ବଲିଉଡ୍‌ରେ କାମ କରିଥିବା ଓଡ଼ିଆ ପୁଅ ବିକୁଛନ୍ତି ପରିବା, ସିନେମା ଶିଡ଼ି ଚଢ଼ିବା ବାଟରେ କଣ୍ଟା ହୋଇଛି କରୋନା

ଭୁବନେଶ୍ବର: ସ୍ବପ୍ନ ଥିଲା ପୁଲିସ୍‌ରେ ଯିବେ ନଚେତ ସୈନିକ ହେବେ। ମାତ୍ର ଦାରିଦ୍ରୢ ତାଙ୍କ ପଢ଼ାରେ ରୋକ୍‌ ଲଗାଇଲା। ପାଠ ସିନା ବନ୍ଦ ହୋଇଗଲା, କିନ୍ତୁ ଉତ୍ତମ ଚେହେରା ପାଇଁ ବଲିଉଡ୍‌ରେ ଛୋଟମୋଟ କାମ ମିଳିଗଲା। ହୁଏତ ସେ କୌଣସି ବଳିଷ୍ଠ ଚରିତ୍ରରେ ଅଭିନୟ କରିନଥିଲେ କିନ୍ତୁ ବଲିଉଡ୍‌ରେ ୬ ମାସ ଭିତରେ ୬ଟି ଫିଲ୍ମ ସହ ଏକ ହିନ୍ଦୀ ଧାରାବାହିକରେ କ୍ଷୁଦ୍ର ଭୂମିକା ପାଇଲେ। ଅକ୍ଷୟ କୁମାର, ସଞ୍ଜୟ ଦତ୍ତ, ରଣବୀର ସିଂହ, ଅଜୟ ଦେବଗନ, ଜନ୍‌ ଆବ୍ରାହମଙ୍କ ଭଳି ଦିଗ୍‌ଗଜ କଳାକାରଙ୍କ ସହ ବଲିଉଡ୍‌ରେ ଧୀରେଧୀରେ ସ୍ଥାନ ମଜଭୁତ କରି ଆସୁଥିବା ବ‌େଳେ ଓଡ଼ିଆ ପୁଅ କାର୍ତିକ ସାହୁଙ୍କ ବାଟରେ କଣ୍ଟା ସାଜିଲା କରୋନା। ରୋଜଗାର ହରାଇ ଘରେ ବସି ରହିବା ପରେ ଏବେ ସେ ପଳାଶୁଣି ହାଟରେ ପରିବା ବିକୁଛନ୍ତି। କାର୍ତିକଙ୍କ ଘର କେନ୍ଦ୍ରାପଡ଼ା ଗରଦପୁରରେ।

ଚାଷୀ ପରିବାରରେ ଜନ୍ମିତ କାର୍ତିକଙ୍କର ଅଭିନୟ ପ୍ରତି ଦୁର୍ବଳତା ଥିଲେ ହେଁ ପୁଲିସ୍‌ରେ ଭର୍ତି ହେବା ପାଇଁ ପ୍ରୟାସ ଜାରି ରଖିଥିଲେ। କିନ୍ତୁ ଯେବେ ନିଜ ବାପାଙ୍କୁ ବାଦାମ ଚାଷ ପାଇଁ ୧ ହଜାର ଟଙ୍କା ବି ଯୋଗାଡ଼ କରି ଦେଇପାରିଲେନି ସେବେ ସେ ଓଡ଼ିଶା ଛାଡ଼ି ମୁମ୍ବାଇ ପଳେଇଲେ। ୨୦୦୪ରେ ମୁମ୍ବାଇ ଯିବା ପରେ ସେଠାରେ ୧୨୦୦ ଟଙ୍କା ବେତନରେ ଏକ ବିଦ୍ୟୁତ ଉପକରଣ ପ୍ରସ୍ତୁତି କମ୍ପାନିରେ କାମ କଲେ। ମାତ୍ର ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଯେବେ ସେ ବାରମ୍ବାର ଜିମ୍‌ ଗଲେ ସେଠାରୁ ତାଙ୍କୁ ଜଣେ ବିଲ୍‌ଡରଙ୍କ ବଡିଗାର୍ଡ ହେବାର ସୁଯୋଗ ମିଳିଲା। ଜିମ୍‌ରେ ଅଭ୍ୟାସ କରୁଥିବା ବେଳେ ସିନେମାରେ ଛୋଟ ଭୂମିକାଟିଏ ପାଇଁ ଜଣେ ବନ୍ଧୁ ସହଯୋଗ କଲେ। ଧାରାବାହିକ ‘ଶ୍ରୀ ଗଣେଶ’ରେ ଅଭିନୟ ସହ ଅକ୍ଷୟ କୁମାରଙ୍କ ନିର୍ମାଣାଧୀନ ‘ପୃଥ୍ବୀରାଜ ଚୌହାନ’ ଓ ‘ସୂର୍ଯ୍ୟବଂଶୀ’, ସଞ୍ଜୟ ଦତ୍ତଙ୍କ ‘ସମ୍‌ସେରା’, ରଣବୀର ସିଂହଙ୍କ ‘ଜୟେସ ଭାଇ ଜୋର୍‌ଦାର’, ଅଜୟ ଦେବଗନ୍‌ଙ୍କ ‘ତାନାଜି’ ସମେତ ଜନ୍‌ ଆବ୍ରାହମଙ୍କ ଅଭିନୀତ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସୁନ୍ଦର ସ୍ବାସ୍ଥ୍ୟ ପାଇଁ ସେ ଧୀରେଧୀରେ କାମ ପାଉଥିଲେ। ଭଲ ରୋଜଗାର ବି ହେଉଥିଲା। କିନ୍ତୁ ‘ପୃଥ୍ବୀରାଜ ଚୌହନ’ର ସୁଟିଂ ବନ୍ଦ ହୋଇଯିବା ପରେ ସେ ମୁମ୍ବାଇରୁ ଓଡ଼ିଶା ଫେରି ଆସିଥିଲେ। ଏବେ ସେ ରସୁଲଗଡ଼ସ୍ଥିତ କେନାଲ ରୋଡ୍‌ରେ ଘର ଭଡ଼ା ନେଇ ରହୁଥିବା ବ‌େଳେ ଚଳିବା ପାଇଁ ୨ହଜାର ଟଙ୍କା ନେଇ ପରିବା ବ୍ୟବସାୟ ଆରମ୍ଭ କରିଛନ୍ତି।

କାର୍ତିକ କହିଛନ୍ତି, ପିଲାବେଳୁ ଅଭିନୟ ପ୍ରତି ଦୁର୍ବଳତା ଥିଲା। ମାତ୍ର ଅବସ୍ଥା ଚକ୍ର‌ରେ ଅଭିନୟ ପାଇଁ ସୁଯୋଗ ମିଳିଗଲା। ଅମିତାଭ ବଚ୍ଚନ, ଶାହରୁଖ୍‌ ଖାନ୍‌, ଅମିର ଖାନ୍‌, ଅଭିଷେକ ବଚ୍ଚନ, ସଚ୍ଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ବିରାଟ କୋହଲି, ଯୁବରାଜ ସିଂହଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ବ୍ୟକ୍ତିଗତ ସୁରକ୍ଷାର ଦାୟିତ୍ବ ମିଳିଥିଲା। କନିଷ୍ଠ କଳାକାର ଭାବେ ପଞ୍ଜୀକରଣ କରିବା ପାଇଁ ସାଢ଼େ ୪ଲକ୍ଷ ଟଙ୍କା ଆବଶ୍ୟକ ପଡ଼ୁଥିଲେ ମଧ୍ୟ ତାହା ଦେଇପାରିନଥିବାରୁ ସେ ଏପର୍ଯ୍ୟନ୍ତ କଳାକାର ସଂଘରେ ପଞ୍ଜୀକୃତ ହୋଇପାରିନଥିବା କହିଛନ୍ତି। ତେବେ ଆଶା ଛାଡ଼ିନାହାନ୍ତି କାର୍ତିକ। କହିଛନ୍ତି, ସ୍ଥିତି ସ୍ବାଭାବିକ ହେଲେ ମୁଁ ପୁଣି ମୁମ୍ବାଇ ଫେରିଯିବି। କାର୍ତିକ ପୁଣି କହିଛନ୍ତି, ପରିବା ଦୋକାନ କରି ଏବେ ଗୁଜରାଣ ମେଣ୍ଟାଇବାରେ ମୋ’ର କୌଣସି ଅବ ସୋସ ନାହିଁ। ଆଗରୁ ଜୀବନରେ ବହୁ ସଂଘର୍ଷ ଦେଇ ଚାଲି ଆସିଛି। ତେଣୁ ଜୀବନର ଉତ୍‌ଥାନ ପତନକୁ ଦେଖିଥିବା ମୋ ଭଳି ମଣିଷଟିଏ ଏତେ ଶୀଘ୍ର କେବେ ଭାଙ୍ଗିପଡ଼ିବ ନାହିଁ।

ସମ୍ବନ୍ଧିତ ଖବର