ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ରାଜ୍ୟପାଳ
କେଏମ୍‌ବିବି ସହିତ ୧୦ ଉଚ୍ଚ ଶିକ୍ଷାନୁଷ୍ଠାନ ସମ୍ମାନିତ

Advertisment

ଭୁବନେଶ୍ବର : ଶିଶୁ ଭଗବାନଙ୍କ ଆତ୍ମା। କିନ୍ତୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ତାକୁ ମାନବିକତାଠାରୁ ଦୂରେଇ ଦେଉଛି। ତେଣୁ ଏଭଳି ଶିକ୍ଷା ଦେବାକୁ ପଡ଼ିବ, ଯାହା ପୁଣି ଶିଶୁକୁ ମାନବିକତାର ନିକଟତର କରାଇବ। ଶିଶୁଟିଏ ଜଗନ୍ନାଥଙ୍କୁ ନିଜର ପ୍ରେମିକ କରିପାରୁଥିବ। ବେଦବ୍ୟାସଙ୍କଠାରୁ ଆରମ୍ଭ କରି ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ; ଯେଉଁ ପୁସ୍ତକ ରଚନା କରିଛନ୍ତି, ତାହା କୌଣସି ଆଇନ ପଢ଼ି ନୁହେଁ, ବରଂ ପ୍ରଜ୍ଞାରୁ ରଚନା କରିଛନ୍ତି। ଭାରତର ଶିକ୍ଷା ବ୍ୟବସ୍ଥା ଆଧ୍ୟାତ୍ମିକ ହେବା ଉଚିତ। ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆୟୋଜିତ ତୃତୀୟ ଓଡ଼ିଶା ଶିକ୍ଷା ସମ୍ମାନ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଆଜି ଏହା କହିଛନ୍ତି। ଏହାସହ ଅଭିଭାବକ, ଶିକ୍ଷକ ନିଜ ଆକାଂକ୍ଷାର ବୋଝରେ ଶିଶୁକୁ ଚାପି ନଦେଇ ତାର ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଭର୍ଚୁଆଲ ବାର୍ତ୍ତା ଦେଇ ରାଜ୍ୟପାଳ ଶ୍ରୀ ଲାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁରିଭୁରି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଦେଶକୁ ଯେଉଁ ଜାତୀୟ ଶିକ୍ଷାନୀତି ଦେଇଛନ୍ତି, ତାହା ମାନବତା ଉପରେ ପର୍ଯ୍ୟବସିତ। ଏହି ଅବସରରେ ବିଭିନ୍ନ ବର୍ଗରେ ୧୦ ଶିକ୍ଷାନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା। ଏଥିମଧ୍ୟରେ ରାଜ୍ୟର ଶ୍ରେଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ କଟକର କେଏମ୍‌ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲ, ବିଶ୍ବବିଦ୍ୟାଳୟ ଭାବେ ଭୁବନେଶ୍ବରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ, ଇଂଜିନିୟରିଂ ମହାବିଦ୍ୟାଳୟ ଭାବେ ବ୍ରହ୍ମପୁରର ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକନଲୋଜି (ନିଷ୍ଟ), ବିକଶିତ ବିଦ୍ୟାଳୟ ଭାବେ ଭୁବନେଶ୍ବରର ଦି ଡିଏନ୍‌ ୱିଜଡମ୍‌ ଟ୍ରି ଗ୍ଲୋବାଲ ସ୍କୁଲ, ଆଇଏଏସ୍‌ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବେ ଭୁବନେଶ୍ବରର ଆପ୍ଟି ପ୍ଲସ୍‌ ଏକାଡେମି ଅଫ୍‌ ସିଭିଲ ସର୍ଭିସେସ୍‌, ପଲିଟେକନିକ୍‌ କଲେଜ ଭାବେ ବାରିପଦାର ଡିଭାଇନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟରିଂ ଆଣ୍ଡ ଟେ‌କ୍ନୋଲୋଜି, ଆଦିବାସୀ ବିଦ୍ୟାର୍ଥୀଙ୍କୁ ବୃତ୍ତିଗତ ଶିକ୍ଷା ଦେବାରେ ରାୟପୁରର ଆଇଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟ, ଶ୍ରେଷ୍ଠ ଆବାସିକ ବିଦ୍ୟାଳୟ ଭାବେ ଭୁବନେଶ୍ବର ଟାଇମ୍ସ ସ୍କଲାର୍ସ ଗୁରୁକୁଳ, ମେଡିକାଲ ପ୍ରଶିକ୍ଷଣ ଅନୁଷ୍ଠାନ ଭୁବନେଶ୍ବର କ୍ୟାରିଅର୍‌ ହାଇଟ୍ସ, ମ୍ୟାନେଜମେଣ୍ଟ କଲେଜ ଭାବେ ଭୁବନେଶ୍ବରର ୟୁନାଇଟେଡ୍‌ ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ (ୟୁଏସ୍‌‌ବିଏମ୍)ଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ବିଭାଗୀୟ ମୁଖ୍ୟ ପ୍ରଫେସର୍‌ ଡ. ସୁକାନ୍ତ କୁମାର ନନ୍ଦ ଶିକ୍ଷାନୁଷ୍ଠାନମାନଙ୍କୁ ସମ୍ମାନିତ କରିଥିଲେ। ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ। ଆଦ୍ୟାଶ୍ରୀ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନ ପକ୍ଷରୁ ଗିରୀଶ ରଂଜନ ସାହୁ, ସତ୍ୟବ୍ରତ ବଳିଆରସିଂହ, ବୀରେନ୍‌ କୁମାର ସାହୁ, ଗୀତାଞ୍ଜଳି ମିଶ୍ର ଓ ଇପ୍ସିତା ଆଚାର୍ଯ୍ୟ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।