ଚନ୍ଦ୍ରଶେଖରପୁର: ବିଏମ୍ସି ପରିଚାଳିତ ଶ୍ମଶାନର ବିକଳ ଚିତ୍ର ଆଜି ଶିଖରଚଣ୍ଡୀ ମୁକ୍ତିଧାମରେ ଦେଖିବାକୁ ମିଳିଛି। ବାପାଙ୍କ ଦରପୋଡ଼ା ଶବକୁ ଧରି ପୁଅକୁ ସେଠାରୁ ଫେରିବାକୁ ପଡ଼ିଛି। ପରେ ସତ୍ୟନଗର ମଶାଣିରେ ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛି। ଅନ୍ତିମ ସଂସ୍କାର ପାଇଁ ରାଜଧାନୀର ରାଜରାସ୍ତାରେ ବାପାଙ୍କ ଦରପୋଡ଼ା ଶବକୁ ଏମିତି ଅବସ୍ଥାରେ ଧରି ବୁଲିବା ପିତୃହରା ପୁଅର ଦୁଃଖକୁ ବହୁଗୁଣିତ କରିଛି। ବାପାଙ୍କ ମୃତ୍ୟୁ ତାଙ୍କୁ ଯେତିକି ଦୁଃଖ ଦେଇଥିଲା, କଲବଲ ଓ କଦର୍ଯ୍ୟ ଅବସ୍ଥାରେ ଅନ୍ତିମ ସଂସ୍କାର କରିବା ତାଙ୍କୁ ତା’ଠୁ ବହୁଗୁଣରେ ଦୁଃଖ ଦେଲା ବୋଲି ସେ କହିଛନ୍ତି। ଶୈଳଶ୍ରୀବିହାରର ସୁଶାନ୍ତ ସାହୁଙ୍କ ବାପା ରାଧାଚରଣ ସାହୁଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍ରେ ମୃତ୍ୟୁ ହୋଇଥିଲା।
ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ମରଶରୀରକୁ ଶିଖରଚଣ୍ଡୀ ବସ୍ତି ନିକଟ ଜଳିମୁଣ୍ଡାସାହିସ୍ଥିତ ବିଏମ୍ସି ଶ୍ମଶାନ ‘ମୁକ୍ତିଧାମ’କୁ ନେଇଥିଲେ। ବିଧି ମୁତାବକ ଶବକୁ ବିଦ୍ୟୁତ୍ ଚୁଲାରେ ରଖାଯାଇଥିଲା। କିନ୍ତୁ ଶବ ଅଧା ପୋଡ଼ିଥିବା ବେଳେ ହଠାତ୍ ବିଦ୍ୟୁତ୍ କଟିଯାଇଥିଲା। ଶବଦାହ କରୁଥିବା କର୍ମଚାରୀମାନେ ଜେନେରେଟର୍ ଚଲାଇବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ଫଳରେ ବହୁ ସମୟ ପର୍ଯ୍ୟନ୍ତ ଦରପୋଡ଼ା ଶବ ଚୁଲା ଭିତରେ ରହିଥିଲା। ଶେଷରେ ଶ୍ମଶାନ କର୍ମଚାରୀମାନେ ସେଠାରୁ ଶବକୁ ନେଇ ସତ୍ୟନଗର ମଶାଣି ଯିବାକୁ ସୁାାନ୍ତଙ୍କୁ କହିଥିଲେ। ଅନ୍ୟ ଉପାୟ ନ ପାଇ ସୁଶାନ୍ତ ବାପାଙ୍କ ଦରପୋଡ଼ା ମୃତଦେହକୁ ସ୍ବର୍ଗ ରଥରେ ନେଇ ସତ୍ୟନଗର ଶ୍ମଶାନକୁ ଯାଇଥିଲେ। ସୂଚନାଯୋଗ୍ୟ ଯେ ଏହି ମଶାଣିରେ ବାରମ୍ବାର ଏମିତି ଅଘଟଣ ଘଟୁଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଦ୍ୟୁତ୍ ଚୁଲା ପାୱର୍ କଟ୍ କାରଣରୁ ଶବଦାହ ବେଳେ ଅଚଳ ହୋଇଯାଉଛି।