ଆୟୋଜକ ଦଳ ଜିତିଲା ରାମେଶ୍ୱର କପ୍‌

ଭୁବନେଶ୍ୱର: ଦ୍ୱିତୀୟ ରାମେଶ୍ୱର କପ୍‌ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଆୟୋଜକ ରାମେଶ୍ୱର-ଏ ଦଳ ଫାଇନାଲ୍‌ରେ ପାରାମାଉଣ୍ଟ୍‌କୁ ୨୩ ରନ୍‌ରେ ପରାସ୍ତ କରି ବିଜେତା ହୋଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ରାମେଶ୍ୱର ଦଳ ୧୪ ବର୍ଷରୁ କମ୍‌ ବାଳକ ଆଶୁତୋଷ ସାହୁ (୬୬ ରନ୍‌, ୫୭ ବଲ୍‌)ଙ୍କ ଦମ୍‌ଦାର ଅର୍ଧଶତକ ସାଙ୍ଗକୁ କୁନାଲ ମଲ୍ଲିକଙ୍କ ୪୧ ରନ୍‌ ବଳରେ ୩୫ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୦୧ ରନ୍‌ କରିଥିଲା। ପାରାମାଉଣ୍ଟ୍‌ ପକ୍ଷରୁ ସଫଳ ବୋଲର ଭାବେ ଫରାତ୍‌ ଖାନ୍‌ ୨ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଆୟୂଷରାଜ ଚୌଧୁରୀ (୭୬ ରନ୍‌, ୮୦ ବଲ୍‌)ଙ୍କ ଲଢୁଆ ଅର୍ଧଶତକ ଓ ଅଭିଜିତ୍‌ ତ୍ରିପାଠୀଙ୍କ ୨୪ ରନ୍‌ ସତ୍ତ୍ୱେ ପାରାମାଉଣ୍ଟ୍‌ ୩୨.୧ ଓଭରରେ ୧୭୮ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ପ୍ରତିଯୋଗିତା ସାରା ପ୍ରତିପକ୍ଷ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇ ଆସିଥିବା ଅନିକେତ ପଟ୍ଟନାୟକ ୪୪ ରନ୍‌ରେ ୪ ଓ୍ଵିକେଟ୍‌, ବିଶ୍ୱଜିତ୍‌ ମଳ୍ଲିକ ୨୮ ରନ୍‌ରେ ୩ ଏବଂ ରାଜେଶ ଶାନ୍ତି ୩୦ ରନ୍‌ରେ ୨ ଓ୍ଵିକେଟ୍‌ ନେଇ ରାମେଶ୍ୱରକୁ ବିଜୟ ଭେଟି ଦେଇଥିଲେ। ଆଶୁତୋଷ ସାହୁ (ରାମେଶ୍ୱର) ଫାଇନାଲ୍‌ର ଶ୍ରେଷ୍ଠ ଏବଂ ଆୟୂଷରାଜ ଚୌଧୁରୀ (ପାରାମାଉଣ୍ଟ୍‌) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁନାଲ ମଲ୍ଲିକ (ରାମେଶ୍ୱର) ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌, ଅନିକେତ ତ୍ରିପାଠୀ (ପାରାମାଉଣ୍ଟ୍‌) ଶ୍ରେଷ୍ଠ ବୋଲର, କୃଷ୍ଣଚନ୍ଦ୍ର ବାରିକ୍‌ (ପାରାମାଉଣ୍ଟ୍‌) ଶ୍ରେଷ୍ଠ କ୍ଷେତ୍ରରକ୍ଷକ, ବିଶ୍ୱଜିତ୍‌ ଭୂୟାଁ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ପୁରସ୍କାର ହାସଲ କରିଥିଲେ। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା  ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ବିଜେତା ରାମେଶ୍ୱର ଟ୍ରଫି ସହ ୧୫,୦୦୦ ଟଙ୍କା ଏବଂ ଉପବିଜେତା ପାରାମାଉଣ୍ଟ୍‌ ଟ୍ରଫି ସହ ୧୦,୦୦୦ ଟଙ୍କା ପୁରସ୍କାର ଗ୍ରହଣ କରିଥିଲା। କ୍ଲବ୍‌ ସଭାପତି ସୁରେଶ କୁମାର ରାଉତରାୟ ଏବଂ ସଂପାଦକ ଦୀପକ ମଙ୍ଗରାଜଙ୍କ ସଭା ପରିଚାଳନା କରିଥିଲା ବେଳେ ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ରଣଜୀ ଅଧିନାୟକ ରଶ୍ମିରଞ୍ଜନ ପରିଡ଼ା, ଓସିଏ ସିଇଓ ବିଦ୍ୟୁତ୍‌ କୁମାର ନାୟକ, ବିଏଏ ସଂପାଦକ ସୌର୍ଯ୍ୟରଞ୍ଜନ ପରିଜା, ଯୁବ ବିଜେଡି ଉପଦେଷ୍ଟା ରଞ୍ଜିତ ମହାପାତ୍ର ଏବଂ ରାମେଶ୍ୱର କ୍ଲବ୍‌ ଉପଦେଷ୍ଟା ରାଧାନାଥ ମହାପାତ୍ରଙ୍କ ସହିତ ଆୟୋଜକ କ୍ଲବ୍‌ର ସମସ୍ତ କର୍ମକର୍ତା ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର