କଳିଙ୍ଗବିହାରରେ ପ୍ରସ୍ତାବିତ ହକି ଷ୍ଟାଡିୟମ୍‌କୁ ବିରୋଧ

ଖଣ୍ଡଗିରି: କଳିଙ୍ଗବିହାର କେ-୪ ଅଞ୍ଚଳର ବାସିନ୍ଦାଙ୍କୁ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ(ବିଡିଏ) ଯେଉଁ ସ୍ବପ୍ନ ଦେଖାଇଥିଲା, ତାହାକୁ ଭୁଲିଯାଇଛି। ଆବାସିକ କଲୋନି ନିର୍ମାଣ ବେଳେ ଖେଳପଡ଼ିଆ, ସ୍କୁଲ୍, ଡିସ୍‌ପେନ୍‌ସାରି, ମାର୍କେଟ କମ୍ପ୍ଲେକ୍ସ, କମ୍ୟୁନିଟି ସେଣ୍ଟର୍‌ କରାଯିବା ପାଇଁ ଖାଲି ସ୍ଥାନ ଛଡ଼ାଯାଇଥିଲା। କିନ୍ତୁ ସେସବୁ ପ୍ରତିଶ୍ରୁତି ଏବେ ପାଣିର ଗାର ହୋଇଯାଇଛି। ଉକ୍ତ ଜମିରେ ଏବେ ଏକ ହକି ଷ୍ଟାଡିୟମ୍‌ କରାଯିବ ବୋଲି ପ୍ରସ୍ତାବ ଆସିଛି। ସ୍ଥାନୀୟ ବାସିନ୍ଦାଙ୍କ ମୌଳିକ ସୁବିଧାକୁ ଜଳାଞ୍ଜଳି ଦେଇ ସରକାର ଏଭଳି ନିଷ୍ପତ୍ତି ନେଇଥିବାରୁ ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି।

ବିଏମ୍‌ସି ୨୩ ନମ୍ବର ୱାର୍ଡ କଳିଙ୍ଗବିହାର କେ-୪ ଅଞ୍ଚଳରେ ରହିଛି ପାଣିଟାଙ୍କି ପଡ଼ିଆ। ଏଠାରେ ବିଡିଏ ତରଫରୁ ଖେଳପଡ଼ିଆ, ସ୍କୁଲ୍, ଡିସ୍‌ପେନ୍‌ସାରି, ମାର୍କେଟ୍‌ କମ୍ପ୍ଲେକ୍ସ, କମ୍ୟୁନିଟି ସେଣ୍ଟର୍‌ କରିବାର ଯୋଜନା ଥିଲା। ମାତ୍ର ପରେ ସେସବୁ ପ୍ରତିଶ୍ରୁତିରୁ ବିଡିଏ ଓହରିଗଲା। ୨୦୧୪ ମସିହାରରେ ଏଠାରେ ଏକ ବହୁତଳ ଆପାର୍ଟମେଣ୍ଟ କରିବାକୁ ବିଡିଏ ପ୍ରସ୍ତାବ ଦେଲା ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ତେବେ ସ୍ଥାନୀୟ ଲୋକଙ୍କ ବିରୋଧରୁ ଏହି ପ୍ରକଳ୍ପକୁ ସ୍ଥଗିତ ରଖାଯାଇଥିଲା। ଛୋଟ ପିଲାଙ୍କ ଲାଗି ଏବେ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ଏଠାରେ ଏକ ଶିଶୁ ଉଦ୍ୟାନ ତିଆରି କରାଯାଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏହି ପଡ଼ିଆକୁ ବ୍ୟବହାର କରାଯାଉଛି। କିନ୍ତୁ ବିଏମ୍‌ସି ନିର୍ବାଚନ ପରେ ଏଠାରେ ଏକ ହକି ଷ୍ଟାଡିୟମ୍‌ ହେବା ନେଇ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବକୁ କେ-୪ ଅଞ୍ଚଳର ବାସିନ୍ଦାମାନେ ବିରୋଧ କରୁଛନ୍ତି। ୧୯୯୧ ମସିହାରେ ଯେଉଁ ସବୁ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ବିଡିଏ ଜମି ବିକ୍ରି କରିଥିଲା, ସେସବୁକୁ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା କଥା, ବିଡିଏ ପ୍ଲାନ୍‌ ଅନୁସାରେ ଯେଉଁଠି ଯାହା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା, ତାହା କରାଗଲା ନାହିଁ। ବିଭିନ୍ନ ରଙ୍ଗିନ୍‌ ସ୍ବପ୍ନ ଦେଖେଇ ଜାଗା ବିକ୍ରି କରିବା ପରେ ବିଡିଏ ଏବେ ଖେଳୁଛି। ମୌଳିକ ସୁବିଧା ପାଖରେ ପାଇବା ପାଇଁ ବିଡିଏଠାରୁ ଜାଗା କିଣିଥିଲୁ। ବିଏମ୍‌ସିକୁ ଟିକସ ମଧ୍ୟ ଦେଉଛୁ। ତେଣୁ ଏହି ପଡ଼ିଆରେ ହକି ଷ୍ଟାଡିୟମ୍‌ ହେଲେ ଜୋର୍‌ଦାର ବିରୋଧ କରାଯିବ। ଏ ସଂପର୍କରେ ସ୍ଥାନୀୟ କର୍ପୋରେଟର୍‌ କିରଣବାଳା ମାଝୀଙ୍କ କହିବା କଥା, କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ହକି ଷ୍ଟାଡିୟମ୍‌ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ହେଲେ ସେ ବାବଦରେ କୌଣସି ବିଧିବଦ୍ଧ କାର୍ଯ୍ୟ ଆରମ୍ଭ ହୋଇନାହିଁ।

ସମ୍ବନ୍ଧିତ ଖବର