ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ ଲାଗି ଗଛ କଟାଯିବା ପ୍ରସଙ୍ଗ: ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ : ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ଲାଗି ଭୁବନେଶ୍ବର ୟୁନିଟ୍‌-୪‌ରେ ବହୁ ମୂଲ୍ୟବାନ ଓ ପୁରୁଣା ଗଛ କଟାଯିବା ପ୍ରସଙ୍ଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ପ୍ରକଳ୍ପର ସବିଶେଷ ବିବରଣୀ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ କାର୍ଯ୍ୟ ପାଇଁ କେତେ ଗଛ କଟାଯିବାକୁ ପ୍ରସ୍ତାବ ରହିଛି ଏବଂ ଏଥିପାଇଁ ଅନୁମତି ରହିଛି କି ନାହିଁ, ସତ୍ୟପାଠରେ ସାଧାରଣ ପ୍ରଶାସନ ବିଭାଗ ସ୍ପଷ୍ଟ କରିବ। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୭କୁ ଧାର୍ଯ୍ୟ କରାଯାଇଛି।

ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଗଛକଟା ପ୍ରସଙ୍ଗରେ ହାଇକୋର୍ଟ ଆଜି କୌଣସି ଅନ୍ତରୀଣ ରହିତାଦେଶ ଜାରି କରିନାହାନ୍ତି। ଅନ୍ତରୀଣ ନିର୍ଦ୍ଦେଶ ପାଇଁ ଆବେଦନକାରୀ କୌଣସି ପୃଥକ୍‌ ଅନ୍ତରୀଣ ଆବେଦନ ଦାଖଲ ନଥିବା ବେଳେ ମୂଳ ରିଟ୍‌ ଆବେଦନରେ ଗଛକଟା ତୁରନ୍ତ ବନ୍ଦ ପାଇଁ ପ୍ରାର୍ଥନା କରାଯାଇଛି।

The New Indian Express

ମାମଲାର ବିବରଣୀ ଅନୁଯାୟୀ, ରାଜ୍ୟ ସରକାର ବିଧାୟକଙ୍କ ରହିବା ଲାଗି ୟୁନିଟ-୪ରେ ବହୁତଳ ଅଟ୍ଟାଳିକା ନିର୍ମା‌ଣ କରୁଛନ୍ତି। ଏଥିପାଇଁ ନିଷ୍ପତ୍ତି ନିଆଯିବା ବେଳେ ସମ୍ପୃକ୍ତ ସ୍ଥାନରେ ଥିବା ପୁରୁଣା ଗଛଗୁଡ଼ିକ ବିଷୟରେ କିଛି ଚିନ୍ତା କରାଯାଇନାହିଁ ଏବଂ ବିନା ଉପଯୁକ୍ତ ଅନୁମତିରେ ପୁରୁଣା ଗଛ ସବୁ କଟାଯାଉଛି ବୋଲି ଦର୍ଶାଇ ହାଇକୋର୍ଟରେ ଏହି ଆବେଦନ ଦାୟର ହୋଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଏହି ପ୍ରକଳ୍ପ ପାଇଁ ୮୭୦ଟି ବଡ଼ ଗଛ କାଟିବା ଲାଗି ପ୍ରସ୍ତାବ ରହିଛି। ‌ଗଛ କଟା ହେବା ଦ୍ବାରା ରାଜଧାନୀର ପରିବେଶ ଉପରେ କ’ଣ ପ୍ରଭାବ ପଡ଼ିବ, ଆକଳନ କରାଯାଇନାହିଁ। ବିକଳ୍ପ ବ୍ୟବସ୍ଥା ପ୍ରସଙ୍ଗରେ ମଧ୍ୟ କିଛି ଚିନ୍ତା କରାଯାଇନାହିଁ। ଏଭଳି ସ୍ଥିତିରେ ଗଛକଟା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ବର୍ତ୍ତମାନ ସୁଦ୍ଧା କେତେ ଗଛ କଟାଗଲାଣି, ସେ ନେଇ ସରକାର ସ୍ପଷ୍ଟ କରନ୍ତୁ। ଏଥିସହ କଟାଯାଇଥିବା ଗଛ ବାବଦରେ କେତେ କ୍ଷତିପୂରଣ ରାଶି ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ଗାଇଡ୍‌ଲାଇନ୍‌ ଅନୁସାରେ ଜମା କରାଯାଇଛି, ସେ ନେଇ ଜବାବ ତଲବ କରାଯାଉ ବୋଲି ଅାବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର