ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଥିବା ୨୦ ଏକର ଜମିରେ ନିର୍ମାଣ ହେବ ପାନ୍ଥନିବାସ, ପାର୍କ ଓ ଫୁଡ୍ ଷ୍ଟଲ୍। ଏଭଳି ଯୋଜନା କରିଛି ବିଡିଏ। ଏହି ଜାଗା ମଧ୍ୟ ବିଡିଏକୁ ହସ୍ତାନ୍ତର କରି ଦିଆଯାଇଛି। ଏହାକୁ ଯଥାସମ୍ଭବ ଗୁପ୍ତ ରଖାଯାଇଥିଲା। ଆଜି ଠିକାସଂସ୍ଥା ବୁଲି ଜାଗା ଦେଖିବା ବେଳେ ଘଟଣା ପଦାକୁ ଆସିଥିଲା। ଏହାକୁ ନେଇ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ତୀବ୍ର ବିରୋଧ କରୁଛି ବୋଲି କହିଛନ୍ତି ସଭାପତି ସତ୍ୟବ୍ରତ ପ୍ରଧାନ।
ସେ କହିଛନ୍ତି, ବିଶ୍ବବିଦ୍ୟାଳୟରେ ଦୁଇ ଦୁଇଟି ବିଭାଗ ଦାୟିତ୍ବରେ ଜଣେ ଏଚ୍ଓଡି ରହିଛନ୍ତି। ଏଠାରେ କ୍ୟାଣ୍ଟିନ୍ ନାହିଁ। ଏହା ବାଦ୍ ଶହ ଶହ ସମସ୍ୟା ଛାତ୍ରଛା୍ତ୍ରୀଙ୍କ ପାଠପଢ଼ାରେ ବାଧକ ସୃଷ୍ଟି କରିଛି। କିନ୍ତୁ ଏଠାରେ କର୍ତ୍ତୃପକ୍ଷ ବ୍ୟବସାୟିକ ପ୍ରକଳ୍ପ କରିବାକୁ ବସିଛନ୍ତି। ସେଠାକୁ ବାହାର ଲୋକମାନେ ସବୁଦିନ ଆସିବେ। ଫଳରେ ଏଠାରେ ଶୈକ୍ଷିକ ବାତାବରଣ ନଷ୍ଟ ହେବ। ଏଣୁ ଏହି ପ୍ରକଳ୍ପକୁ ତୁରନ୍ତ ବାତିଲ କରାଯାଉ। ଯଦି ଉଚ୍ଚଶିକ୍ଷା ବିଭାଗର କୌଣସି ଯୋଜନାରେ ସମସ୍ତ ବିଶ୍ୱବିଦ୍ୟାଳୟରେ ଏହା କରାଯାଉଛି, ତେବେ ଏବିଭିପି ଉତ୍କଳ ବିଶ୍ୱବଦ୍ୟାଳୟ ଏହାର ସ୍ବାଗତ କରୁଛି। କିନ୍ତୁ ଯଦି କେବଳ ଉତ୍କଳ ବିଶ୍ବବିଦ୍ୟାଳୟରେ ହିଁ ଏପରି ହେଉଛି, ତେବେ ଶେଷ ଯାଏ ଏବିଭିପି ଏହାର ତୀବ୍ର ବିରୋଧ କରିବ ବୋଲି ସେ କହିଛନ୍ତି।