କଣ୍ଟେନ୍‌ମେଣ୍ଟ ଜୋନ୍‌ ଚିହ୍ନଟ ଲାଗି ଆପ୍‌ ବିକଶିତ କଲେ ଓଡ଼ିଆ ଛାତ୍ରୀ

ଭୁବନେଶ୍ବର: ବୈଷୟିକ ଜ୍ଞାନକୌଶଳରେ ଦୃଢ଼ ବିଶ୍ବାସୀ ଥିବା ୧୧ ବର୍ଷୀୟା ଓଡ଼ିଶାର ଛାତ୍ରୀ ପ୍ରତିଭା ପଲାଇ ତାଙ୍କ ନୂତନ ଉଦ୍ଭାବନ ମାଧ୍ୟମରେ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ‘କରୋନା ଭାଇରସ ହ୍ୟୁମାନ ଡିଟେକ୍ଟର ସିଷ୍ଟମ’ ନାମରେ ଏକ ଆପ୍ଲିକେସନ (ଆପ୍‌) ଆଧାରିତ ଡିଭାଇସର ପ୍ରୋଟୋଟାଇପ ବିକଶିତ କରିଛନ୍ତି। ଏହି ଡିଭାଇସ ଲୋକଙ୍କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଚିହ୍ନଟ କରିବାରେ ସହାୟକ ହେବା ସହ ଭୂତାଣୁ ସଂକ୍ରମଣରୁ ରୋକିପାରିବ। ଯଦି କୌଣସି ବ୍ୟକ୍ତି ଏଭଳି କୌଣସି ଜୋନ୍‌ରେ ପ୍ରବେଶ କରନ୍ତି ତେବେ ବଜର୍‌ ଶବ୍ଦ ଓ ରେଡ୍‌ ଲାଇଟ୍‌ ମାଧ୍ୟମରେ ସଜାଗ ହୋଇପାରିବେ। ବିଶେଷକରି ଶ୍ରବଣ ଓ ଦୃଷ୍ଟିବାଧିତ ବ୍ୟକ୍ତିବିଶେଷ ଏହାଦ୍ବାରା ଅଧିକ ଉପକୃତ ହେବେ। ଏହାବ୍ୟତୀତ ଏହି ଡିଭାଇସ୍‌କୁ କୌଣସି ମଲ୍‌, ଶିକ୍ଷାନୁଷ୍ଠାନର ପ୍ରବେଥ ପଥ, ମାର୍କେଟର ହାଇ-ରିସ୍କ ଅଞ୍ଚଳରେ ବି ଲଗାଯାଇ ପାରିବ। ଫଳରେ ଗ୍ରାହକମାନେ ଉକ୍ତ ଅଞ୍ଚଳର ସ୍ଥିତି ଜାଣିବା ସହ ସେହି ଅନୁଯାୟୀ ପଦକ୍ଷେପ ନେଇପାରିବେ।

ରୋବୋଟିକ୍ସ ଓ ବିଜ୍ଞାନ ପ୍ରତି ରୁଚି ରଖିଥିବା ଛାତ୍ରୀ ପ୍ରତିଭା କହିଛନ୍ତି ଯେ ଭବିଷ୍ୟତରେ ଜଣେ ଡାକ୍ତର ହେବା ସହ ଉଦ୍ୟୋଗୀ ହେବାକୁ ଲକ୍ଷ୍ୟ ରଖିଛି। ଏକ ହସ୍ପିଟାଲ ପ୍ରତିଷ୍ଠା କରିବା ସହ ରୋବଟ୍‌ସ ମାଧ୍ୟମରେ ତାହାକୁ ଚଳାଇବାକୁ ଯୋଜନା ରହିଛି। ଚିକିତ୍ସା ତଥା ଔଷଧ କ୍ଷେତ୍ରରେ ଏହା ବ୍ୟାପକ ପରିବର୍ତନ ଆଣିପାରିବ। ସେ ଆହୁରି କହିଛନ୍ତି ଯେ ମୁଁ ସବୁବେଳେ ରୋବୋଟିକ୍ସ ଓ ଔଷଧ କ୍ଷେତ୍ର ପ୍ରତି ଆକର୍ଷିତ ହୋଇଛି। ମହାମାରୀ ଲୋକଙ୍କ ଦୈନଦିନ ଜୀବନକୁ ପ୍ରଭାବିତ କରିଛି। ତେଣୁ ଟେକ୍ନୋଲୋଜି ପ୍ରତି ଥିବା ମୋର ଭଲ ପାଇବାକୁ ବ୍ୟବହାର କରି ଏକ ନିରାପଦ ଓ ସୁସ୍ଥ ସମାଜ ଗଠନ କରିବାକୁ ଚାହୁଁଥିଲି। ଯେଉଁଥିରେ ପରିବାର ଲୋକ ଓ ଶିକ୍ଷକମାନେ ଉତ୍ସାହିତ କରିଥିଲେ। ବାପା ସର୍ବଦା ଟେକ୍ନୋଲୋଜି ଅନ୍ବେଷଣ କରିବାକୁ ଉତ୍ସାହିତ କରିବା ସହ ବାଏଜୁସ୍‌ ସହ ପରିଚିତ କରାଇଥିଲେ। ଯାହାକି ମୋତେ ଶିଖିବାକୁ ଅଧିକ ପ୍ରେରଣା ଦେଲା।

ସମ୍ବନ୍ଧିତ ଖବର