ଓରାଙ୍ଗଓଟାନ ‘ବିନି’ ଅସୁସ୍ଥ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୦ ‘ଖ’ ଖୁଆଡ଼ରେ ଥିବା ଏକମାତ୍ର ବିରଳ ପ୍ରଜାତି ଓରାଙ୍ଗଓଟାନ ‘ବିନି’ ଏବେ ଅସୁସ୍ଥ ହୋଇପଡିଛି। ସେ ତା’ ଖୁଆଡ଼ରେ ଶୋଇ ରହୁଛି। ଦୁଇ ବର୍ଷ ହେବ ତା’ ଗଳାରେ ଥିବା ଥଳିରେ ସଂକ୍ରମଣ ଘାଆ ଚିକିତ୍ସା ସତ୍ତ୍ବେ ଶୁଖିବାର ନାଁ ଧରୁନି। ତା’ ସାଙ୍ଗକୁ ଏବେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ନନ୍ଦନକାନନ କର୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ଉନ୍ନତ ଚିକିତ୍ସା କରାଇ ବିନିର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ ନନ୍ଦନକାନନ କର୍ତୃପକ୍ଷ ବୈଷୟିକ କମିଟି ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି। ଆଜି ଓୟୁଏଟିର ପ୍ରଫେସର୍‌ ନିରଞ୍ଜନ ସାହୁ ଓ ଓୟୁଏଟି ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ. ଇନ୍ଦ୍ରମଣି ନାଥଙ୍କ ସମେତ ବୈଷୟିକ କମିଟି ସଦସ୍ୟମାନେ ଆସି ବିନିର ସ୍ବାସ୍ଥ୍ୟ ଅବସ୍ଥା ନିରୀକ୍ଷଣ କରିଛନ୍ତି। ବିନିକୁ ୪୧ ବର୍ଷ। ସେ ଏବେ ବୃଦ୍ଧା। ଗ୍ରୀଷ୍ମ ପ୍ରକୋପ ସହ୍ୟ କରି ନପାରି ଏପରି ହୋଇ ଥାଇପାରେ। ତାକୁ କେବଳ ଥକା ମେଣ୍ଟାଇବା ପାଇଁ ଆଣ୍ଟିଟ୍ରେସ୍‌, ଭିଟାମିନ୍ ଓ ହଜମ ପାଇଁ ଏନ୍‌ଜାଇମ ଦେଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି। ବାକି ଘାଆ ପାଇଁ ଯେଉଁଭଳି ଚିକିତ୍ସା ଚାଲିଥିଲା, ସେଭଳି ଚାଲୁ ରଖିବାକୁ କମିଟି ନନ୍ଦନକାନନ ଚିକିତ୍ସକଙ୍କୁ ପରାମର୍ଶ ଦେଇଛି। ସେମାନଙ୍କ ପରାମର୍ଶ ମୁତାବକ ଚିକିତ୍ସା କରାଯାଉଛି।

ସମଗ୍ର ଭାରତ ବର୍ଷରେ ଏହି ପ୍ରଜାତି ପ୍ରାଣୀ ଏକମାତ୍ର ‘ବିନି’ କେବଳ ନନ୍ଦନକାନନରେ ରହି ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଆସୁଛି। ବିନିକୁ ୨୦୦୩ ମସିହା ନଭେମ୍ବର ୨୦ ତାରିଖରେ ପୁନେସ୍ଥିତ ରାଜୀବ ଗାନ୍ଧୀ ଜାତୀୟ ପ୍ରାଣୀ ଉଦ୍ୟାନରୁ ଅଣାଯାଇଥିଲା। ନନ୍ଦନକାନନକୁ ଆସିବା ବେଳେ ତାର ବୟସ ୨୫ ବର୍ଷ ଥିଲା। ଏଠାରେ ସେ ୧୬ ବର୍ଷ ବିତାଇ ସାରିଲାଣି। ଚିଡ଼ିଆଖାନାରେ ସର୍ବାଧିକ ସମୟ ରହିବା ଓରାଙ୍ଗଓଟାନ ରେକର୍ଡର ଅଧିକାରୀ ଏବେ ବିନି ହୋଇଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଗବେଷଣା ଅନୁସାରେ ଜଙ୍ଗଲରେ ଏମାନଙ୍କର ପରମାୟୁ ୩୫ରୁ ୪୫ବର୍ଷ ମଧ୍ୟରେ ହୋଇଥାଏ।

ସମ୍ବନ୍ଧିତ ଖବର