ଶାନ୍ତିସ୍ତୂପ ଉପରେ ଜୋତା ଷ୍ଟାଣ୍ଡ ନିର୍ମାଣକୁ ବିରୋଧ

ଧଉଳି: ଧଉଳି ଶାନ୍ତିସ୍ତୂପ ଉପରେ ପର୍ଯ୍ୟଟକମାନଙ୍କ ଲାଗି ଜୋତାଷ୍ଟାଣ୍ଡ ଗୃହ ନିର୍ମାଣକୁ ନେଇ ଅସନ୍ତୋଷର ସ୍ବର ତୀବ୍ର ହେବାରେ ଲାଗିଛି। ଶାନ୍ତସ୍ତୂପ ପରିଚାଳନା ଦାୟିତ୍ବରେ ଥିବା ଖୋଦ୍‌ କଳିଙ୍ଗ ନିପନ ବୁଦ୍ଧ ସଂଘ ସମର୍ଥିତ ଗୋଷ୍ଠୀ ପକ୍ଷରୁ ଏକ ଘର ନିର୍ମାଣ କାମ ଚାଲିଛି। କିନ୍ତୁ ପର୍ଯ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ କିମ୍ବା ଡିଡିସି ପକ୍ଷରୁ ଏ ନେଇ ସଂଘକୁ ଅନୁମତି ପ୍ରଦାନ କରାଯାଇନାହିଁ। ଏହି ଷ୍ଟାଣ୍ଡ ନିର୍ମାଣ ଦ୍ବାରା ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ଅଭିଯୋଗ ହେଉଥିବା ସତ୍ତ୍ବେ କଳିଙ୍ଗ ନିପନ ବୁଦ୍ଧ ସଂଘ ଗୋଷ୍ଠୀ ମନମାନୀ କରୁଥିବା ଆଲୋଚନା ହେଉଛି।

କଳିଙ୍ଗ ନିପନ ସଂଘ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଶାନ୍ତିସ୍ତୂପରେ ଜୋତା ରଖିବାକୁ ସଂରକ୍ଷିତ ସ୍ଥାନ ନାହିଁ। ତେଣୁ ପର୍ଯ୍ୟଟକମାନେ ଯୋତା, ଚପଲ, ବେଲ୍‌ଟ ରଖିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପର୍ଯ୍ୟଟକମାନେ ବାହାରେ ଜୋତା ରଖି ଶାନ୍ତିସ୍ତୂପ ଉପରକୁ ଯାଉଛନ୍ତି। ଖୋଲାମେଲାରେ ଏକାଠି ଜୋତା ରଖିବା ଦ୍ବାରା ବହୁ ସମୟରେ ବଦଳ ହୋଇଯାଉଛି। ଏମିତିକି ଅନେକ ସମୟରେ ଚୋରି ହେଉଛି। ଧଉଳି ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ବହୁ ହୀନସ୍ତା ହେଉଛନ୍ତି। ତେଣୁ ପର୍ଯ୍ୟଟକମାନଙ୍କ ସୁବିଧା ଦୃଷ୍ଟିରୁ ଜୋତାଷ୍ଟାଣ୍ଡ ନିର୍ମାଣ ନିତାନ୍ତ ଜରୁରୀ। ଏବେ ଗୃହ ନିର୍ମାଣ କାର୍ଯ୍ୟ ଏବେ ଅଧାରେ ପହଞ୍ଚିଛି। ସେହିଭଳି ଏହି ଘର ନିର୍ମାଣ ଆରମ୍ଭରୁ ପର୍ଯ୍ୟଟନ ବିଭାଗ, ଡିଡିସି ଓ ସ୍ଥାନୀୟ ପଞ୍ଚାୟତ ଜନପ୍ରତିନିଧି କେହି ଜଣେ ବି ବିରୋଧ କରିନଥିଲେ। ହେଲେ ଏବେ ଘର କାମ ଅଧାରେ ପହଞ୍ଚିବା ପରେ ବିରୋଧ କରାଯାଉଛି ବୋଲି ସଂଘର ଉନ୍ନୟନ ସଂଯୋଜକ ରବି ମହାରଣା କହିଛନ୍ତି। ଜୋତାଷ୍ଟାଣ୍ଡରୁ ଲବ୍‌ଧ ଅର୍ଥ ସ୍ତୂପର ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ ହେବ ବୋଲି କଳିଙ୍ଗ ନିପନ ବୁଦ୍ଧ ସଂଘ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, ଗତକାଲି ଫନି କ୍ଷତିଗ୍ରସ୍ତ ଶାନ୍ତିସ୍ତୂପର ଫାଟ ମରାମତି ସମୀକ୍ଷା କରିବାକୁ ଆସିଥିବାବେଳେ ଏଡିଏମ୍‌ ପ୍ରଫୁଲ କୁମାର ସ୍ବାଇଁ ସମସ୍ତଙ୍କ ଉପସ୍ଥିତିରେ ସାମୟିକଭାବେ ଉକ୍ତ ଘର କାମ ବନ୍ଦ ରଖିବା ପାଇଁ ଶ୍ରୀ ମହାରଣାଙ୍କୁ କହିଥିଲେ। ସେହିଭଳି ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ମଧ୍ୟ ଏହି କାମକୁ ସ୍ଥଗିତ ରଖିବାକୁ କହିଥିଲେ।

ସମ୍ବନ୍ଧିତ ଖବର