କୋଟାରେ ଫସି ରହିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ, ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ଭୁବନେଶ୍ୱର: ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ପାଇଁ ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ଓଡ଼ିଶାର ଶତାଧିକ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଲକଡାଉନ୍‌ ଯୋଗୁଁ ସେମାନେ କୁଆଡ଼େ ବି ଯାଇ ପାରୁନାହାନ୍ତି। ବାହାରକୁ ବହାରି ପାରୁ ନଥିବା ବେଳେ ପାଖରେ ଥିବା ଅର୍ଥ ବି ଧୀରେ ଧୀରେ ସାରିଆସିଲାଣି। କିଛି ଛାତ୍ରଛାତ୍ରୀ ଏବେ ଓଳିଏ ଖାଇ ଆର ଓଳି ଉପବାସ ରହୁଛନ୍ତି। କେବଳ ଓଡ଼ିଶା ନୁହେଁ, ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଛାତ୍ରଛାତ୍ରୀ ଏଠାରେ ଅଟକି ରହିଛନ୍ତି। ସେପଟେ ଉତ୍ତରପ୍ରଦେଶ ରାଜ୍ୟ ସରକାର ଆଜି ଏ ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି। ସେଠାରେ ଥିବା ଉତ୍ତରପ୍ରଦେଶର ପ୍ରାୟ ୬ ହଜାର ଛାତ୍ରଛାତ୍ରୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ୨୫୦ଟି ବସ୍ ପଠାଇଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିବା ବେଳେ ଅନ୍ୟ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। ଏମିତିକି ଓଡ଼ିଶାର କିଛି ଛାତ୍ରଛାତ୍ରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉତ୍ତରପ୍ରଦେଶ ସରକାର ପଦକ୍ଷେପ ନେଇଥିବାରୁ ଓଡ଼ିଶା ସରକାର ପିଲାମାନଙ୍କୁ ଫେରାଇ ଆଣିବା ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ, ଏବେ କୋଟାରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ରହିଛନ୍ତି। ଯେଉଁମାନେ କି ଇଂଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସେଠାରେ କୋଚିଂ ନେଉଛନ୍ତି। ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ୧୦ଜଣ ଛାତ୍ରୀ ଏବେ କୋଟା ସହରର କାଞ୍ଚନ ମୋହନ ଛାତ୍ରୀନିବସରେ ରହୁଛନ୍ତି। ଏମାନେ ସେଠାରେ ରହି କୋଚିଂ ନେଉଥିଲେ। ଏବେ ଲକଡାଉନ୍‌ ହେବାରୁ କୁଆଡ଼େ ଯାଇ ପାରୁନାହାନ୍ତି। କେବଳ ଏହି ଗୋଟିଏ ହଷ୍ଟେଲ ନୁହେଁ, ଏମିତି ବହୁ ହଷ୍ଟେଲରେ ଓଡ଼ିଆ ଛାତ୍ରଛାତ୍ରୀ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବାକୁ ଓଡ଼ିଶାରୁ ବି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍‌ ଯୋଗେ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର