ପ୍ରୀତିଶାଙ୍କ ଓଡ଼ିଆ ପ୍ରୀତି: ଇନ୍‌ଷ୍ଟା ବ୍ଲଗ୍‌ରେ ଓଡ଼ିଆ ଖାଦ୍ୟର ବାସ୍ନା

ଭୁବନେଶ୍ବର : ବାରିପଦା ମୁଢ଼ି ମାଂସ ହେଉ ବା ନୟାଗଡ଼ର ଛେନାପୋଡ଼, କେନ୍ଦ୍ରାପଡ଼ାର ରସାବଳୀ ବା ପୁରୀ ଗଜା, ଢେଙ୍କାନାଳ ବରା, ପାହାଳ ରସଗୋଲା; ଓଡ଼ିଶାର ପ୍ରତିଟି ସ୍ଥାନର ପ୍ରସିଦ୍ଧ ଖାଦ୍ୟକୁ ସେ ସ୍ଥାନ ଦିଅନ୍ତି ନିଜ ଲେଖାରେ। ନିଜ ବ୍ଲଗ୍‌ ରାଇଟିଂ ଜରିଆରେ ସେ ଇଣ୍ଟରନେଟ୍‌ର ଦୁନିଆରେ ଓଡ଼ିଆ ଖାଦ୍ୟର ବାସ୍ନାକୁ ଚାରିଆଡ଼େ ପହଞ୍ଚା’ନ୍ତି। ପେସାରେ ଜଣେ ଆଇଟି ଇଂଜିନିୟର୍‌, କିନ୍ତୁ ନିଶାରେ ଭରି ରହିଛି ସମ୍ପୂର୍ଣ୍ଣ ଓଡ଼ିଆ ପ୍ରୀତି। ଓଡ଼ିଆ ଝିଅ ପ୍ରୀତିଶା ଦାଶଙ୍କର ଏହି ଖାଣ୍ଟି ଓଡ଼ିଆ ପ୍ରୀତି ତାଙ୍କୁ ରାଜ୍ୟରେ ଏକ ନିଆରା ପରିଚୟ ଆଣି ଦେଇଛି।

ଭୁବନେଶ୍ବର ପୋଖରୀପୁଟ୍‌ର ୨୪ ବର୍ଷୀୟ ଓଡ଼ିଆ ଝିଅ ପ୍ରୀତିଶା ବେଙ୍ଗାଲୁରୁ ଆଇବିଏମ୍‌ କମ୍ପାନିରେ ସଫ୍ଟୱେୟାର ଇଂଜିନିୟର୍‌ ଭାବେ କାର୍ଯ୍ୟରତ। ବେଙ୍ଗାଲୁରୁରେ ନିଜ ଅଣଓଡ଼ିଆ ବନ୍ଧୁମାନଙ୍କୁ ଓଡ଼ିଆ ଖାଦ୍ୟ ଖୁଆଇବା ବେଳେ ସେମାନେ ତାଙ୍କ ପ୍ରଶଂସା କରିବା ସହ ଏଭଳି ଖାଦ୍ୟର ପ୍ରଚାରପ୍ରସାର ପାଇଁ ବ୍ଲଗ୍‌ ଲେଖିବାକୁ ପରାମର୍ଶ ଦେଇଥିଲେ। ସେବେଠାରୁ ୨ବର୍ଷ ହେଲା ଓଡ଼ିଆ ଖାଦ୍ୟ ନିଜେ ପ୍ରସ୍ତୁ୍ତ କରି, ଏହାର ରେସିପି, ଇତିହାସ, ମାହତ୍ମ୍ୟ ବିଷୟରେ ଉଲ୍ଲେଖ କରିବା ସହ ଖାଦ୍ୟର ସାଜସଜ୍ଜା ସହ ଫଟୋଗ୍ରାଫି ସବୁ ସେ ନିଜ ‘ଦ ଆର୍ଟ ଅଫ୍‍ କମ୍ଫର୍ଟ ଇଟିଂ’ ଶୀର୍ଷକ ଇନ୍‍ଷ୍ଟାଗ୍ରାମ ସାଇଟ୍‌ରେ ଅପ୍‌ଲୋଡ୍‌ କରନ୍ତି। ଆଜି ପର୍ଯ୍ୟନ୍ତ ସେ ୫୦୦ରୁ ଊର୍ଧ୍ବ ଓଡ଼ିଆ ଖାଦ୍ୟ ଉପରେ ବ୍ଲଗ୍‌ ଲେଖିଥିବା ବେଳେ ଏଥିପାଇଁ ବହୁ ପୁରସ୍କାର ବି ଜିତିଛନ୍ତି। ଓଡ଼ିଶା ପର୍ଯ୍ୟଟନରେ ବି ପ୍ରୀତିଶାଙ୍କ ଏହି ଖାଦ୍ୟ ଫଟୋଗ୍ରାଫି ସହ ବ୍ଲଗ୍‌କୁ ବ୍ୟବହାର କରାଯାଉଛି।

ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଖାଦ୍ୟ ପ୍ରତି ରହିଛି ପ୍ରୀତିଶାଙ୍କର ଅହେତୁକ ପ୍ରୀତି। ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ନିଆରା ପ୍ରୟାସ କରିଛନ୍ତି। ଓଡ଼ିଶାର ବିଭିନ୍ନ ପ୍ରାନ୍ତର ପ୍ରସିଦ୍ଧ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ସେ ଆରମ୍ଭ କରିଛନ୍ତି ବ୍ଲଗ୍‍ ରାଇଟିଂ। ଓଡ଼ିଶାର ପ୍ରତିଟି ସ୍ଥାନର ସ୍ୱତନ୍ତ୍ର ଖାଦ୍ୟକୁ ଲୋକାଦୃତ କରାଇବା ପାଇଁ ସେ ଏହି ପ୍ରୟାସ କରିଛନ୍ତି।

ରଜ ପାନ ହେଉ କି ପୋଡ଼ପିଠା, ଧନୁ ମୁଆଁ ହେଉ କି ଚିତଉ ଆମାବାସ୍ୟାର ଚିତଉ ପିଠା, ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗ ହେଉ କି ଟଙ୍କତୋରାଣୀ, ଓଡ଼ିଆ ଘରର କାଞ୍ଜି, ବେସର ହେଉ କି ବଡ଼ିଚୂରା, ସବୁଥିରେ ସେ ସିଦ୍ଧହସ୍ତ। କେବଳ ଖାଦ୍ୟକୁ ନେଇ ବ୍ଲଗ୍‌ ରାଇଟିଂରେ ନୁହେଁ, ସେ ଏସବୁ ଖାଦ୍ୟକୁ ନିଜେ ପ୍ରସ୍ତୁତ କରିପାରନ୍ତି। ଏହା ହିଁ ତାଙ୍କ ଓଡ଼ିଆତ୍ବକୁ ପ୍ରମାଣ କରୁଛି।

ନିୟମିତ କିଛି ଓଡ଼ିଆ ଘରର ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି ଏବଂ ଏହା ଫଟୋ ଉଠାଇ ନିଜ ବ୍ଲଗରେ ସ୍ଥାନିତ କରନ୍ତି। ତାଙ୍କର ଏହି କାର୍ଯ୍ୟ ପଛରେ ଏକ ମହତ ଉଦ୍ଦେଶ୍ୟ ରହିଛି। ଓଡ଼ିଶାର ଅନେକ ବ୍ୟକ୍ତି ବିଶେଷକରି ଯୁବପିଢ଼ି ଓଡ଼ିଆ ଘରର ସ୍ୱାଦିଷ୍ଟ ଖାଦ୍ୟ ପରିବର୍ତ୍ତେ ଅନ୍ୟ ରାଜ୍ୟ ତଥା ବିଦେଶୀ ଖାଦ୍ୟ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସଂଖ୍ୟକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପାରୁଥିବା ବେଳେ ଯୁବପିଢ଼ି ଓଡ଼ିଆ ଖାଦ୍ୟ ପ୍ରତି ରୁଚି ଦିନକୁ ଦିନ କମିବାରେ ଲାଗିଛି। ତେଣୁ ଯୁବପିଢ଼ିଙ୍କୁ ଓଡ଼ିଆ ଖାଦ୍ୟର ସ୍ୱାଦ ଓ ଗୁରୁତ୍ୱ ସମ୍ପର୍କରେ ଜଣାଇବା ପାଇଁ ସେ ଏପରି ଉଦ୍ୟମ କରୁଛନ୍ତି ବୋଲି ପ୍ରୀତିଶା କହିଛନ୍ତି।

ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ମନ୍ଦିରର ପ୍ରସାଦ ବିଷୟରେ ମଧ୍ୟ ସେ ପ୍ରଚାରପ୍ରସାର ଜାରି ରଖିଛନ୍ତି। ରୁଚିପୂର୍ଣ୍ଣ ଓଡ଼ିଆ ଖାଦ୍ୟ ପ୍ରତି ଲୋକଙ୍କର ଆଗ୍ରହ ସୃଷ୍ଟି କରିବା ପାଇଁ ସେ ଏହି ଅଭିନବ ଉପାୟ ଆପଣାଇଛନ୍ତି। ତାଙ୍କ କହିବା କଥା ହେଲା, ବହୁ ଓଡ଼ିଆ ଖାଦ୍ୟକୁ ଅନେକ ଲୋକ ସାଧାରଣ ଖାଦ୍ୟ ମନେ କରନ୍ତି। ଏପରି ଖାଦ୍ୟ ପ୍ରସ୍ତୁତିରେ କୌଣସି ବାହାଦୁରୀ ନାହିଁ ବୋଲି କହନ୍ତି। କିନ୍ତୁ ଓଡ଼ିଆ ଖାଦ୍ୟର ମଜା ଆଉ କେଉଁଠୁ ମିଳିବା ଅସମ୍ଭବ। ଓଡ଼ିଆ ଖାଦ୍ୟର ପ୍ରଚାରପ୍ରସାର ପାଇଁ ସେ ପ୍ରେରଣା ତାଙ୍କ ପରିବାର ତଥା ତାଙ୍କ ମା’ଙ୍କଠାରୁ ପାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର