ଭୁବନେଶ୍ୱର: ସ୍ଥାବର ସମ୍ପତ୍ତି କାରବାରରେ ସ୍ବଚ୍ଛତା ଆଣିବା ତଥା ଜମି ଓ ଘରକ୍ରେତାଙ୍କୁ ଯଥୋଚିତ ନ୍ୟାୟ ପ୍ରଦାନ କରିବାକୁ ୨୦୧୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ (ଓରେରା) ଏବେ ଅଚଳ ହୋଇଯାଇଛି। ଅବସରପ୍ରାପ୍ତ ଆଇଏଫଏସ୍ ଅଧିକାରୀ ତଥା ଓରେରା ଅଧ୍ୟକ୍ଷ ପଦରେ ଥିବା ସିଦ୍ଧାନ୍ତ ଦାସ ଅବ୍ୟାହତି ନେବା ପରେ ପଦ ଖାଲିପଡ଼ିଛି। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି(ସିଇସି)ର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ସେ ୩ ମାସ ତଳୁ ସରକାରଙ୍କୁ ନୋଟିସ୍‌ ଦେଇଥିଲେ ମଧ୍ୟ ସରକାର ଓରେରା ଅଧ୍ୟକ୍ଷ ପଦରେ କାହାରିକୁ ନିଯୁକ୍ତି ଦେଇନାହାନ୍ତି। ଫେବ୍ରୁଆରି ୨୮ରୁ ତାଙ୍କ ଇସ୍ତଫା ଗୃହିତ ହେବା ପରେ ଓରେରା ଏବେ ମୁରବିଶୂନ୍ୟ ହୋଇଯାଇଛି। ଫଳରେ ପଞ୍ଜୀକରଣ କିମ୍ବା କୌଣସି ଆଦେଶ ହୋଇପାରୁ ନାହିଁ। 

Advertisment

ଓରେରା ଅଧ୍ୟକ୍ଷ ଥିବା ଶ୍ରୀ ଦାସ ୨୦୨୩ ଡିସେମ୍ବରରେ ସିଇସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ସେବେଠୁ ଶ୍ରୀ ଦାସ ଉଭୟ ଓରେରା ଓ ସିଇସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଏଭଳି ଦୁଇଟି ପଦରେ ନୁହେଁ, ବରଂ ସିଇସିରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ କରିବା ପରେ ଶ୍ରୀ ଦାସ ଓରେରା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏଥିପାଇଁ ସରକାରଙ୍କୁ ଗତ ବର୍ଷ ନଭେମ୍ବର ମାସରେ ୩ ମାସର ନୋଟିସ୍‌ ଦେଇଥିଲେ। ଅର୍ଥାତ୍‌ ଏହି ତିନିମାସ ମଧ୍ୟରେ ସରକାର ନୂଆ ଅଧ୍ୟକ୍ଷ ଚୟନ କରିବା କଥା। ହେଲେ ଅଧ୍ୟକ୍ଷ ଚୟନ ହୋଇପାରିଲା ନାହିଁ। ନିୟମ ମୁତାବକ, ଏଥିପାଇଁ ଏକ ଚୟନ କମିଟି ଗଠନ ହେବ। କମିଟି ଆବେଦନ ଆହ୍ବାନ କରି ଯାଞ୍ଚ କରିବ। ଉପଯୁକ୍ତ ଆଇନ ଆଧାରରେ ଅଧ୍ୟକ୍ଷ ଚୟନ କରିବା ପରେ ସରକାରଙ୍କୁ ସୁପାରିସ କରିବ। କମିଟି ସୁପାରିସ ଆଧାରରେ ସରକାର ଅଧ୍ୟକ୍ଷ ନିଯୁକ୍ତି ଦେବେ। ଏବେ ନିୟମ ମୁତାବକ କମିଟିର ଅଧ୍ୟକ୍ଷ ଚୟନ କରାଯାଇଛି। ହାଇକୋର୍ଟର ଜଣେ ଜଜ୍‌ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ଗତ ମାସ ୨୮ ତାରିଖରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଠିକ୍‌ ଏହାର ତିନିଦିନ ପୂର୍ବରୁ ଗୃହନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଉଷା ପାଢ଼ୀ ଏହି କମିଟିର ବୈଠକ ପାଇଁ ସମ୍ପୃକ୍ତ ଜଜ୍‌ଙ୍କ ସମୟ ମାଗିଛନ୍ତି। ଏହି ମର୍ମରେ ସେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଛନ୍ତି। ଅଧ୍ୟକ୍ଷ ଚୟନ ପାଇଁ ଯେଉଁ ସବୁ ବିଧିବଦ୍ଧ ପ୍ରକ୍ରିୟା ରହିଛି ତାହା ପୂରଣ ହେବାକୁ ଅତି କମ୍‌ରେ ୪ ମାସ ସମୟ ଲାଗିବ ବୋଲି କୁହାଯାଉଛି। ଅଧ୍ୟକ୍ଷ ଭାବେ କାହାରିକୁ ଦାୟିତ୍ବ ଦିଆଯାଇ ନଥିବାରୁ ଏବେ ଓରେରା ଅଚଳ ହୋଇପଡ଼ିରହିବ। କାରଣ ନୂଆ ମାମଲା ପଞ୍ଜୀକରଣ, କୌଣସି ଆଦେଶ ପାଇଁ କେବଳ ଅଧ୍ୟକ୍ଷ ହିଁ ସ୍ବୀକୃତ ହୋଇଛନ୍ତି। ଏଣୁ ଯେଉଁ ଅଧିକାରୀ ବା କର୍ମଚାରୀମାନେ ଅଛନ୍ତି ସେମାନେ କେବଳ ଦରମା ନେବେ, ସରକାରୀ ଗାଡ଼ି ବ୍ୟବହାର କରିବେ, କିନ୍ତୁ କିଛି କାମ କରିବେ ନାହିଁ। ଏଣେ ରିୟଲ ଇଷ୍ଟେଟ୍‌ ବେପାରରେ ବେଆଇନ କାରବାର ମଧ୍ୟ ବୃଦ୍ଧି ପାଇବ ବୋଲି ରେରା ଆକ୍ଟିଭିଷ୍ଟ ବିମଳେନ୍ଦୁ ପ୍ରଧାନ ଆଶଙ୍କା କରିଛନ୍ତି।  

ଏତିକିରେ କଥା ସରିନି। ଅଧ୍ୟକ୍ଷଙ୍କୁ ବାଦ୍‌ ଦେଲେ ବାକି ଯେଉଁ ଦୁଇ ଜଣ ସଦସ୍ୟ ଅଛନ୍ତି ସେମାନେ ମଧ୍ୟ ମେ’ ମାସରେ ଅବସର ନେଉଛନ୍ତି। ଏଣୁ ମେ’ ମାସରେ ଓରେରାଙ୍କର ପୂରା ବେଞ୍ଚ ଖାଲି ହୋଇଯିବ। ଅନ୍ୟପଟେ ଓଡ଼ିଶା ସ୍ଥାବର ସମ୍ପତ୍ତି ଅପିଲେଟ୍‌ ଟ୍ରିବ୍ୟୁନାଲ୍‌ ଅଧ୍ୟକ୍ଷ ପଦ ମଧ୍ୟ ଖାଲି ପଡ଼ିଛି। ଗତବର୍ଷ ସେପ୍ଟେମ୍ବର ମାସରୁ ଖାଲି ପଡ଼ିଥିବା ଏହି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଏହି ପ୍ରକ୍ରିୟା ଶେଷ ହେବାକୁ ୪ ମାସରୁ ଅଧିକ ସମୟ ଲାଗିବ। ଅର୍ଥାତ୍‌ ଅତିକମ୍‌ରେ ୪ ମାସ ପର୍ଯ୍ୟନ୍ତ ଜମିବାଡ଼ି କିଣାବିକା ଓ ଘର କିଣାବିକାରେ ‌କୌଣସି କର୍ତ୍ତୃତ୍ବ ରହିବ ନାହିଁ। ଲୋକେ ଫସିବେ, ବିଲ୍ଡର ବା ପ୍ରମୋଟର ବି ଫସିବା ଥୟ ହୋଇଛି।