ଖଣ୍ଡଗିରି : ଓଡ଼ିଆ ଏକ ସମୃଦ୍ଧ ଶାସ୍ତ୍ରୀୟ ଭାଷା। ଯେତିକି ସାଧାରଣ ସେତିକି ଶକ୍ତିଶାଳୀ। ଜଗତର ନାଥ ଜଗନ୍ନାଥଙ୍କ ମାଟିର ଏହି ମଧୁର ଦେବ ଭାଷା ମନରେ ରସ ଓ ରାସ ଭରିଦିଏ। ଆଜି ଭଳି ପବିତ୍ର ନୀଳାଦ୍ରିବିଜେ ଅବସରରେ ଏହି ଭାଷାକୁ ଡିଜିଟାଲ ପ୍ଲାଟଫର୍ମରେ ପଢ଼ିବା ଓ ଶୁଣିବା ସୁଯୋଗ ସୃଷ୍ଟି କରାଯିବା ଭଳି ପଦକ୍ଷେପକୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ଏହି ଭାଷାର ସୌନ୍ଦର୍ଯ୍ୟକୁ ପ୍ରସାର କରାଇବା ପାଇଁ ପ୍ରାଚୀନ ଲେଖକ, କବି ଓ ଔପନ୍ୟାସିକମାନଙ୍କ କାଳଜୟୀ ଲେଖାସବୁକୁ ୱେବ୍ସାଇଟ୍ରେ ଯୋଡ଼ିବା ଏକ ବଡ଼ ଅଭିନନ୍ଦନୀୟ କାର୍ଯ୍ୟ। ଆଜି ଉଦୟଗିରି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟିତ ହୋଇଥିବା ‘ରିସାଇଟ୍ ୱାର୍ଲ୍ଡ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହା କହିଛନ୍ତି।
କାର୍ଯ୍ୟକ୍ରମରେ ‘ସମ୍ବାଦ’ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଯୋଗ ଦେଇ କହିଥିଲେ ସେ ଛାତ୍ର ଜୀବନରେ ପଢ଼ିଥିବା କିଛି ଓଡ଼ିଆ ଗପ ଆଜି ବି ତାଙ୍କ ମନରେ ଗର୍ବ ସୃଷ୍ଟି କରେ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ବୁଢ଼ା ଶଙ୍ଖାରି’, ପଣ୍ଡିତ ଗୋଦାବରିଶ ମହାପାତ୍ରଙ୍କ ‘ନୀଳମାଷ୍ଟରାଣୀ’, ‘ମାଗୁଣିର ଶଗଡ଼’, ବ୍ୟାସକବି ଫକୀରମୋହନ ସେନାପତିଙ୍କ ‘ଡାକମୁନିସ୍’ ଭଳି ଗପ ସବୁବେଳେ ତାଙ୍କୁ ରୋମାଞ୍ଚିତ କରେ ବୋଲି ସେ କହିଥିଲେ। ବାଲ୍ୟାବସ୍ଥାରୁ ଯେଉଁମାନେ ନିଜ ମାତୃଭାଷାରେ ଯେତେ ଅଧିକ ସମୃଦ୍ଧ, ଅନ୍ୟ ଭାଷା ଶିଖିବା ସେମାନଙ୍କ ପାଇଁ ସେତେ ସହଜ ହୋଇଥାଏ ବୋଲି ନିଜ ଅନୁଭବରୁ ସେ କହିଥିଲେ। ବିଭିନ୍ନ କାରଣରୁ ଓଡ଼ିଆ ଯୁବପିଢ଼ି ଆଜି ନିଜ ମାତୃଭାଷାର ମାଧୁର୍ଯ୍ୟରୁ ବଞ୍ଚିତ। ଆଗ୍ରହ ଥିବା ସତ୍ତ୍ବେ ସୁଯୋଗ ଅଭାବରୁ ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ମାତ୍ର ଏଣିକି ଆଉ ଏହି ସମସ୍ୟା ରହିବ ନାହିଁ। ଉଦୟଗିରି ଫାଉଣ୍ଡେସନ୍ ଟ୍ରଷ୍ଟର ରିସାଇଟ୍ ୱାର୍ଲ୍ଡ ପ୍ରୋଗ୍ରାମ୍ ଓଡ଼ିଆ ଭାଷାକୁ ଯୁବପିଢ଼ି ନିକଟରେ ସହଜରେ ପହଞ୍ଚାଇ ପାରିବ। ରିସାଇଟ୍ ୱାର୍ଲ୍ଡ ୱେବ୍ସାଇଟ୍ରେ ଏଣିକି ଓଡ଼ିଆ ଅଡିଓ ବୁକ୍ସ ଉପଲବ୍ଧ ହେଉଥିବାରୁ ଏହା ଅନେକଙ୍କୁ ଆକୃଷ୍ଟ କରିବ। ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଉପଯୋଗ କରି ଓଡ଼ିଆ ଭାଷାର ପ୍ରସାର ପାଇଁ ଉଦ୍ଦିଷ୍ଟ ଏହି ଉଦ୍ୟମ ସହ ସେ ଯୋଡ଼ି ହୋଇ ରହିବେ ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ମୋ ସ୍କୁଲ୍ ଅଭିଯାନ’ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚି କହିଥିଲେ ଯେ ଏହି ପଦକ୍ଷେପ ଦ୍ବାରା ପ୍ରବାସୀ ଓଡ଼ିଆମାନେ ଅଧିକ ଉପକୃତ ହେବେ। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ହାତପାହାନ୍ତାରେ ମୋବାଇଲ୍ ଫୋନ୍ରେ ଓଡ଼ିଆ ବହି ପାଇପାରିବେ, ଓଡ଼ିଆ ଗପ ଶୁଣିପାରିବେ। ବସ୍, ଟ୍ରେନ୍ ବା ବିମାନରେ ଯାତ୍ରା କଲାବେଳେ ମୋବାଇଲ୍ ଫୋନ୍ରୁ ଗପ ଶୁଣିପାରିବେ। ତେଣୁ କର୍ମମୟ ଜୀବନରେ ଓଡ଼ିଆ ବହି ପଢ଼ିବା ସୁଯୋଗରୁ ବଞ୍ଚିତ ହେଉଥିବା ଓଡ଼ିଆମାନଙ୍କ ପାଇଁ ଏହି ପଦକ୍ଷେପ ବେଶ୍ ଭଲ ବୋଲି ସେ ପ୍ରଶଂସା କରିଥିଲେ।
ରିସାଇଟ୍ ୱାର୍ଲ୍ଡ ପ୍ରୋଗ୍ରାମର ମୁଖ୍ୟ ଜେପି ଜଗଦେବ ପ୍ରବାସରେ ଜୀବନ କାଟିବା ବେଳର ଅନୁଭୂତିରୁ ରିସାଇଟ୍ ୱାର୍ଲ୍ଡର ସୃଷ୍ଟି ବୋଲି କହିଥିଲେ। ଓଡ଼ିଆ ସାହିତ୍ୟର କାଳଜୟୀ ଗଳ୍ପଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମରେ ପଢ଼ିବା ଓ ଶୁଣିବା ପାଇଁ ଏହି ଯୋଜନା କରାଯାଇଛି। ଗୋଟିଏ ଗପ ସହ ଲେଖକଙ୍କ ପରିଚୟ ଓ କଷ୍ଟ ଶବ୍ଦର ଅର୍ଥ ଜାଣିବା ପାଇଁ ଏଥିରେ ସୁବିଧା ରହିଛି। ତେଣୁ ଏହା ଏକ ଭର୍ଚୁଆଲ ଲାଇବ୍ରେରି ବୋଲି ସେ କହିଥିଲେ।