କରୋନା ମୁକାବିଲା ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ, ଲେଡି ଗାଗାଙ୍କ ସୋ’ରେ ଓଡ଼ିଆ ଝିଅ ଲିସାଙ୍କ କନସର୍ଟ

ଭୁବନେଶ୍ବର: କରୋନା ମୁକାବିଲା ନିମନ୍ତେ ଚଳଚ୍ଚିତ୍ର ତାରକାମାନେ ନିଜନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। ଏହି ଅବସରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ହଲିଉଡ୍‌ର କଣ୍ଠଶିଳ୍ପୀ ଲେଡି ଗାଗା ୮ ଘଣ୍ଟାର ଏକ ମ୍ୟୁଜିକ୍‌ କନସର୍ଟ ତଥା ସଂଗୀତ ସୋ’ କରିଥିବା ବେଳେ ଏଥିରେ ଆମ ଓଡ଼ିଆ ଝିଅ ସାମିଲ୍‌ ହୋଇ ଓଡ଼ିଆଙ୍କୁ ଗୌରବାନ୍ବିତ କରିଛନ୍ତି। ସେ ହେଉଛନ୍ତି ଓଡ଼ିଶା ଜନ୍ମିତ ବଲିଉଡ୍‌ କଣ୍ଠଶିଳ୍ପୀ ଲିସା ମିଶ୍ର। ବଡ଼ କଥା ହେଉଛି, ବୀରା ଦି ୱେଡିଙ୍ଗ ଚଳଚ୍ଚିତ୍ରର ‘ତାରିଫାନ୍‌… ଗୀତ ପାଇଁ ଜଣାଶୁଣା ଲିସା ଲେଡି ଗାଗାଙ୍କ ସେହି ୮ ଘଣ୍ଟାର ମ୍ୟୁଜିକ୍‌ କନସର୍ଟ ପାଇଁ ଯେଉଁ ସଂଗୀତର ଆୟୋଜନ କରିଥିଲେ, ତାହା ବି ଏଇ ଭୁବନେଶ୍ବରରୁ ତାଙ୍କ ଜେଜେ ବାପାଙ୍କ ଘରୁ ତାଙ୍କ ଆଇଫୋନ୍‌ ଓ ଟ୍ରାଇପଡ୍‌ରେ ସୁଟିଂ କରାଯାଇଛି।

ୟୁକେର ଟେଲିଭିଜନ୍‌ ଚ୍ୟାନେଲ୍‌‌ରେ ପ୍ରସାରିତ ଲେଡି ଗାଗାଙ୍କ ଏହି କନସର୍ଟଟି ଅନଲାଇନ୍‌ରେ ଦେଖିବାକୁ ମିଳିଥିଲା। ଏଥିରେ ହଲିଉଡ୍‌ର ନାମୀ କଳାକାର ଏଲଟନ ଜନ, ପଲ୍‌ ମ୍ୟାକ୍‌କାର୍ଟନେ, ରୋଲିଙ୍ଗ ଷ୍ଟୋନ୍‌ସ, ଷ୍ଟିଭ୍‌ ୱଣ୍ଡର, ଟେଲର ସ୍ବିଫ୍ଟ, ବିଲି ଏଇଲିସଙ୍କ ସମେତ ବଲିଉଡ୍‌ର ପ୍ରିୟଙ୍କା ଚୋପ୍ରା ଓ ଶାହରୁଖ୍‌ ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିଥିବା ବେଳେ ଓଡ଼ିଆ ଝିଅ ଲିସା ଏଥିରେ ଅଂଶୀଦାର ଥିଲେ। ଏହି ସୋ’ ମାଧ୍ୟମରେ କରୋନା ମୁକାବିଲା ନିମନ୍ତେ ୧୨୭ମିଲିୟନ ଆମେରିକୀୟ ଡଲାର ପାଣ୍ଠି ଯୋଗାଡ଼ ହୋଇପାରିଛି। କୌତୂହଳର କଥା ହେଉଛି, ଏହି କନସର୍ଟଟି ସମସ୍ତ କଳାକାର ନିଜ ଘରେ ରହି ପ୍ରସ୍ତୁତ କରିଥିଲେ। ଲିସା ମଧ୍ୟ ‘ସଜ୍‌ନା ବେ.. ଗୀତଟି ପରିବେଷଣ କରିଥିବା ଦେଖିବାକୁ ମିଳିଛି। ସଂପ୍ରତି ସମସ୍ତେ ଲକଡାଉନ୍‌ରେ ଘରେ ସମୟ ବିତାଉଥିବା ବେଳେ ଲିସା ମଧ୍ୟ ଘରେ ସଂଗୀତ କନସର୍ଟର ସୁଟିଂ ନିଜେ ଜେଜେବାପାଙ୍କ ଘରୁ ପ୍ରସ୍ତୁତ କରିଥିଲେ। ଲିସା ଓଡ଼ିଶାରେ ଜନ୍ମିଥିଲେ ମଧ୍ୟ ମୁମ୍ବାଇର ମୂଳ ବାସିନ୍ଦା ଭାବେ ରହି ଆସୁଛନ୍ତି। ଲିସା ଏନେଇ ଏକ ଇଂରାଜୀ ଖବରକାଗଜକୁ ଦେଇଥିବା ସୂଚନା ମୁତାବକ, ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମ୍ୟୁଜିକ୍‌ ଭିଡିଓ ଛାଡ଼ି ନିଜକୁ ପ୍ରସିଦ୍ଧ କରାଇପାରିଥିଲେ। ତେଣୁ ସେଇ ଅଭିଜ୍ଞତାକୁ ନେଇ ମୁଁ ଘରେ ଏହି ଭିଡିଓଟି ମୋ ଆଇ-ଫୋନ୍‌ରେ ପ୍ରସ୍ତୁତ କରିଥିଲି। ୟୁନିଭର୍ସାଲ ମ୍ୟୁଜିକ୍‌ ଇଣ୍ଡିଆ ପକ୍ଷରୁ ସେ ଏହି ଇଭେଣ୍ଟରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏ ବିପତ୍ତି ସମୟରେ ପରସ୍ପରଠାରୁ ଦୂରରେ ଦମ୍ପତିମାନଙ୍କ ଉଦ୍ଦେଶ୍ୟରେ ମୁଁ ରୋମାଣ୍ଟିକ ସଂଗୀତଟିଏ ପରିବେଷଣ କରିଛି ବୋଲି ସେ କହିଛନ୍ତି।
ଲିସା ସଂପ୍ରତି ଘରେ ବସି ନୂଆ ଗୀତ ଲେଖିବା ସହ ଫିଲ୍ମ ଦେଖୁଛନ୍ତି ଓ ରୋଷେଇ କରୁଛନ୍ତି। ସେ କହିଛନ୍ତି ଯେ ସଂପ୍ରତି ବିପତ୍ତି କାଳରେ ସଂଗୀତ ହେଉଛି ଭାରୀପଣକୁ ଲାଘବ କରିବାର ଉତ୍କୃଷ୍ଟ ମାଧ୍ୟମ। ଦେଶ ସ୍ବାଧୀନତା ସମୟରେ ହେଉ ଅବା ଶାନ୍ତି ପାଇଁ ସବୁବେଳେ ଗୀତର ହିଁ ସାହାରା ନିଆଯାଇଛି। ଏହି ଗୀତ ହିଁ ଏକତାର ମନ୍ତ୍ର ବୁଣିବାରେ ସକ୍ଷମ ହୋଇପାରିଛି। ଓଡ଼ିଶା ସରକାର କରୋନା ମୁକାବିଲା ପାଇଁ ଯେଉଁଭଳି ପଦକ୍ଷେପ ନେଉଛନ୍ତି, ତାହାକୁ ବେଶ୍‌ ପ୍ରଶଂସା କରିଛନ୍ତି ଲିସା। ଏଥିସହ ଲୋକେ ଘରେ ରହି ସଂଗୀତ ଶୁଣିବା ସହ ବ୍ୟାୟାମ କରି ଉଭୟ ଶାରୀରିକ ଓ ମାନସିକସ୍ତରରେ ସୁସ୍ଥ ରହିବା ପାଇଁ ସେ ଉପଦେଶ ଦେଇଛନ୍ତି। ନାସନାଲ ଜିଓଗ୍ରାଫିକ୍‌ ଇଣ୍ଡିଆ ଚ୍ୟାନେଲ୍‌ରେ ଏହା ଏପ୍ରିଲ୍ ୧୯ତାରିଖରେ ପ୍ରସାରିତ ହୋଇଥିବା ବେଳେ ଲୋକେ ଆମାଜନ୍‌ ପ୍ରାଇମ୍‌ ଭିଡିଓ, ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ଟ୍ବିଟର୍‌, ୟୁ-ଟ୍ୟୁବ୍‌ ସମେତ ବୁକ୍‌ ମାଇ ସୋ’ରେ ମଧ୍ୟ ଏହି କନସର୍ଟର ମଜା ଉଠାଇ ପାରିବେ।

ସମ୍ବନ୍ଧିତ ଖବର