ପ୍ରସ୍ତାବିତ ସ୍ୱତନ୍ତ୍ର ଚିଠା ଅଧିନିୟମକୁ ବିରୋଧ, ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଆନ୍ଦୋଳନ

ପୁରୁଣା ଭୁବନେଶ୍ବର: ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ) ଶ୍ରୀମନ୍ଦିର ଉପରେ ପ୍ରସ୍ତୁତ କରିଥିବା ଐତିହ୍ୟ ବାଇ-ଲ’କୁ ଆଜି ଏକାମ୍ର କ୍ଷେତ୍ରର ସେବାୟତମାନେ ତୀବ୍ର ବିରୋଧ କରିଛନ୍ତି। ପ୍ରତିବାଦରେ ଆଜି ସେବାୟତମାନେ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାରା ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଏହି ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଥିଲେ।

ସେମାନଙ୍କ ଅଭିଯୋଗ ହେଲା, ଏବେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ବେଳେ ତାହାକୁ ବନ୍ଦ କରାଇବା ପାଇଁ ଏପରି ଏକ ଷଡ଼ଯନ୍ତ୍ର କରାଯାଇଛି। ପ୍ରସ୍ତାବିତ ଅଧିନିୟମ ଲାଗୁ ହେଲେ ଏକାମ୍ର କ୍ଷେତ୍ରରେ ବିଭିନ୍ନ ମନ୍ଦିର ଚାରିପଟେ ରହୁଥିବା ସେବାୟତ ପରିବାର ପ୍ରଭାବିତ ହେବେ। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେବାୟତମାନେ ଚେତାବନୀ ଦେଇଥିଲେ।

ଏହି ଆନ୍ଦୋଳନରେ ଶ୍ରୀଲିଙ୍ଗରାଜ ସେନାର ସଦସ୍ୟ ସମେତ ସେବାୟତ ବିରଞ୍ଚି ନାରାୟଣ ପତି, ଅଞ୍ଚଳ ବଟୁ, ରାଜେନ୍ଦ୍ର ସମର୍ଥା, ବିରଞ୍ଚି ନାରାୟଣ ମହାସୂପକାର, କମଳାକାନ୍ତ ବଡ଼ୁ, ଅଗାଧୁ ପୂଜାପଣ୍ଡା, ରଞ୍ଜିତ ମହାପାତ୍ର, ପ୍ରଶାନ୍ତ ସମର୍ଥା, ନୃସିଂହ ଖୁଣ୍ଟିଆ ଓ ବହୁ ସେବାୟତ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର