ଭୁବନେଶ୍ବର: ବହୁଚର୍ଚ୍ଚିତ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆର୍‌ଏଚ୍‌ଡିସି) ଋଣ ହଡ଼ପ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସତ୍ୟ ନାରାୟଣ ଷଡ଼ଙ୍ଗୀ ୬ ଜଣଙ୍କୁ ୩ ବର୍ଷ ଲେଖାଏ ଜେଲ୍‌ ଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ରାୟ ଦେଇଛନ୍ତି। ସେମାନେ ହେଲେ ପୂର୍ବତନ ଆଇଏଏସ୍ ତଥା ଓଆର୍‌ଏଚ୍‌ଡିସିର ତତ୍କାଳୀନ ଏମ୍‌ଡି ବିନୋଦ କୁମାର, ସିଏସ୍‌ ସ୍ବସ୍ତିରଂଜନ ମହାପାତ୍ର, ପୂର୍ବତନ ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ, ଜୁନିଅର ଲୋନ୍‌ ଅଫିସର ସତ୍ୟପ୍ରକାଶ ‌ବେହେରା, ଆସିଷ୍ଟାଣ୍ଟ ସିଷ୍ଟମ ଆନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ବାଇଁ ଏବଂ ରଶ୍ମି ମାସ୍‌ କନ୍‌ଷ୍ଟ୍ରକସନ୍‌ର ଏମ୍‌ଡି ମନୋରଂଜନ ନାୟକ। ଜରିମାନା ଅନାଦାୟ ହେଲେ ଅଧିକ ୬ମାସ ଜେଲ୍‌ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ତେବେ ଉଲ୍ଲେଖନୀୟ ପ୍ରସଙ୍ଗ ହେଉଛି, ପୂର୍ବରୁ ବିନୋଦ କୁମାର ୫ଟି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏହାକୁ ମିଶାଇ ମୋଟ୍‌ ଷଷ୍ଠ ଥର ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

Advertisment

ସୂଚନା ମୁତାବକ ଗତ ୨୦୦୦ ମସିହାରେ ବିନୋଦ କୁମାର ଓଆର୍‌ଏଚ୍‌ଡିସିର ଏମ୍‌ଡି ଥିବା ବେଳେ ଜାଲିଆତି କରି ମେସର୍ସ ରଶ୍ମି ମାସ୍ କନଷ୍ଟ୍ରକସନ ପ୍ରାଇଭେଟ୍‌ ଲିମିଟେଡ୍‌କୁ ୨୧ ଲକ୍ଷ ୩୫ ହଜାର ଟଙ୍କାର ଗୃହ ଋଣ ଯୋଗାଇଥିଲେ। ଏହି ଋଣ ମଞ୍ଜୁରି ପ୍ରକ୍ରିୟାରେ ଜାଲ୍‌ ନଥି ଦାଖଲ କରାଯାଇଥିଲା। ସେହିଭଳି ଗୋଟିଏ ପ୍ରକଳ୍ପ ଲାଗି ଅର୍ଥ ମଞ୍ଜୁର ହୋଇଥିଲା ଏବଂ ସେଥିରେ ଅନ୍ୟ ଏକ ପ୍ରକଳ୍ପ କରାଯାଇଥିଲା। ଋଣ ମଞ୍ଜୁରି ପାଇଁ କେବଳ ବୋର୍ଡ ଅଫ୍‌ ଡାଇରେକ୍ଟର୍ସଙ୍କ କ୍ଷମତା ଥିବା ବେଳେ ବିନୋଦ କୁମାର ଚଞ୍ଚକତା କରି ରଶ୍ମି ମାସ୍‌ କନ୍‌ଷ୍ଟ୍ରକସନକୁ ଏହି ଋଣ ଦେଇଥିଲେ। ଅଡିଟ୍‌ ବେଳେ ହେର୍‌ଫେର୍‌ ଘଟଣା ପଦାକୁ ଆସିଥିଲା ଏବଂ ପରେ ମାମଲା ଭିଜିଲାନ୍ସକୁ ଯାଇଥିଲା। ୨୨ ବର୍ଷ ପରେ ୧୮ଜଣ ସାକ୍ଷୀ ଏବଂ ଦସ୍ତାବିଜ୍‌କୁ ଆଧାର କରି ଭିଜିଲାନ୍ସ କୋର୍ଟ ଆଜି ଏହି ରାୟ ପ୍ରକାଶ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଜ୍ଞା‌ନରଂଜନ ମହାନ୍ତି ତଦନ୍ତ କରୁଥିବା ବେଳେ ସରକାରୀ ଆଇନଜୀବୀ ହେମନ୍ତ କୁମାର ସ୍ବାଇଁ ମାମଲା ପରିଚାଳନା କରିଥିଲେ।