ଓଟିଟି ଦୁଆର ମାଡ଼ିପାରୁନି ଓଡ଼ିଆ ଚଳଚ୍ଚିତ୍ର

ନକଲ ନ ଛାଡ଼ିଲେ ବିପଦ

ଭୁବନେଶ୍ବର : ଗତବର୍ଷ ୧୭ ଡିସେମ୍ବର‌ରେ ମୁକ୍ତିଲାଭ କଲା ମେଗା ଷ୍ଟାର୍‌ ଆଲୁ ଅର୍ଜୁନଙ୍କ ତେଲ୍‌ଗୁ ଚଳଚ୍ଚିତ୍ର ‘ପୁଷ୍ପା’। ଏହା ବକ୍ସ ଅଫିସ୍‌ରେ ଏମିତି ଧମାକା କଲା ଯେ ସିନେପ୍ରେମୀଙ୍କୁ ବ୍ଲାକ୍‌ରେ ବି ଟିକେଟ୍‌ ମିଳିଲା ନାହିଁ। ତେଣୁ ସିନେପ୍ରେମୀମାନେ ଓଟିଟି(ଓଭର ଦ ଟପ୍‌) ପ୍ଲାଟ୍‌ଫର୍ମକୁ ଟାଣି ହୋଇଗଲେ। ପ୍ରଥମେ ଆମାଜନ୍‌ ପ୍ରାଇମ୍‌ରେ ଏହି ଚଳଚ୍ଚିତ୍ର ତେଲ୍‌ଗୁ, ତାମିଲ୍‌, ମାଲାୟଲମ୍‌ ଓ କନ୍ନଡ଼ ଭାଷାରେ ଉପଲବ୍ଧ ହେଲା। କାହାଣୀ ଓ ନିର୍ମାଣଶୈଳୀ ଏମିତି ଆକର୍ଷଣୀୟ ଓ ସ୍ବତନ୍ତ୍ର ଥିଲା ଯେ ସିନେପ୍ରେମୀଙ୍କ ପାଇଁ ସେସବୁ ଭାଷା ବାଧକ ହେଲା ନାହିଁ। ସେସବୁ ଭାଷା ନବୁଝୁଥିବା ଦର୍ଶକମାନେ ଆମାଜନ୍‌ ପ୍ରାଇମ୍‌ରେ ପୁଷ୍ପା ଦେଖିଲେ। ଚାହିଦା ଏଭଳି ବଢ଼ିଲା ଯେ ଜାନୁଆରି ୧୪ ତାରିଖ ସୁଦ୍ଧା ଆମାଜନ୍‌ ପ୍ରାଇମ୍‌ରେ ‘ପୁଷ୍ପା’ର ହିନ୍ଦୀ ଭର୍ସନ ଆସିଗଲା। ବ୍ୟାବସାୟିକ ସଫଳତା ଦୃଷ୍ଟିରୁ ଏକ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ବଲିଉଡ୍‌କୁ ଟକ୍କର ଦେଲା। ପୂର୍ବରୁ ତେଲ୍‌ଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ବାରମ୍ବାର ଏହା ପ୍ରମାଣିତ କରିଛି। ବଡ଼ ପରଦାରୁ ଓଟିଟି ପ୍ଲାଟ୍‌ଫର୍ମ ଯାଏଁ, ସବୁଥିରେ ତେଲ୍‌ଗୁ ଚଳଚ୍ଚିତ୍ର ନିଜର ଦବ୍‌ଦବା ଜାହିର କରିଆସିଛି। କିନ୍ତୁ ପରିତାପର କଥା, ଏଥିରେ ପଛରେ ପଡ଼ିଛି ଆମ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ଶିଳ୍ପ। ସମ୍ପ୍ରତି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ବୁଡ଼ିଯିବ ବୋଲି ଆଶଙ୍କା କରାଯାଉଥିବା ବେଳେ ଓଟିଟି ପ୍ଲାଟଫର୍ମ ଏହାକୁ ପୁଣି ଅଣ୍ଟା ସଳଖି ଠିଆ ହେବାକୁ ସୁଯୋଗ ସୃଷ୍ଟି କରିପାରିବ। କିନ୍ତୁ ଏହି ପ୍ଲାଟ୍‌ଫର୍ମରେ ବି ପଛରେ ପଡ଼ି ଯାଇଛି ଓଡ଼ିଆ ଶିଳ୍ପ। କମ୍‌ ବଜେଟ୍‌ରେ ପ୍ରସ୍ତୁତ ଚଳଚ୍ଚିତ୍ର, ଓଡ଼ିଆ ସବ୍‌ସ୍କ୍ରାଇବର୍‌ଙ୍କ ଅଭାବ ଓ କାହାଣୀରେ ନିଚ୍ଛକ ଓଡ଼ିଆପଣ ନଥିବା କାରଣରୁ ଓଡ଼ିଆ ଚଳଚ୍ଚିତ୍ର ଜାତୀୟସ୍ତରର ଓଟିଟି ପ୍ଲାଟଫର୍ମରେ ନିଜର ଉପସ୍ଥିତି ଜାହିର୍‌ କରିପାରୁନାହିଁ ବୋଲି ସିନେପ୍ରେମୀମାନେ ଅଭିଯୋଗ କରିଛନ୍ତି।

ଗତ ୧୦ ବର୍ଷ ହେଲା ଓଟିଟିର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ କରୋନା କାଳରେ ଏହା ଅଧିକ ମାତ୍ରାରେ ଦର୍ଶକୀୟ ଆଦୃତି ସାଉଁଟିଛି। ସିନେମା ହଲ୍‌ ବନ୍ଦ ରହୁଥିବାରୁ ଦର୍ଶକମାନେ ଏହି ମାଧ୍ୟମକୁ ବେଶି ପସନ୍ଦ କରୁଛନ୍ତି। ଏବେ ସ୍ଥିତି ଏମିତି ହେଲାଣି ଆଗକୁ ଡିଜିଟାଲ ମାଧ୍ୟମ ମନୋରଞ୍ଜନର ମୁଖ୍ୟ ପ୍ଲାଟ୍‌ଫର୍ମ ହେବାକୁ ଯାଉଛି। ଏକ ଆପ୍ ମାଧ୍ୟମରେ ପସନ୍ଦର ମନୋରଞ୍ଜନ କାର୍ଯ୍ୟକ୍ରମ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଆଗୁଆ ଦେଖିବା ବ୍ୟବସ୍ଥା ହେଉଛି ଓଟିଟି (ଓଭର୍‌ ଦି ଟପ୍)। ଆଗକୁ ଦର୍ଶକ ଆଦୃତି ବଢ଼ିବାର କାରଣ ହେଉଛି ‌ଦର୍ଶକମାନେ ସିନେମା ହଲ୍‌ ନଯାଇ ହାତ ପାହାନ୍ତାରେ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିପାରିବେ। ଏମିତିକି ବଡ଼ ମନିଟର୍‌ରେ ବି ଦର୍ଶକମାନେ ଦେଖିପାରିବେ। ବର୍ତ୍ତମାନର ଆଇନକ୍ସ୍ ଥିଏଟର୍ କାର୍ଯ୍ୟକ୍ରମ ଭଳି ଏଥିରୁ ମଜା ଉଠାଇପାରିବେ। ଜାତୀୟ ଓ ‌ସ୍ଥାନୀୟ ଏମିତି ଦୁଇ ପ୍ରକାର ଓଟିଟି ରହିଛି। ଏବେ ପୁଷ୍ପା ଭଳି ତେଲ୍‌ଗୁ ଚଳଚ୍ଚିତ୍ର ଉଭୟ ଜାତୀୟ ଓ ସ୍ଥାନୀୟ ଓଟିଟିରେ ଭଲ ବ୍ୟବସାୟ କରି ତାଙ୍କ ସିନେମା ଶିଳ୍ପକୁ ପ୍ରଗତିର ରାସ୍ତା ଦେଖାଇଛି। ମାତ୍ର ଦୁଃଖର କଥା ଓଲିଉଡ୍‌ ଚଳଚ୍ଚିତ୍ର ଜାତୀୟ ଓଟିଟିରେ ନିଜର ଆସ୍ଥାନ ଜମାଇ ପାରିନି। ୨୦୨୦ରେ ରାକେଶ ସାମଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରୋମିଓ ରାଜା’ ପ୍ରଥମଥର ଜାତୀୟସ୍ତରର ଓଟିଟିରେ ପାଦ ଥାପିଥିଲା। ଆଶାତୀତ ଭାବେ ଭଲ ବ୍ୟବସାୟ କରିଥିଲା। ମାତ୍ର ତା’ ପରଠାରୁ ଆଉ କୌଣସି ଚଳଚ୍ଚିତ୍ର ଜାତୀୟସ୍ତରର ଓଟିଟିରେ ଉପଲବ୍ଧ ହୋଇନାହିଁ। ଅନ୍ୟପକ୍ଷରେ ଓଡ଼ିଆ ଓଟିଟି ‘ଆଓ ନେକ୍ସଟ’, ‘କଞ୍ଚାଲଙ୍କା’ ଓ ‘ତରଙ୍ଗ ପ୍ଲସ୍‌’ ବଜାରକୁ ଆସିଥିଲେ ବି ସବ୍‌ସ୍କ୍ରାଇବର ସଂଖ୍ୟା ବହୁ କମ୍।

ଏନେଇ ପ୍ରତିଷ୍ଠାତା ସିଇଓ କୌଶିକ ଦାସ କହିଛନ୍ତି ଯେ ‘ଆଓ ନେକ୍ସଟ୍’କୁ ୨ ବର୍ଷ ହୋଇଗଲାଣି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜରାଟ ଆଦି ଅଣଓଡ଼ିଆ ରାଜ୍ୟ ସହ ଆମେରିକା, ୟୁକେ, ଦୁବାଇ ଆଦି ବିଦେଶରେ ଏହାର ସବ୍‌ସ୍କ୍ରାଇବର୍‌ ରହିଛନ୍ତି। ମାତ୍ର ଓଡ଼ିଶାର ଜନସଂଖ୍ୟା ସା‌ଢ଼େ ୪ କୋଟିରୁ ଅଧିକ ହୋଇଥିଲେ ବି ସବ୍‌ସ୍କ୍ରାଇବର ସଂଖ୍ୟା ବହୁ କମ୍। ଏହା ପଛରେ ଅନ୍ୟାନ୍ୟ କାରଣ ବି ରହିଛି। ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକରେ ନିଚ୍ଛକ ଓଡ଼ିଆପଣ ନାହିଁ। ନିଜ କାହାଣୀ କିମ୍ବା ନିଆରା ବିଷୟବସ୍ତୁ ନାହିଁ। ଏଣୁ ଲୋକ ଦେଖିବାକୁ ପସନ୍ଦ କରୁନାହାନ୍ତି। ଉଚ୍ଚମାନର କାହାଣୀ ଆସିଲେ, ଧୀରେଧୀରେ ଲୋ‌କ ଏହି ସ୍ଥାନୀୟ ଓଟିଟି ଆଡ଼କୁ ଟାଣି ହେବେ। ଉଦାହରଣ ଦେଇ ସେ କହିଛନ୍ତି ଯେ ବ୍ରହ୍ମପୁରର ନୋଳିଆ ସମ୍ପ୍ରଦାୟର କାହାଣୀ ‘କୋକଲି’ ବେଶ୍ ଆଦୃତ ହୋଇଥିଲା। ‘ଆଓ ନେକ୍ସଟ’ରେ ଏହାକୁ ୧୪ ହଜାରରୁ ଅଧିକ ଲୋକ ଦେଖିଥିଲେ। ସେହିଭଳି ଭୁବନେଶ୍ବରରେ ଏକ ଅପହରଣ ଓ କରୋନା ପ୍ରୋଟୋକଲ୍‌ ମଧ୍ୟରେ ଜଣେ ପୁଲିସ ଅଧିକାରୀଙ୍କ ତଦନ୍ତକୁ ଦେଇ ନିର୍ମିତ ଚଳଚ୍ଚିତ୍ର ‘ଅର୍ଦ୍ଧସତ୍ୟ’କୁ ୪୦ ହଜାରରୁ ଅଧିକ ଲୋକ ଦେଖିଥିଲେ। ଏହି ଦୁଇ ଚଳଚ୍ଚିତ୍ରର ସଫଳତା ଆହୁରି ନିଆରା କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରେରିତ କରିଛି ବୋଲି ସେ କହିଛନ୍ତି। ଆସନ୍ତା ୨୮ ତାରିଖ ଦିନ ଏକ କ୍ରାଇମ୍‌ ଥ୍ରିଲର୍‌ ଚଳଚ୍ଚିତ୍ର ‘ଫୋର୍‌’ ମୁକ୍ତିଲାଭ କରିବ। ଆଗାମୀ ଦିନରେ ପ୍ରସିଦ୍ଧ ଓଡ଼ିଆ ଉପନ୍ୟାସ ଓ ଓଡ଼ିଆ ଗଳ୍ପକୁ ନେଇ ବିଭିନ୍ନ ଭାଷାରେ ଚଳଚ୍ଚିତ୍ର କରି ଓଟିଟିରେ ଛାଡ଼ିବାକୁ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

WGVU News

ଏନେଇ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅକ୍ଷୟ ପରିଜା କହିଛନ୍ତି, ମନୋରଞ୍ଜନ ପାଇଁ ଦର୍ଶକମାନେ ପୂର୍ବରୁ ବିଗ୍‌ ସ୍କ୍ରିନ୍‌ ଉପରେ ନିର୍ଭର କରୁଥିଲେ। ଏବେ ଓଟିଟି ଏହାର ସ୍ଥାନ ନେଇଛି। ହାତରେ ମୋବାଇଲ୍‌ ଫୋନ୍‌ ସେଟ୍‌ଟିଏ ହେଲେ ଜଣେ ଦର୍ଶକ ପସନ୍ଦର ଚଳଚ୍ଚିତ୍ର, ଧାରାବାହିକ ଆଦି ଓଟିଟିରେ ଦେଖିପାରିବ। ମାତ୍ର ଆମ ଓଡ଼ିଆ ଚଳଚ୍ଚିତ୍ର ବା ଧାରାବାହିକ ଜଗତ ଏଥିରେ ପଛରେ ପଡ଼ିଯାଇଛି। ପ୍ରଥମତଃ ଆମାଜନ୍‌ ପ୍ରାଇମ୍‌, ହଟ୍‌ ଷ୍ଟାର୍‌ ଓ ନେଟ୍‌ଫ୍ଲିକ୍‌ସ ଭଳି ପ୍ଲାଟଫର୍ମର ପେଇଂ ଲେବଲ୍‌ ବହୁତ ଅଧିକ। ଓଡ଼ିଆ ଚଳଚ୍ଚିତ୍ର ଜଗତ ପକ୍ଷରେ ଏହା ପଇଠ କରିବା ସମ୍ଭବ ହେଉନି। ଦ୍ବିତୀୟତଃ ଓଡ଼ିଆ ଚଳଚ୍ଚିତ୍ର ଏବେ ମୌଳିକ କଥାବସ୍ତୁରୁ ତିଆରି ହେଉନାହିଁ। ତେଲ୍‌ଗୁ, ତାମିଲ୍‌ ଓ ମାଲାୟଲମ୍‌ ଚଳଚ୍ଚିତ୍ରରୁ ଡବିଂ ହେଉଛି। ଡବିଂ ଚଳଚ୍ଚିତ୍ରକୁ ଓଟିଟି ପ୍ଲାଟଫର୍ମ ନେବାକୁ ପସନ୍ଦ କରନ୍ତିନି। ଅନ୍ୟ କଥା ହେଉଛି ଓଟିଟି ସଂସ୍ଥା ମୁଖ୍ୟତଃ ପପୁଲେଟେଡ୍‌ ସବ୍‌ସ୍କ୍ରାଇବ୍‌ଡ୍‌ ଏରିଆକୁ ଟାର୍ଗେଟ କରନ୍ତି। ଓଡ଼ିଆ ସବ୍‌ସ୍କ୍ରାଇବର୍‌ ଅଧିକ ନଥିବାରୁ ସେମାନେ ଓଡ଼ିଆ ଚଳଚ୍ଚିତ୍ର ନେବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ଧୀରେଧୀରେ ଏହି ଧାରା ବଦଳିବ। ଏଣିକି ଆମକୁ ସୃଜନ‌ାତ୍ମକ କାହାଣୀ, ନିଆରା ନିର୍ମାଣଶୈଳୀରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପଡ଼ିବ।

ଶସ୍ତା ଚଳଚ୍ଚିତ୍ର ଓଲିଉଡ୍‌କୁ ବରବାଦ୍‌ କରିଛି
କମ୍ ଖର୍ଚ୍ଚରେ ଶସ୍ତା ଚଳଚ୍ଚିତ୍ର ନିର୍ମାଣ କରି ଚ୍ୟାନେଲ୍ ମାଧ୍ୟମରେ ରିଲିଜ୍‌ କରିବା ଓ ପ୍ରିୟାପ୍ରୀତିତୋଷଣରେ ଅଭିନେତା ନେଇ ଚଳଚ୍ଚିତ୍ର ତିଆରି କରିବା ଦ୍ବାରା ଆଜି ଓଲିଉଡ୍ ବରବାଦ୍‌ ହୋଇଯାଇଛି। ଏଥିପାଇଁ ଚଳଚ୍ଚିତ୍ର ନିର୍ମାଣରେ ଥିବା ସମସ୍ତେ ଦାୟୀ। ବଡ଼ କଥା ହେଉଛି ପ୍ରଯୋଜକଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନାହିଁ। କମ୍ ଖର୍ଚ୍ଚରେ ନିମ୍ନମାନର ଚଳଚ୍ଚିତ୍ର ନିର୍ମାଣ ହେଉଥିବାରୁ ଲୋକାଲ୍‌ ଓଟିଟି ଓ ହଲ୍‌ରେ ରିଲିଜ୍ ହେଲେ ମଧ୍ୟ ଓଡ଼ିଆ ଦର୍ଶକ ପସନ୍ଦ କରୁନାହାନ୍ତି। ତେଣୁ ନୂଆ କାହାଣୀ, ନୂଆ ସଂଳାପ ଓ ଅଭିଜ୍ଞତାସଂପନ୍ନ କଳାକାର ଓ ଟେକ୍‌ନିସିଆନ୍‌ମାନଙ୍କୁ ନେଇ ଚଳଚ୍ଚିତ୍ର ହେଲେ ଓଲିଉଡ୍‌ ତିଷ୍ଠିବ।
ସଂଞ୍ଜୟ ନାୟକ (ଟୁଟୁ), ପ୍ରଯୋଜକ

କପି କରୁଥିବା ଯାଏଁ ଓଟିଟି ଦୁଆର ମନା
ଓଡ଼ିଆ ଚଳଚ୍ଚିତ୍ରଜଗତରେ ଆଉ ବିନ୍ଧାଣି ନାହାନ୍ତି। କିଛି ଲୋକ ମିଳିମିଶି ଏହି ଶିଳ୍ପକୁ ବ‌ୁଡ଼େଇଦେଲେଣି। ପୁରୁଣା ଫିଲ୍ମ ଦେଖିବାକୁ ଯେତିକି ଭଲ ଲାଗୁଛି, ଆଜିର ନୂଆ ଫିଲ୍ମ ଦେଖିଲେ ତା’ର ଏକ ଶତକଡ଼ା ବି ଭଲ ଲାଗୁନି। ତେଣୁ ଦର୍ଶକ ପସନ୍ଦ କରିବେ କେମିତି! ନକଲ ସିନେମା ନିର୍ମାଣ ବନ୍ଦ ନହେବା ଯାଏଁ ଓଡ଼ିଆ ସିନେମା ଶିଳ୍ପ ଓଟିଟି ଦୁଆର ମାଡ଼ି ପାରିବନାହିଁ। କେଉଁ କାରଣରୁ ଓଡ଼ିଆ ଚଳଚ୍ଚିତ୍ରର ମାନ କମୁଛି,‌ କେହି ‌ମନ୍ଥନ କରୁନାହାନ୍ତି। ବର୍ତ୍ତମାନ ଡିଜିଟାଲ୍ ତଥା ଓଟିଟି ଯୁଗ। ଅଣଓଡ଼ିଆ ଚଳଚ୍ଚିତ୍ର କାହାଣୀକୁ ବିନା କପି ରାଇଟ୍‌ରେ ଆଣି ଫିଲ୍ମି କରିବା ଯୋଗୁଁ ସେଗୁଡ଼ିକ ଓଟିଟି ପ୍ଲାଟଫର୍ମରେ ଅନୁମୋଦନ ହେବନାହିଁ। ଏହି ମନବୃତ୍ତି ଦିନେ ଓଲିଉଡ୍‌କୁ ସମାପ୍ତ କରିଦେବ।
ଦିଲ୍ଲୀପ ହାଲି, ଚଳଚ୍ଚିତ୍ର ସମୀକ୍ଷକ

ସମ୍ବନ୍ଧିତ ଖବର