ତାଞ୍ଜାନିଆରେ ମହୁମାଛି ଆକ୍ରମଣରେ ଓଡ଼ିଆ ଇଂଜିନିୟରଙ୍କ ମୃତ୍ୟୁ, ଭୁବନେଶ୍ବରରେ ହେଲା ଅନ୍ତିମ ସଂସ୍କାର

ଭୁବନେଶ୍ୱର: ତାଞ୍ଜାନିଆର ସିନ୍ୟାଙ୍ଗ ପ୍ରଦେଶରେ କାର୍ଯ୍ୟରତ ଯୁବ ଓଡ଼ିଆ ଇଞ୍ଜିନିୟର ଦିଲ୍ଲୀପ କୁମାର ପାତ୍ରଙ୍କ ମହୁମାଛି ଆକ୍ରମଣରେ ଗତ ୨୧ ତାରିଖରେ ମୃତ୍ୟୁ ଘଟିଛି। ବୁଧବାର ଆଞ୍ଜେଲିକ୍ ଇଣ୍ଟର ନ୍ୟାସନାଲ କମ୍ପାନିର ସିନୟାଙ୍ଗସ୍ଥିତ ଗୋଦାମ ଘର ପର୍ଯ୍ୟବେକ୍ଷଣ କରୁଥିବା ବେଳେ ସେ ସେଠାରେ ରହୁଥିବା ବିଷାକ୍ତ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଥିଲେ। ମହୁମାଛିଙ୍କ ଆକ୍ରମଣ ଏତେ ତୀବ୍ର ଥିଲା ଯେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଇ ଘଣ୍ଟା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପରେ ସ୍ବର୍ଗତ ପାତ୍ରଙ୍କ ମର ଶରୀରକୁ ତାଞ୍ଜାନିଆରୁ ବିମାନ ଯୋଗେ ରାଜଧାନୀ ଭୁବନେଶ୍ବରକୁ ଅଣା ଯାଇଥିଲା। ସୋମବାର ସନ୍ଧ୍ୟାରେ ସ୍ବର୍ଗତ ପାତ୍ରଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିମାନବନ୍ଦରରେ ବରିଷ୍ଠ ଇଞ୍ଜିନିୟର ଜଗଦୀଶ ଚନ୍ଦ୍ର ନାୟକ, ସଙ୍କଳନ ସେନଗୁପ୍ତା, ଇଂ ବିଶ୍ୱଜିତ ମହାନ୍ତି, ଉଚ୍ଚଶିକ୍ଷା ବିଭାଗର ଉପ ନିର୍ଦେଶିକା ଡାକ୍ତର ବିଜୟା ପାତ୍ର, ଗଣଶିକ୍ଷା ବିଭାଗ ବରିଷ୍ଠ ଅଧିକାରୀ ପ୍ରଶାନ୍ତ କୁମାର ସ୍ବାଇଁ, ବିଜେବି କଲେଜ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ମୁଖ୍ୟ ଡ. ନଳିନୀ କୁମାର ପାତ୍ର ପ୍ରମୁଖ ସ୍ବର୍ଗତ ପାତ୍ରଙ୍କ ପରିବାର ଓ ବନ୍ଧୁ ପରିଜନ ଉପସ୍ଥିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସତ୍ୟନଗର ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା।

ସ୍ବର୍ଗତ ପାତ୍ର ବ୍ରହ୍ମପୁର ଆଙ୍କୁଲିସ୍ଥିତ ଇନ୍ଦିରା ନଗର ନିବାସୀ ହୋଇଥିବାରୁ ସେଠାରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ୪ ବର୍ଷ ଧରି ଆଫ୍ରିକାର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରିବା ସମୟରେ ସେ ଓଡ଼ିଆ ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କୁ ଆଫ୍ରିକାର ଲୋକଙ୍କ ନିକଟରେ ପରିଚିତ କରାଇଥିଲେ। ଶେଷ ପର୍ଯ୍ୟନ୍ତ ସେ ଅବିବାହିତ ଥିଲେ।

ସମ୍ବନ୍ଧିତ ଖବର