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ଲୋକଙ୍କ ବିରୋଧ ଆଗରେ ଉଚ୍ଛେଦ ଟିମ୍ ମୁଣ୍ଡା ନୁଆଁଇ ଫେରି ଯାଇଥି‌ଲେ। ଏ ନେଇ ବିଡିଏ ଅଧିକାରୀ ପ୍ରମୋଦ ପାତ୍ର କହିଛନ୍ତି, ବସ୍ତି ବାସିନ୍ଦାଙ୍କ ପକ୍ଷରୁ ‘ରେ ସର୍ଭେ’ ରେ ସାମିଲ ଥିବା ୧୮ ପରିବାରର ତାଲିକା ଦିଆଯାଇଛି। ଏହାର ଯାଞ୍ଚ ପାଇଁ ବିଏମ୍‌ସି କାର୍ଯ୍ୟାଳୟକୁ ପଠାଯାଇଛି। ସବୁ ଠିକ୍‌ ଥିଲେ ପ୍ରଥମେ ଥଇଥାନ କରାଯିବ; ପରେ ଉଚ୍ଛେଦ କରାଯିବ।

ସମ୍ବନ୍ଧିତ ଖବର