ଭୁବନେଶ୍ୱର: ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଆଜି ଭୁବନେଶ୍ବର କୋର୍ଟ ପରିସରରେ ଚାଲିଥିବା ନିର୍ମାଣାଧୀନ ଜୁଡିସିଆଲ କମ୍ପ୍ଲେକ୍ସ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରାୟ ସାଢ଼େ ୩ ଘଣ୍ଟା ଧରି ସେ ଭୁବନେଶ୍ବର କୋର୍ଟ ପରିସରରେ ସମୟ ବିତାଇବା ସହ ସମସ୍ତ ବିଚାରପତି, ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ଅଧ୍ୟକ୍ଷ ଡ. ବି. ଆର୍‌ ଷଡ଼ଙ୍ଗୀ, ନିର୍ମାଣ ବିଭାଗ ଅଧିକାରୀ ଓ ଜୁଡିସିଆଲର ସମସ୍ତ ଅଫିସର୍‌ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ। ଏପ୍ରିଲ୍‌ ସୁଦ୍ଧା ବିଲ୍‌ଡିଂ କାମ ସାରିବାକୁ ସେ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଏହାସହ ପୁରୁଣା କୋର୍ଟ ବିଲ୍‌ଡିଂଗୁଡ଼ିକ କ୍ରମାନୁଯାୟୀ ସୌନ୍ଦର୍ଯ୍ୟୀକରଣ କରିବା ସହ ସିବିଆଇ କୋର୍ଟକୁ ବାର୍ ଆସୋସିଏସନ୍ ସ୍ଥାନାନ୍ତର କରିବାକୁ କହିଥିଲେ। ଏହି ଅବସରରେ ମୁଖ୍ୟ ବିଚାରପତି କୋର୍ଟ ବିଲ୍‌ଡିଂ, ବାର୍‌ ଅସୋସିଏସନ୍‌ ହଲ୍‌ ମଧ୍ୟ ପରିଦର୍ଶନ କରିଥିଲେ।

Advertisment

କାର୍ଯ୍ୟକ୍ରମରେ ତାଙ୍କ ସହ ଭୁବନେଶ୍ବର ଓକିଲ ସଂଘର ସଭାପତି ରବିନାରାୟଣ ସାମନ୍ତରାୟ, ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଅଭିମନ୍ୟୁ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଦିବାକର ମିଶ୍ର, ସହସମ୍ପାଦକ ରାଜେନ୍ଦ୍ର ଦାସ, କାର୍ଯ୍ୟକାରୀ ସଦସ୍ୟ ଅବିନାଶ ମହାନ୍ତି, ପ୍ରଦୀପ ପାଲ, ଅମ୍ରିତା ସାହୁ, ବନ୍ଦିତା ସାମଲ, ବିମଳ କୁମାର ଦାଶ, ଲିଙ୍ଗରାଜ ସାହୁ, ସରକାରୀ ଓକିଲ ଦିଲ୍ଲୀପ ନାୟକ ଓ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସେହିପରି ପାର୍କିଂ ସ୍ଥାନରୁ ଉଚ୍ଛେଦ କରାଯିବା ପରେ ଓକିଲ ଏବଂ ବିଭିନ୍ନ ନୋଟାରି, ଷ୍ଟାମ୍ପ ଭେଣ୍ଡରଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରିବାକୁ ସଂଘ ପକ୍ଷରୁ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା ବେଳେ ସଂଘ ପକ୍ଷରୁ ନିବେଦନ କରାଯାଇଥିଲା।