ଭୁବନେଶ୍ୱର : ବିଧାୟକଙ୍କ ପୁରୁଣା କ୍ୱାଟର ଭାଙ୍ଗି ସେଠାରେ ବିଳାସପୂର୍ଣ୍ଣ ଅଟ୍ଟାଳିକା ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଥିବା ଶହ ଶହ ବର୍ଷର ପୁରୁଣା ଗଛକୁ କାଟିଦେଲେ। ଏଭଳି ବିରାଟକାୟ ମୂଲ୍ୟବାନ ଗଛ କାହା ଅନୁମତିରେ ଓ କିପରି କଟାଯାଉଛି ତାକୁ ବିରୋଧ କରି ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗଛକଟା ବନ୍ଦ କରିବା ସହିତ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାରେ ଏତଲା ଦିଆଯାଇଛି।
ଏନେଇ ସଂଘ ପକ୍ଷରୁ କୁହାଯାଇଛି ଯେ, ଯେତେବେଳେ ଦିଲ୍ଲୀ ଓ ଅନ୍ୟାନ୍ୟ ସହରରେ ବିକଳ୍ପ ବ୍ୟବସ୍ଥା କରି ଗଛ ଥାଇ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରାଯାଉଛି ଓ ଅତ୍ୟାଧୁନିକ କାରିଗରୀ କୌଶଳରେ ମଧ୍ୟ ବଡ଼ ବଡ଼ ଗଛକୁ ପ୍ରତିରୋପଣ କରାଯାଇପାରୁଛି। କିନ୍ତୁ ରାଜଧାନୀରେ ଘର ନିର୍ମାଣ ପାଇଁ କିଛି ବିକଳ୍ପ ବ୍ୟବସ୍ଥା ବାହାର ନ କରି ଗଛ କଟା ଚାଲିଛି। ଏନେଇ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ ଆଗେଇ ଆସି ଏହି ସ୍ପର୍ଶକାତର ବିଷୟରେ ସ୍ୱର ଉଠାଇବାକୁ ସଂଘ ନିବେଦନ କରିଛି। ଆସନ୍ତାକାଲି ମଧ୍ୟ ସେହି ସ୍ଥାନରେ ସଂଘ ପକ୍ଷରୁ ଧାରଣା ଦିଆଯିବା ସହ କୌଣସି ପରିସ୍ଥିତିରେ ଆଉ ଗଛ କାଟିବାକୁ ଦିଆଯିବ ନାହିଁ ବୋଲି ପ୍ରବକ୍ତା ପ୍ରସନ୍ନ ବିଷୋୟୀ କହିଛନ୍ତି। ବିଧାନସଭାର ବାଚସ୍ପତି ଏହି ନିନ୍ଦନୀୟ ନିଷ୍ପତ୍ତିରୁ ଓହରି ବଡ଼ ବଡ଼ ଗଛ କିପରି ରହିବ ଓ ବିକଳ୍ପ ବ୍ୟାବସ୍ଥା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ କହିଛନ୍ତି। ଏତଲା ପ୍ରଦାନରେ ଆବାହକ ସୁଦର୍ଶନ ଦାଶ, ସଂଯୋଜକ ବିଜୟ ପ୍ରଧାନ, ନିରଦ ବରଣ ଖୁଣ୍ଟିଆ, ୟାସିଦ, ଦେବଦାସୀ ମହାନ୍ତିଙ୍କ ସହ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।