ସାମାଜିକ କାର୍ଯ୍ୟକ୍ରମ ପାଇଁ ଜାରି ନିର୍ଦ୍ଦେଶନାମାକୁ ବିରୋଧ: ବିଏମ୍‌ସି କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ

ଭୁବନେଶ୍ବର: ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ପାଳନ ନିମନ୍ତେ ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶନାମାକୁ ବିରୋଧ କରି ଆଜି ଭୁବନେଶ୍ବରର ସମସ୍ତ ଟେଣ୍ଟ ହାଉସ୍, କ୍ୟାଟରିଂ, ପୁଷ୍ପସଜା, ଲାଇଟ ଓ ସାଉଣ୍ଡ ମିଳିତ ସଂଘ ପକ୍ଷରୁ ବିଏମସି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ଆଜି ପୂର୍ବାହ୍ନରେ ମିଳିତ ସଂଘ ପକ୍ଷରୁ ବିଏମସିର ଦୁଇଟି ଫାଟକ ବନ୍ଦ କରି ଆନ୍ଦୋଳନ କରାଯାଇଥିଲା। ଫଳରେ ବିଏମ୍‌ସି ଅଫିସ ଭିତରକୁ କେହି ପ୍ରବେଶ କରି ପାରି ନଥିଲେ। ପରେ ପୁଲିସ ବୁଝାଶୁଝା କରି ଗୋଟିଏ ଗେଟ୍‌କୁ ଖୋଲିଥିଲା। ମାତ୍ର ଏକ ଗେଟ୍‌ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରହିଥିଲା।

ମିଳିତ ସଂଘ ପକ୍ଷରୁ ଜଗନ କୁମାର ଜେନା କହିଥିଲେ ଯେ କରୋନା ଯୋଗୁଁ ଦୀର୍ଘ ଦିନ ଧରି ସରକାରୀ ଗାଇଡଲାଇନ୍‌ ଅନୁଯାୟୀ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଆଦି ସାମାଜିକ କାର୍ଯ୍ୟକ୍ରମ ସୀମିତ ଲୋକଙ୍କୁ ନେଇ ହୋଇଥିଲା। ସେଥିଯୋଗୁଁ ସଂପୂର୍ଣ୍ଣ ଭାବରେ ସେମାନଙ୍କର ବ୍ୟବସାୟ ବନ୍ଦ ହୋଇଯାଇଛି। ଏହି ବ୍ୟବସାୟ ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜଡ଼ିତ ଓଡ଼ିଶାର ପ୍ରାୟ ୪ଲକ୍ଷ ଲୋକଙ୍କର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡ଼ିଛି। କିନ୍ତୁ ଗତ ୪ ତାରିଖରେ ଜାରି କରାଯାଇଥିବା ନିୟମରେ ସମାଜିକ କାର୍ଯ୍ୟକ୍ରମରେ କେବଳ ୫୦ ଜଣ ଲୋକ ଉପସ୍ଥିତ ରହିପାରିବେ। ଆଗକୁ ପାର୍ବଣ ସହ ବିବାହ ଋତୁ ଆସୁଥିବାରୁ ଏଭଳି ନିୟମ ଦ୍ବାରା ପୁଣି ସେମାନେ କ୍ଷତି ଗ୍ରସ୍ତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ପୂର୍ବ ନିର୍ଦ୍ଧାରିତ ନିୟମକୁ ଲାଗୁ କରାଯାଇ ବିବାହ ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମରେ କୋଭିଡ ଗାଇଡଲାଇନ ଅନୁସାରେ ଅନ୍ୟୁନ ୨୫୦ଜଣଙ୍କ ପାଇଁ ଅନୁମତି ପ୍ରଦାନ କରାଗଲେ ସେମାନଙ୍କର ଜୀବିକା ନିର୍ବାହ ଓ ଜୀବନ ଧାରଣର ରାସ୍ତା ସୁଗମ ହୋଇ ପାରିବ ବୋଲି ଶ୍ରୀ ଜେନା କହିଛନ୍ତି। ଏହି ଧାରଣାରେ ଦ୍ବାରିକା ନାଥ ପଣ୍ଡା, ବିନୟ ଭୂଷଣ ପଟ୍ଟନାୟକ, ପ୍ରବୋଧ ଦାଶ, ଦେବୀ ରଥ, ପ୍ରଦୀପ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର