ପୁଲିସ କବ୍‌ଜାରେ ଓଡ଼ିଆ ‘ଜମତରା’ ଗ୍ୟାଙ୍ଗ!

୫ ଅଟକ, ଏକାଧିକ ଠକେଇ ମାମଲାରେ ରହିଛି ସମ୍ପୃକ୍ତି

ମୋବାଇଲ, ଲାପଟପ୍, ବ୍ୟାଙ୍କ ଆକାଉଣ୍ଟ, ସିମକାର୍ଡ ଜବତ
ବେନାମୀ ସିମ୍ ଯୋଗାଉଥିବା ଦୋକାନୀଙ୍କୁ ଉଠାଇ ଆଣିଲା ପୁଲିସ

ଭୁବନେଶ୍ବର : ସାଇବର ଠକେଇର ପାଠଶାଳା କୁହାଯାଉଥିବା ଝାଡ଼ଖଣ୍ଡର ‘ଜମତରା’ ଗ୍ୟାଙ୍ଗ ଶୈଳୀରେ ଠକେଇ କରୁଥିବା ଓଡ଼ିଶାର ଏକ ଗ୍ୟାଙ୍ଗ କମିସନରେଟ୍‌ ପୁଲିସ ହାତରେ ଧରାପଡ଼ିଛି। ଅଭିନବ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟୁଥିବା ଏହି ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ପୁଲିସ ଧରିଛି। ସେମାନଙ୍କଠାରୁ ମୋବାଇଲ, ଲାପଟପ୍, ବ୍ୟାଙ୍କ ଆକାଉଣ୍ଟ, ବେନାମୀ ସିମ୍ କାର୍ଡ ଜବତ କରାଯାଇଛି। ସେମାନଙ୍କୁ ଅଟକ ରଖି ତଦନ୍ତକାରୀ ଟିମ୍ ମାରାଥନ୍ ଜେରା ଚଳାଇଛି। ଏହି ଗ୍ୟାଙ୍ଗର ଆଉ କିଛି ସଦସ୍ୟ ଏବେ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କିଛି ଦିନ ତଳେ ସହିଦନଗର ଅଞ୍ଚଳର ଜଣେ ମହିଳା ଠକାମିର ଶିକାର ହୋଇଥିଲେ। ଠକ ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ତାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲା। ଏ ନେଇ ମହିଳା ସାଇବର ହେଲ୍‌ପ ଡେସ୍କ ଓ ସହିଦନଗର ଥାନାର ଦ୍ବାରସ୍ଥ ହୋଇଥିଲେ। ସହିଦନଗର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଫୋନ୍ ଆସିଥିବା ନମ୍ବର ଓଡ଼ିଶାର ଜଣାପଡ଼ିବା ପରେ ପୁଲିସ ଖୋଳତାଡ଼ କରିଥିଲା। ଠକେଇ ଟଙ୍କା ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ୍ ହୋଇଥିଲା ପୁଲିସ ସେହି ଆକାଉଣ୍ଟକୁ ଟ୍ରାକ୍ କରିଥିଲା। ସେଠାରେ ପହଞ୍ଚିବା ପରେ ଠକ ସମ୍ପର୍କରେ ଜାଣିବାକୁ ପାଇଥିଲା। ଠକକୁ ଧରିବା ପରେ ପୁଲିସ ବେନାମୀ ସିମ୍ କାର୍ଡର ଖୋଳତାଡ଼ କରିଥିଲା। ଭଦ୍ରକ ଓ ବାଲେଶ୍ବରର କିଛି ଦୋକାନୀ ଏହି ବେନାମୀ ସିମ୍ କାର୍ଡ ଆକ୍ଟିଭେଟ୍ କରି ଠକଙ୍କୁ ଦେଇଥିବା ଜଣାପଡ଼ିଥିଲା। ସାଇବର ଠକଙ୍କୁ ବିପୁଳ ପରିମାଣର ବେନାମୀ ସିମକାର୍ଡ ଯୋଗାଇ ଦିଆଯାଇଥିବା ପୁଲିସ ଜାଣିବାକୁ ପାଇଛି। ଏହି ମାମଲାରେ ପୁଲିସର ସ୍ବତନ୍ତ୍ର ଟିମ୍ ତନାଘନା ଚଳାଇଥିବା ବେଳେ ଗିରଫଦାରୀ ଆହୁରି ବଢ଼ିବ ବୋଲି କୁହାଯାଉଛି। ଏମାନେ ଜମତରା ଗ୍ୟାଙ୍ଗର ସଦସ୍ୟ ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ ଅଧିକାରୀ ଏ ସମ୍ପର୍କରେ ମୁହଁ ଖୋଲିବାକୁ ମନା କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ବାଦାମବାଡ଼ି ପୁଲିସ ହାତରେ ଏକ ଗ୍ୟାଙ୍ଗ ଧରାପଡ଼ିଥିଲେ। ପୁଲିସ ସୁପ୍ରଭାତ ମହାପାତ୍ର ଓ ପ୍ରିୟବ୍ରତ ବେଉରାକୁ ଗିରଫ କରିଥିଲା। ସେମାନେ ନିଜକୁ ବୀମା କମ୍ପାନିର ଅଧିକାରୀ ବୋଲି ପରିଚୟ ଦେଉଥିଲେ। ବୀମାର ଅବଧି ପୂରଣ ହୋଇ ଯାଉଥିବା କହି ସିଧାସଳଖ ଅନଲାଇନ୍ ଯୋଗେ ଟଙ୍କା ଟ୍ରାନ୍ସଫର କରିବାକୁ କହୁଥିଲେ। ଟଙ୍କା ଦେବା ବଦଳରେ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଥିଲେ। ଏବେ ଭୁବନେଶ୍ବର ପୁଲିସ ହାତରେ ଗ୍ୟାଙ୍ଗ ଧରାପଡ଼ିବା ପରେ ରାଜ୍ୟରେ ଓଡ଼ିଆ ସାଇବର ଅପରାଧୀ ସକ୍ରିୟ ଥିବା ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର