ଭୁବନେଶ୍ୱର: ଭୁବନେଶ୍ୱର ତହସିଲ ନୂଆଗାଁ ମୌଜାସ୍ଥିତ ଶ୍ରୀଲିଙ୍ଗରାଜଙ୍କ କୁଡ଼ୁଆ ସେବା ପାଇଁ ଉଦ୍ଦିଷ୍ଟ ନିଷ୍କର ଜମି ବିକ୍ରିକୁ ବିରୋଧ କରି ଆଜି ଏକାମ୍ର ଜାଗରଣ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଚଞ୍ଚକତା କରି ଏହି ଜମି ବିକୁଥିବା ମାଫିଆ ଓ କ୍ରେତାଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଞ୍ଚ ଦାବି କରିଛି।
ସୂଚନାନୁସାରେ ଏହି ଜମିଗୁଡ଼ିକୁ କିଛି ସେବାୟତ ଚଞ୍ଚକତାପୂର୍ବକ ମାଲିକାନା ଓ କିସମ ପରିବର୍ତ୍ତନ କରି ବିକିବେ ବୋଲି ଗତବର୍ଷ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲେ। କିନ୍ତୁ ଏହା ମନ୍ଦିର ପ୍ରଶାସନ ନଜରକୁ ଆସିବା ପରେ ଉପଜିଲ୍ଲାପାଳଙ୍କ ଜରିଆରେ ଅଦାଲତରେ ମାମଲା ଦାୟର ହୋଇଥିଲା। ଅଦାଲତ ଏହି ମାମଲାର ଶୁଣାଣି କରି ମହାପ୍ରଭୁଙ୍କ ଜମିର ମାଲିକାନା ପରିବର୍ତ୍ତନ କିମ୍ବା ବିକ୍ରି ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅଦାଲତକୁ ଅବମାନନା କରି କିଛି ବ୍ୟକ୍ତି ଏବେ ପ୍ଲଟିଂ କରି କୁଡ଼ୁଆ ସେବା ଜମି ବିକ୍ରି କରୁଛନ୍ତି। ତେଣୁ ଏହାକୁ ରୋକିବା ପାଇଁ ସଭାପତି ଭୀଷ୍ମ ନାରାୟଣ ନାୟକ, ଅଶୋକ ବଡ଼ପଣ୍ଡା, ସରୋଜ ମିଶ୍ର, ଗୋପୀନାଥ ପ୍ରଧାନ, ବ୍ରଜରାଜ ପଣ୍ଡା, ସୌମ୍ୟରଞ୍ଜନ ପଣ୍ଡା, ନିରଞ୍ଜନ ରାଉତ, ଦିଲ୍ଲୀପ ସୁବୁଦ୍ଧି, ବିନୋଦିନୀ ସେନାପତି ଓ ସଞ୍ଜୁଲତା ପଟ୍ଟନାୟକ ପ୍ରମୁଖ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।