‘ଅମୃତ-୨’ ଯୋଜନା ଜାତୀୟ ଟାସ୍କଫୋର୍ସରେ ଓଡ଼ିଆ ଇଞ୍ଜିନିୟର

୫୦୦ ଅମୃତ ସହରରେ ୨୪ଘଣ୍ଟା ପାଣି ଯୋଗାଣ ହେବ

ଭୁବ‌େନଶ୍ବର: ‘ଅମୃତ-୨’ ଯୋଜନାରେ କେନ୍ଦ୍ର ସରକାର ଜଳ ଯୋଗାଣକୁ ଫୋକସ୍‌ କରିଛନ୍ତି। ଦେଶର ୫୦୦ଟି ଅମୃତ ସହରରେ ୨୪ଘଣ୍ଟିଆ ପାଣି ଯୋଗାଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ସେଣ୍ଟ୍ରାଲ ପବ୍ଲିକ ହେଲ୍‌ଥ ଆଣ୍ଡ ଏନଭାଇରନମେଣ୍ଟାଲ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ (ସିପିଏଚ୍‌ଇଇଓ)ର ଉପଦେଷ୍ଟା ଏମ୍‌. ଧୀନାଧୟାଲନଙ୍କ ଅଧ୍ୟକ୍ଷତାରେ ଗଠନ ହୋ‌ଇଥିବା ଟାସ୍କଫୋର୍ସରେ ଓଡ଼ିଆ ଇଞ୍ଜିନିୟର ତଥା ୱାଟ୍‌କୋର ସିଇଓ ପ୍ରଦୀପ୍ତ କୁମାର ସ୍ବାଇଁ ସଦସ୍ୟ ଅଛନ୍ତି। ସାରା ଦେଶରେ ପ୍ରଥମ ସହର ଭାବେ ପୁରୀରେ ୨୪ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଣରେ ଶ୍ରୀ ସ୍ବାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଛି।

ଜାତୀୟ ଟାସ୍କଫୋର୍ସରେ ସାମିଲ୍‌ ହେବା ପରେ ଶ୍ରୀ ସ୍ବାଇଁ କହିଛନ୍ତି ଯେ, ଆମେ ୨୪ଘଣ୍ଟା ପାନୀୟ ଜଳ ଯୋଗାଣ କରି ସାରା ଦେଶରେ ଉଦାହରଣ ସୃଷ୍ଟି କରୁଛି। ବିଭିନ୍ନ ରାଜ୍ୟର ପ୍ରତିନିଧି ଦଳ ପୁରୀ ଆସି ଆମ ପ୍ରକଳ୍ପ ଦେଖିକି ଯାଇଛନ୍ତି। ସମସ୍ତେ ଏହାକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ସରକାର ୫୦୦ ସହରର ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଅତି କମ୍‌ରେ ଗୋଟିଏ ସହରରେ ଗୋଟିଏ ୱାର୍ଡରେ ବା ୨୦୦୦ ପାଣି ମିଟର ଲାଗିଥିବା ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏବେ ୩ବର୍ଷ ପାଇଁ ପରେ ପ୍ରକଳ୍ପ ଶେଷ ହେବା ପର୍ଯ୍ୟନ୍ତ ଏହି ଟାସ୍କଫୋର୍ସର ସଦସ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଜାତୀୟ ଟାସ୍କଫୋର୍ସ ପାଣି ଯୋଗାଣ ପାଇଁ ନୂଆ ନିୟମ ପ୍ରସ୍ତୁତ କରିବ, ସହର ଅନୁଯାୟୀ ଆର୍‌ଏଫ୍‌ପି, ବିଶୁଦ୍ଧ ପାଣି ଯୋଗାଣ, ଏନ୍‌ଆର୍‌ଡବ୍ଲ୍ୟୁ କମାଇବା, ବିଭିନ୍ନ ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ କରିବା, ବୈଷୟିକ ଜ୍ଞାନକୌଶଳ ଯୋଗାଇବା, ବିଦେଶରେ ବ୍ୟବହାର ହେଉଥିବା ପଦ୍ଧତି ବ୍ୟବହାର କରିବା, ରାଜ୍ୟ ଓ ସହରସ୍ତରରେ ଗଠନ ହେବାକୁ ଥିବା ଟାସ୍କଫୋର୍ସକୁ ସହଯୋଗ କରିବ।

ସମ୍ବନ୍ଧିତ ଖବର