ଓରେଡ଼ାର ୩୫ତମ ପ୍ରତିଷ୍ଠା ଦିବସ: ୧୬୫ କର୍ମଚାରୀରେ ବଞ୍ଚିଛି ରୁଗ୍‌ଣ ସଂସ୍ଥା

ଖଣ୍ଡଗିରି: ଶକ୍ତି ସଂକଟର ମୁକାବିଲା ପାଇଁ ସମଗ୍ର ବିଶ୍ବ ଅଣ-ପାରମ୍ପରିକ ଓ ଅକ୍ଷୟ ଶକ୍ତିର ଉତ୍ସକୁ ଲୋକାଭିମୁଖୀ କରାଇବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଓଡ଼ିଶାର ଅକ୍ଷୟ ଶକ୍ତି ବିକାଶ ସଂସ୍ଥା(ଓରେଡ଼ା) ଦିନକୁ ଦିନ ରୁଗ୍‌ଣ ହେବାରେ ଲାଗିଛି। ସଂସ୍ଥାର ବୟସ ଯେତିକି ବଢ଼ି ବଢ଼ି ଚାଲିଛି, କର୍ମଚାରୀ ସଂଖ୍ୟା କମିକମି ଯାଉଛି। ରାଜ୍ୟର ୩୦ଟି ଜିଲ୍ଲାରେ ମାତ୍ର ୧୬୫ଜଣ କର୍ମଚାରୀଙ୍କୁ ନେଇ ତିଷ୍ଠି ରହିଛି ସଂସ୍ଥା। ତଥାପି ପାନୀୟ ଜଳ ଯୋଗାଣଠାରୁ ଆରମ୍ଭ କରି, ହେକ୍ଟର ହେକ୍ଟର ଅଣସେଚିତ ଜମିକୁ ଜଳସେଚନ ଓ ଅପହଞ୍ଚ ଇଲାକାରେ ଆଲୋକୀକରଣ ଭଳି କାର୍ଯ୍ୟକ୍ରମରେ ଓରେଡ଼ା ପଛରେ ପଡ଼ିନାହିଁ। ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଶକ୍ତି ପାର୍କରେ ସଂସ୍ଥାର ୩୫ତମ ପ୍ରତିଷ୍ଠା ଦିବସ ଅବସରରେ ଏଭଳି ମତ ପ୍ରକାଶ ପାଇଛି। ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସଂସ୍ଥାରେ ପ୍ରଥମରୁ ୨୫୦ଜଣ କର୍ମଚାରୀ ନିଯୁକ୍ତି ପାଇଥିଲେ। ମାତ୍ର ଏବେ ୧୬୫ଜଣ କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଅଧିକାରୀ ବା ଅଣବୈଷୟିକ କର୍ମଚାରୀ। ଟେକ୍ନିକାଲ୍ କର୍ମଚାରୀଙ୍କ ସଂଖ୍ୟା କମ୍ ଥିବା ବେଳେ ନୂତନ ନିଯୁକ୍ତି ନଥିବାରୁ ଓରେଡ଼ା ଉପଭୋକ୍ତାଙ୍କ ଚାହିଦା ପୂରଣ କରିବାରେ ସକ୍ଷମ ହୋଇ ପାରୁନାହିଁ। ସେହିଭଳି କର୍ମଚାରୀମାନଙ୍କ ଦରମା ମଧ୍ୟ ଏକ ବଡ଼ ଅନ୍ତରାୟ। ତଥାପି ରାଜ୍ୟରେ ୧୦ ହଜାର ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ୨୦ ଲକ୍ଷ ଲୋକଙ୍କୁ ଜଳଯୋଗାଣ କରାଯାଇଛି। ୧୩ ଶହ ସୌରଚାଳିତ ପମ୍ପ ଦ୍ବାରା ୧୩ହଜାର ଏକର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ୭୫୦ଟି ଆଦିବାସୀ ଆବାସିକ ବିଦ୍ୟାଳୟକୁ ଆଲୋକୀକରଣ କରାଯିବା ଦ୍ବାରା ୭୦ ହଜାର ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି, ଗ୍ରିଡ୍‌ ପହଞ୍ଚି ପାରିନଥିବା ୧୬୨୦ ଗାଁରେ ଓରେଡ଼ା ବିଦ୍ୟୁତ୍ ଶକ୍ତି ପହଞ୍ଚାଇଛି ବୋଲି ଏହି ଉତ୍ସବରେ ହିସାବ ରଖାଯାଇଥିଲା।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ବିଭାଗୀୟ ସଚିବ ଭାସ୍କର ଜ୍ୟୋତି ଶର୍ମା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବତନ ସିଇଓ ସୁଦର୍ଶନ ଦାସ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ମୁଖ୍ୟଯନ୍ତ୍ରୀ ଜେ. ସେଠୀ, ଉପନିର୍ଦେଶକ ବିଜୟ କେତନ ସ୍ବାଇଁ, ସହକାରୀ ନିର୍ଦେଶକ କିଶୋର ଦାସ ପ୍ରମୁଖ ବିଭାଗର ଉନ୍ନତି ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ। ଟେକ୍ନିକାଲ୍ କର୍ମଚାରୀ ନିଯୁକ୍ତି, ବିଭାଗ ପାଇଁ ଅଧିକ ବଜେଟ୍‌, ଅଧିକାରୀମାନଙ୍କ ସ୍ବଳ୍ପ ସମୟ ବଦଳି ଉପରେ ଅଙ୍କୁଶ, ଜିଲ୍ଲାସ୍ତରରେ ଅଧିକ କମର୍ଚାରୀ ନିଯୁକ୍ତି ଆଦି ଉପରେ ସେମାନେ ମତ ରଖିଥିଲେ। ସେହିଭଳି ଅନ୍ୟ ବିଭାଗମାନଙ୍କରେ ସପ୍ତମ ବେତନ କମିସନ ଦରମା ଲାଗୁ ହୋଇସାରିଥିବା ବେଳେ ଓରେଡ଼ାରେ ଷଷ୍ଠ ବେତନ କମିସନ ଦରମା ଦିଆଯାଉଛି। ଏହା କର୍ମଚାରୀମାନଙ୍କ ମନବଳ ଉଣା କରୁଛି ବୋଲି ବକ୍ତାମାନେ କହିଥିଲେ।

ନୂଆ ରୂପ ନେବ ଓରେଡ଼ା
ଆଗକୁ ନୂଆ ରୂପରେ ଓରେଡ଼ା ମୁଣ୍ଡ ଟେକିବ। ଖୁବ୍ ଶୀଘ୍ର ୨୫୦ରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇବେ। ୬ ଉପନିର୍ଦେଶକ, ୩୦ ସହକାରୀ ଯନ୍ତ୍ରୀ, ୩୩ ସୁପରଭାଇଜର, ୯୯ ଟେକ୍ନିସିଆନ୍, ୫ ସେକ୍ସନ ଅଫିସର ଓ ୨୦ କିରାଣୀଙ୍କୁ ନିଯୁକ୍ତି ମିଳିବ ବୋଲି ବିଭାଗୀୟ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି। ଓରେଡ଼ାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଆଜି ୪ଟି ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଆଇଆଇଟି ଭୁବନେଶ୍ବର ସହ ଗୋଟିଏ ବୁଝାମଣା ହୋଇଥିବା ବେଳେ ବିଜୁ ପଟ୍ଟନାୟକ ଶକ୍ତି ପାର୍କର ଉନ୍ନତି ପାଇଁ ରାଷ୍ଟ୍ରୀୟ ପରିବେଶ ଯାନ୍ତ୍ରିକ ଅଭିସନ୍ଧାନ ସଂସ୍ଥା ନେରି, ନାଗପୁର(ମହାରାଷ୍ଟ୍ର), ଓଡ଼ିଶା ଜୀବିକା ମିସନ୍ ଓ କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ସଂସ୍ଥା ସହିତ ୩ଟି ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ପାର୍କ ପରିସରରେ ଏକ ସୁନ୍ଦର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏଥିରେ ସୌରଶକ୍ତି ଦ୍ବାରା ଧାନକଳ, ଆଖୁପେଡ଼ା ଯନ୍ତ୍ର, ରୁଟି ବେଲିବା ଯନ୍ତ୍ର ଭଳି ଅତ୍ୟାଧୁନିକ ମେସିନ୍ ପ୍ରଦର୍ଶନ କରାଯାଉଛି।

ସମ୍ବନ୍ଧିତ ଖବର