ଭୁବନେଶ୍ବର: ସରକାରୀ ଜମିର ମାଲିକାନା ସ୍ବତ୍ବ୍ବ ପରିବର୍ତ୍ତନ ବେଳେ ଜମିର କିସମ ପରିବର୍ତ୍ତନ ଅଡ଼ୁଆ କରୁଥିଲା। ଯେଉଁଥିପାଇଁ ୭ରୁ ଅଧିକ ହାଉସିଂ ଯୋଜନାରେ ଘର ନେଇଥିବା ଲୋକେ ଜମିକୁ ଲିଜ୍‌ ହୋଲ୍ଡରୁ ଫ୍ରି ହୋଲ୍ଡ ପାଇବା କାଠିକର ହେଉଥିଲା। ଜମି ଫ୍ରି ହୋଲ୍ଡ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ବେଞ୍ଚ୍‌ ମାର୍କ ଭାଲ୍ୟୁର ୧୦ ପ୍ରତିଶତ କିସମ ପରିବର୍ତ୍ତନ ଫି  ଦାବି କରୁଥିଲା। ଏ ସଂପର୍କରେ ଭୁବନେଶ୍ବର ନାଗରିକ ମହାସଂଘ ସହ ଅନ୍ୟ ସଂଗଠନ ସରକାରଙ୍କ  ନିକଟରେ ଅଭିଯୋଗ କରିଥିଲେ। କ୍ୟାବିନେଟ୍‌ ନିଷ୍ପତ୍ତିକ୍ରମେ ଗତ ୩ ତାରିଖରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୧୦ ପ୍ରତିଶତ ବଦଳରେ ଜିଏ ବେଞ୍ଚ ମାର୍କ ଭାଲ୍ୟୁର ୩ ପ୍ରତିଶତ ନେବାକୁ ନିଷ୍ପତ୍ତି ହୋଇଛି। ୭ ହାଉସିଂ ଯୋଜନାରେ ଘର ପାଇଥିବା ଲୋକଙ୍କୁ ଜମିର ଫ୍ରି’‌ ହୋଲ୍ଡ ଦେବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୧୨ ଓ ୧୩ ତାରିଖରେ ଏ ସଂପର୍କିତ ଚିଠି ଓ ଆଦେଶନାମା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ରଖାଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଭୁବନେଶ୍ବର ନାଗରିକ ମହାସଂଘ ସ୍ବାଗତ କରୁଛି ବୋଲି ସଭାପତି ମଦନମୋହନ ପଣ୍ଡା, ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ରଥ ଓ ଯୁଗ୍ମ ସଂପାଦକ ଭାଗବତ ପ୍ରସାଦ ଦାସ କହିଛନ୍ତି।

Advertisment

୩ ପ୍ରତିଶତକୁ  କନ୍‌ଭର୍‌ସନ୍‌ ଫି’ କମାଇଲା ଜିଏ
ଜଙ୍ଗଲ ଜମି ବିବାଦର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ପୂର୍ବରୁ ସବୁ ବିଭାଗ ନିଜ ଜମିର ଫ୍ରି ହୋଲ୍ଡ ପାଇଁ ବେଞ୍ଚ ମାର୍କ ଭାଲ୍ୟୁର ୧୦ ପ୍ରତିଶତ କନ୍‌ଭର୍‌ସନ୍‌ ଫି’ ନେଉଥିଲେ। ପରେ ରାଜ୍ୟ ସରକାର ଏହାକୁ ୩ ପ୍ରତିଶତକୁ କମାଇଥିଲେ ବି ସାଧାରଣ ପ୍ରଶାସନ ବିଭାଗ ପୂର୍ବଭଳି ୧୦ ପ୍ରତିଶତ କନ୍‌ଭର୍‌ସନ୍‌ ଫି’ ଦାବି କରୁଥିଲା। ସେପଟେ ଜଙ୍ଗଲ ଜମି ଓ ଅନ୍ୟାନ୍ୟ ବିବାଦ କାରଣରୁ ସାଧାରଣ ପ୍ରଶାସନ ବିଭାଗର ସାମପୁର ହାଉସିଂ ଯୋଜନା, ରାଜ୍ୟ ହାଉସିଂ ବୋର୍ଡର କାନନବିହାର ଫେଜ୍‌-୨ ହାଉସିଂ ଯୋଜନା, ମୈତ୍ରୀବିହାର ଫେଜ୍‌-୧ ଓ ଫେଜ୍‌-୨ ହାଉସିଂ ଯୋଜନା, ବରମୁଣ୍ଡା ହାଉସିଂ ଯୋଜନା, ବିଡିଏର ବରମୁଣ୍ଡା ସେଲ୍‌ଫ ଫାଇନାନ୍ସିଂ କମର୍ସିଆଲ୍‌ କମ୍ପ୍ଲେକ୍ସ ଓ ବରମୁଣ୍ଡା ଡୁପ୍ଲେକ୍ସ ହାଉସିଂ ଯୋଜନାରେ ଘର ପାଇଥିବା ଲୋକେ ଜମିର ଲିଜ୍‌ ହୋଲ୍ଡରୁ ଫ୍ରି ହୋଲ୍ଡ ପାଇ ପାରୁନଥିଲେ। ଗତ ୩ ତାରିଖ ବୈଠକ ପରେ ଜଙ୍ଗଲ ଜମି କିସମ ପରିବର୍ତ୍ତନ ସଂପର୍କିତ ଯାହା ପ୍ରସ୍ତାବ ରହିଛି, ତାର ତ୍ବରିତ ସମାଧାନ ପାଇଁ ସାଧାରଣ ପ୍ରଶାସନ ବିଭାଗ, ବିଡିଏ ଓ ରାଜ୍ୟ ହାଉସିଂ ବୋର୍ଡକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଯେଉଁ ପ୍ରକଳ୍ପକୁ ଅନୁମତି ପ୍ରଦାନ କରାଯାଇଛି, ୧୯୮୦ ଜଙ୍ଗଲ ଆଇନ ଅନୁପାଳନ ପୂର୍ବକ ତୁରନ୍ତ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପ୍ରସ୍ତାବ ଦେବାକୁ କୁହାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମତାନୁସାରେ ପଟିଆକାନନ ବିହାର ଫେଜ୍‌-୨ ପ୍ରକଳ୍ପ ଉପରେ ବିଚାର କରିବାକୁ ନିଷ୍ପତ୍ତି ହୋଇଛି। 

ଗତ ୧୩ ତାରିଖରେ କନ୍‌ଭର୍‌ସନ୍‌ ଫି’ ଉପରେ ସାଧାରଣ ପ୍ରଶାସନ ଜାରି କରିଥିବା ଆଦେଶନାମା(ନମ୍ବର-୧୯୮୯୯/୧୩.୦୬.୨୦୨୫) ଅନୁଯାୟୀ,  ବିଲ୍ଡିଂ ପ୍ଲାନ୍‌ ଅନୁସା‌ରେ ଯେଉଁ ଘର ନିର୍ମାଣ କରାଯାଇଥିବ, ସେମାନଙ୍କଠାରୁ ୩ ପ୍ରତିଶତ କନ୍‌ଭର୍‌ସନ୍‌ ଫି’ ନେଇ ଫ୍ରି ହୋଲ୍ଡିଂ ପ୍ରଦାନ କରାଯିବ। ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ସହ ପ୍ଲାନ୍‌ ପରିବର୍ତ୍ତନ ହୋଇଥିଲେ, ୩ ପ୍ରତିଶତ କନ୍‌ଭର୍‌ସନ୍‌ ଫି’ ନିଆଯିବ। ଯେଉଁମାନେ ପ୍ଲାନ୍‌କୁ ଉଲ୍ଲଘଂନ କରି ନିର୍ମାଣ କରିଛନ୍ତି, ସେମାନଙ୍କ ମାମଲାର ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ଓ ସଂପୃକ୍ତ କର୍ତ୍ତୃପକ୍ଷ ବିଧିବଦ୍ଧ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ, କନ୍‌ଭର୍‌ସନ୍‌ ଫି’ ଗ୍ରହଣ ପାଇଁ ଅନୁମତି ଦିଆଯିବନି। ଯେଉଁମାନେ ଫ୍ରି ହୋଲ୍ଡିଂ ପାଇଁ ଆବେଦନ କରୁଛନ୍ତି, ସେମାନେ ବିଏମ୍‌ସି, ବିଡିଏର ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ଲାନ୍‌ ଅନୁସାରେ କୋଠା ନିର୍ମାଣ କରିଛନ୍ତି କି ନାହିଁ, ତାର ପ୍ରମାଣପତ୍ର ପ୍ରଦାନ କରିବାକୁ କୁହାଯାଇଛି।