ମଦ ଦୋକାନକୁ ବିରୋଧ

ଖଣ୍ଡଗିରି : ବରମୁଣ୍ଡା ନୂଆ ରୋଡ୍‌ରେ ଖୋଲିଥିବା ଠିପି ବନ୍ଦ ବିଦେଶୀ ମଦଦୋକାନକୁ ବନ୍ଦ କରିବା ଦାବିରେ ସୋମବାର ଦିନ ପୁଣି ସ୍ଥାନୀୟ ଯୁବକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଜିଲ୍ଲା ପ୍ରଶାସନ ବିରୋଧରେ ନାରାବାଜି କରି ବିକ୍ଷୋଭକାରୀମାନେ ମଦ ଦୋକାନର ବୋର୍ଡ ଭାଙ୍ଗିବା ସହ ଦୋକାନରର ତାଲା ଭାଙ୍ଗି ନୂଆ ତାଲା ପକାଇ ଦେଇଥିଲେ। ତେବେ ଖଣ୍ଡଗିରି ଥାନା ପୁଲିସ ସେମାନଙ୍କୁ ବୁଝାସୁଝା କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ହଟିଥିଲେ।

ଅଭିଯୋଗ ଅନୁସାରେ ପୂର୍ବରୁ ବରମୁଣ୍ଡା ଅଞ୍ଚଳରେ ୨ଟି ମଦ ଦୋକାନ ରହିଛି। ଏହା ପରେ ମଧ୍ୟ ଆଉ ଗୋଟିଏ ନୂଆ ମଦ ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ଉକ୍ତ ଦୋକାନ ନିକଟରେ ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ବର ମନ୍ଦିର, ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ମଲ୍ଲିକ କମ୍ପ୍ଲେକ୍ସ, କ୍ରିଷ୍ଣା ଗାର୍ଡେନ ଭଳି ଜନବସତି ସହ ନିକଟରେ ଏକ ମହିଳା ମହାବିଦ୍ୟାଳୟ ଅଛି। ସରକାରଙ୍କ ଗାଇଡ୍‌ଲାଇନକୁ ଜଳାଞ୍ଜଳି ଦେଇ ବେଆଇନ ଭାବେ ଏହି ମଦ ଦୋକାନ ଖୋଲାଯାଇଛି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି। ଏହାବାଦ୍‌ ପୂର୍ବରୁ ଏହି କାଉଣ୍ଟରକୁ ବିରୋଧ କରାଯାଇଥିଲା ଓ ଦୋକାନ ଭଙ୍ଗାରୁଜା, ରାସ୍ତାରୋକ୍‌ ପର୍ଯ୍ୟନ୍ତ କଥା ଯାଇଥିଲା। ସେତେବେଳେ ସ୍ଥାନୀୟ ଲୋକଙ୍କ ବିରୋଧକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ଏହି ମଦ ଦୋକାନକୁ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏବେ ପୁଣି ମଦ‌ ଦୋକାନ ଖୋଲାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଅଜିତ ବାରିକ, ଦେବୀପ୍ରସାଦ ଜେନା, ରାଜେଶ ବେହେରା, ସୁଶାନ୍ତ ବେହେରା, ଗୁମା ବେ‌‌ହେରା, ଲକି ମାର୍ଥା, ଅମନ ଚମ୍ପତି, ତପନ ସ୍ବାଇଁ, ଚିନ୍ମୟ ସ୍ବାଇଁ, ଦେବାଶିଷ ମଙ୍ଗରାଜ ଓ ଭୁବନେଶ୍ବର ରାଜଗୁରୁ ପ୍ରମୁଖ ସାମିଲ୍ ହୋଇଥିଲେ। ସୂଚନାଯୋଗ୍ୟ, ଗତ ମେ ୩ ତାରିଖରେ ବରମୁଣ୍ଡା ତ୍ରିଶକ୍ତି ମହିଳା ସମିତି ତରଫରୁ ଏହି ମଦ ଦୋକାନକୁ ବିରୋଧ କରି ଆନ୍ଦୋଳନ କରାଯାଇଥିଲା। ମଦ ଦୋକାନରେ ତାଲା ମଧ୍ୟ ପକାଯାଇଥିଲା। କର୍ପୋରେଟର ରାମଚନ୍ଦ୍ର ରଣସିଂହ ଓ ସୁଜାତା ଛୋଟରାୟ ସେମାନଙ୍କୁ ସମର୍ଥନ କରି ବିକ୍ଷୋଭରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର