କେଏମ୍‌ବିବି କଲେଜରେ ଯୁକ୍ତ ୨ ନବାଗତଙ୍କ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ: ‘ସଂକଳ୍ପ ଚରିତାର୍ଥ କରିବାକୁ ଅବିରତ ପରିଶ୍ରମ ଲୋଡ଼ା’

ବାରଙ୍ଗ: ବାପା, ମା’ଙ୍କ ଋଣ ଆମେ ଜୀବନରେ କଦାପି ଶୁଝି ପାରିବା ନାହିଁ। କିନ୍ତୁ ସେମାନେ ଯେମିତି ସମାଜରେ ଗର୍ବର ସହ ଜୀବନଯାପନ କରିବେ, ସେଥିପାଇଁ ଆମକୁ ଆଜିଠାରୁ ଏକ ସଂକଳ୍ପ ନେବାକୁ ପଡ଼ିବ। ସେହି ସଂକଳ୍ପକୁ ଚରିତାର୍ଥ କରିବା ପାଇଁ ଆମେ ଅବିରତ ଭାବେ ପରିଶ୍ରମ କରିଚାଲିଲେ ୨୫ବର୍ଷ ପରେ ସଫଳତା ପାଇପାରିବା। ତେଣୁ ସୌଖୀନ ଦୁନିଆର ଚାକଚକ୍ୟ ପ୍ରତି ଆକୃଷ୍ଟ ନ ହୋଇ ପାଠପଢ଼ାରେ ଦୃଢ଼ ମନୋନିବେଶ କର। ବାପା, ମା’ ଓ ଶିକ୍ଷକଙ୍କୁ ସମ୍ମାନ ଦିଅ। ସେମାନଙ୍କୁ ସତ କହିବାର ସାହସ ରଖ। ସମୟ ନଷ୍ଟ କର ନାହିଁ। ନରଣପୁରସ୍ଥିତ କେଏମ୍‌ବିବି କଲେଜରେ ଅନୁଷ୍ଠିତ ଅଭିମୁଖୀକରଣ (ଓରିଏଣ୍ଟେସନ୍‌)‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଯୁକ୍ତ ୨ ବିଜ୍ଞାନର ନବାଗତ ଛାତ୍ରଛାତ୍ରୀଙ୍କୁ ଆଜି ସଫଳତାର ଏହି ଗୁରୁମନ୍ତ୍ର ଦେଇଛନ୍ତି।

‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଡ. ସାହୁ ଆହୁରି କହିଥିଲେ ଯେ ଇଣ୍ଟରନେଟ୍‌ ଯୁଗରେ ସମଗ୍ର ବିଶ୍ବ ଗୋଟିଏ ଗାଁ ଭଳି ସୀମିତ ହୋଇଯାଇଛି। ତେଣୁ ତୁମ ପାଖରେ ସହଜରେ ଜ୍ଞାନ ଆହରଣ କରିବାର ସୁଯୋଗ ରହିଛି। ଅନ୍ୟତମ ଅତିଥି ପ୍ରଫେସର ଲମ୍ବୋଦର ସିଂ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ କହିଥିଲେ ଯେ ଆଇନଷ୍ଟାଇନ୍, ଗାଲିଲିଓ ଓ ମ‌ାର୍କୋନୀଙ୍କ ଭଳି ବୈଜ୍ଞାନିକଙ୍କୁ ଆଦର୍ଶ ଭାବେ ଗ୍ରହଣ କରି କଠିନ ପରିଶ୍ରମ କର।

‘ସମ୍ବାଦ’ର ସଂପାଦକ ଶ୍ରୀ ପଟ୍ଟନାୟକ କହିଥିଲେ, ଆମ ରାଜ୍ୟର ଅଧିକାଂଶ ବାପା, ମା’ ସେମାନଙ୍କ ପିଲାଙ୍କ ଶତ୍ରୁ। ପିଲାଟି କ’ଣ ହେବାକୁ ଚାହୁଛି, ବିଚାର ନ କରି ନିଜ ଇଚ୍ଛା ତା’ ଉପରେ ଲଦି ଦିଅନ୍ତି। ତେଣୁ ଅଭିଭାବକମାନେ ଏଥିପ୍ରତି ଯଥେଷ୍ଟ ସଚେତନ ହେବା ଆବଶ୍ୟକ। ପିଲାଟି କ’ଣ ହେବାକୁ ଚାହୁଛି, ତାହା ସଂପୂର୍ଣ୍ଣ ଭାବେ ତା’ ଉପରେ ଛାଡ଼ି ଦିଅନ୍ତୁ। ପ୍ରବୃତ୍ତି ଅନୁସାରେ ତାକୁ ବୃତ୍ତି ଚୟନ କରିବାକୁ ସୁଯୋଗ ଦିଅନ୍ତୁ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ‘ସମ୍ବାଦ’ ଶିକ୍ଷା ସମୂହର ଉପାଧ୍ୟକ୍ଷ ଅଭନୀଶ ଶର୍ମା, ‘ସମ୍ବାଦ’ ଗ୍ରୁପ୍‌ର ନିର୍ଦ୍ଦେଶିକା ତଲ୍ଲୀନା ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ‘ସମ୍ବାଦ’ ଶିକ୍ଷା ସମୂହର ନିର୍ଦ୍ଦେଶକ ପ୍ରଫେସର୍‌ ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର