ସାମୂହିକ ଆତ୍ମାହୁତି ପାଇଁ ଓଇସି କର୍ମଚାରୀଙ୍କ ଚେତାବନୀ

ପୁରୁଣା ଭୁବନେଶ୍ୱର: ଦୁଃଖ ଦୁର୍ଦ୍ଦଶାରେ ମରିବା ଅପେକ୍ଷା ସାମୂହିକ ଆତ୍ମହତ୍ୟା କରିବୁ। ସରକାର ଆମ ସମସ୍ୟା ସମାଧାନ ନକଲେ ଆସନ୍ତା ୨୫ତାରିଖ ପୂର୍ବାହ୍ନ ୧୦ଟାରେ ନବୀନ ନିବାସ ଆଗରେ ଆତ୍ମାହୁତି ଦେବୁ ବୋଲି ଓଡ଼ିଶା ଇଞ୍ଜିନିୟରିଂ କଲେଜ (ଓଇସି) ଏମ୍ପ୍ଲଇଜ୍ ୟୁନିୟନ ପକ୍ଷରୁ କୁହାଯାଇଛି।

ୟୁନିୟନ ପକ୍ଷରୁ ବିଧାୟକ ସୁରେଶ ରାଉତରାୟଙ୍କ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଏହି ବୈଷୟିକ କଲେଜ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଓଡ଼ିଶାର ସର୍ବ ପୁରାତନ ଏହି କଲେଜର ପରିଚାଳନା କମିଟିର ଅର୍ଥ ତୋଷରପାତ ଯୋଗୁଁ କଲେଜ ବନ୍ଦ ହେବାକୁ ବସିଲାଣି। ଏହି କଲେଜକୁ ସରକାର ହାତକୁ ନେବାକୁ ସଂଘ ପକ୍ଷରୁ ଦାବି ହୋଇଛି। ଦୀର୍ଘ ବର୍ଷ ହେଲା ୩୫୦ରୁ ଊର୍ଧ୍ବ କର୍ମଚାରୀ କାମ କରୁଥିବା ବେଳେ ନିୟମିତ ଭାବେ ଦରମା ପାଉନାହାନ୍ତି। ଦରମା ନପାଇ ପ୍ରୋଗ୍ରାମର ଘନଶ୍ୟମା ପାଣ୍ଡେ ତମାଣ୍ଡୋ ଥାନା କଳିଙ୍ଗ ବିହାରରେ କମ୍ପ୍ୟୁଟର ହାର୍ଡୱାର ଦୋକାନ କରିଥିଲେ। ସେ କଲେଜରୁ ବହିଷ୍କାର ହୋଇନଥିଲେ କି ଦରମା ପାଉନଥିଲେ। ତେବେ ଶ୍ରୀ ପାଣ୍ଡେ ଗତକାଲି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ଏପରି ଆତ୍ମହତ୍ୟା କରିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସାମୁହିକ ଆତ୍ମହତ୍ୟା କରିବେ ବୋଲି ୟୁନିୟନ ପକ୍ଷରୁ ଚେତାବନୀ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ୟୁନିୟନର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ ପହଞ୍ଚି ସ୍ବର୍ଗତ ପାଣ୍ଡେଙ୍କ ପାଇଁ ନୀରବ ପ୍ରାଥନା କରିବା ସହ ସରକାର ଏଥିପ୍ରତି ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ। ଏଥିରେ ୟୁନିୟନର ସମ୍ପାଦକ ଅଙ୍ଗଦ କୁମାର ବିଶ୍ବାଳ, ଶୁଭେନ୍ଦୁ ପାଣି, ନୀହାର ରଞ୍ଜନ ପଣ୍ଡା, ଏସ୍‌ଏସ୍‌ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଥାଉକି ନିୟମିତ ଦରମା, ଅବସରକାଳୀନ ସୁବିଧା, ଇପିଏଫ୍ ଓ ଇଏସ୍ଆଇ ଜମା କରିବା, ବିନା କାରଣରେ ନିଲମ୍ବନ ବନ୍ଦ କରିବା ଆଦି ବିଭିନ୍ନ ଦାବି ୟୁନିୟନ ପକ୍ଷରୁ ଦୀର୍ଘଦିନ ହେଲା ହୋଇ ଆସୁଛି।

ସମ୍ବନ୍ଧିତ ଖବର