ଜାପାନ ଚଳଚ୍ଚିତ୍ର ମହୋତ୍ସବରେ ବିଚାରକ ହେବେ ଓଡ଼ିଆ ପୁଅ ଜି‌ତେନ୍ଦ୍ର

ଭୁବନେଶ୍ବର: ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର ଜାପାନର ‘୨୯ତମ କିନେକୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୨’ ପାଇଁ ବିଚାରକ ଭାବେ ମନୋନୀତ ହୋଇଛନ୍ତି। ଶ୍ରୀ ମିଶ୍ର ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର, ଜାପାନୀ ଚଳଚ୍ଚିତ୍ର ଓ ସିଫେଜ ପୁରସ୍କାର ଭଳି ତିନୋଟି ଗୁରୁତ୍ବପୂର୍ଣ୍ଣ ବିଭାଗର ଚୟନକର୍ତ୍ତା ଭାବେ ଦାୟିତ୍ବ ଗ୍ରହଣ କରିବେ।

୧୯୯୨ ମସିହାରେ ଟୋକିଓ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଭାବେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ପରବର୍ତ୍ତୀ ସମୟରେ ‘କିନେକୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ ଭାବରେ ଜାପାନ ପିଲାମାନଙ୍କ ଭିତରେ ବେଶ ଆଦୃତି ଲାଭ କରିଛି। ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବରେ ୧୦ ହଜାରରୁ ଊର୍ଦ୍ଧ୍ବ ଶିଶୁ, ଯୁବକ, ଅନ୍ତର୍ଜାତୀୟ ଅତିଥିଙ୍କ ଗହଣରେ ଚଳଚ୍ଚିତ୍ରଗୁଡ଼ିକୁ ପ୍ରଦର୍ଶିତ କରାଯାଇଥାଏ।

ଟିଟିଲାଗଡ଼ରେ ଜନ୍ମିତ ଶ୍ରୀ ମିଶ୍ର ଭାରତୀୟ ଚଳଚ୍ଚତ୍ର ନିର୍ମାତା ଏବଂ ପୃଷ୍ଠ‌ପୋଷକ ଭାବେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଏଥିସହ ଅନ୍ତର୍ଜାତୀୟସ୍ତରରେ ଚଳଚ୍ଚିତ୍ର ପ୍ରସ୍ତୁତି, ବିତରଣ ଏବଂ ପ୍ରସାର କରିବାରେ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। ବିଭିନ୍ନ ବର୍ଗରେ ୧୧୦ରୁ ଅଧିକ ଚଳଚ୍ଚିତ୍ରର ପ୍ରସ୍ତୁତି, ବିତରଣ ଏବଂ ପ୍ରଚାରପ୍ରସାର ସହିତ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଛି।

ସମ୍ବନ୍ଧିତ ଖବର