ଭୁବନେଶ୍ବର: ଇତିହାସ, ବିଜ୍ଞାନ, ରାଜନୀତି, ଚଳଚ୍ଚିତ୍ର, ସାହିତ୍ୟ, ଦର୍ଶନୀୟ ସ୍ଥାନ, କୌଣସି ଦେଶ, ରାଜ୍ୟ, ସହର କିମ୍ବା କୌଣସି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସଂପର୍କରେ ସଙ୍ଗେସଙ୍ଗେ ସୂଚନା ପାଇବା ପାଇଁ ସାଧାରଣତଃ ଆମେ ୱିକିପିଡ଼ିଆ ଉପରେ ନିର୍ଭର କରୁ। କମ୍ପ୍ୟୁଟର୍ରେ ଗୋଟିଏ କ୍ଲିକ୍ରେ ପ୍ରାୟ ସବୁ ତଥ୍ୟ ଓ ସେ ସଂପର୍କିତ ଫଟୋ ଆମ ଆଖି ଆଗରେ ବହି ପରି ଖୋଲିଯାଏ।
ତେବେ ୱିକିପିଡ଼ିଆରେ ତଥ୍ୟ ଓ ସୂଚନା ଇଂରାଜୀ, ହିନ୍ଦୀ ସମେତ ମରାଠି, ତେଲୁଗୁ, କନ୍ନଡ଼, ମାଲାୟଲମ୍ ଭଳି ବିଭିନ୍ନ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେଉଥିବା ବେଳେ ପାଖାପାଖି ୯ବର୍ଷ ତଳେ ଓଡ଼ିଆ ଭାଷାରେ ସେମିତି ବିଶେଷ କିଛି ଉପଲବ୍ଧ ନଥିଲା। ସେତେବେଳେ ଏହା ୧୫ବର୍ଷୀୟ କିଶୋର ଶୈଳେଶଙ୍କ ମନକୁ ଆନ୍ଦୋଳିତ କରିଥିଲା।
ତେଣୁ ସେ ଓଡ଼ିଆ ୱିକିପିଡିଆ ପାଇଁ ପ୍ରୟାସ ଆରମ୍ଭ କରିଦେଇଥିଲେ। ୯ବର୍ଷ ହେଲା, ଓଡ଼ିଆ ୱିକିପିଡିଆ ପାଇଁ ସେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଏହା ଭିତରେ ସେ ୨୦ରୁ ଊର୍ଧ୍ବ କର୍ମଶାଳା କରିଥିବା ବେଳେ ଓଡ଼ିଆ ୱିକିପିଡିଆରେ ଲେଖିବା ପାଇଁ ୫୦୦ରୁ ଅଧିକ ଲୋକଙ୍କୁ ଯୋଡ଼ି ପାରିଛନ୍ତି। ଶୈଳେଶ ନିଜେ ଓଡ଼ିଆ ୱିକିପିଡିଆରେ ୨୦୦ରୁ ଅଧିକ ନିବନ୍ଧ ଲେଖିଥିବା ବେଳେ ଲୋକମାନଙ୍କୁ ଯୋଡ଼ି ୪ ହଜାରରୁ ଅଧିକ ନିବନ୍ଧ ସଂଗ୍ରହ କରିପାରିଛନ୍ତି।
ଭୁବନେଶ୍ବର ପୋଖରୀପୁଟ୍ରେ ନିଜ ପିତାମାତାଙ୍କ ସହ ରହୁଥିବା ଶୈଳେଶ ପଟ୍ଟନାୟକ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିବା ସମୟରୁ ଅର୍ଥାତ୍ ୨୦୧୨ ମସିହାରେ ପ୍ରଥମେ ଓଡ଼ିଆ ୱିକିପିଡିଆ ସହ ଯୋଡ଼ି ହୋଇଥିଲେ। ଉତ୍କଳ ଦିବସ ଅବସରରେ ସେ ଓଡ଼ିଆ ୱିକିପିଡିଆ ସଂପର୍କିତ ଏକ କର୍ମଶାଳାରେ ଯୋଗ ଦେଇ ସେଇଠାରୁ ବିଶେଷ ଜ୍ଞାନ ଲାଭ କରିଥିଲେ। ତା’ ପରଠାରୁ ସେ ଓଡ଼ିଆ ୱିକିପିଡିଆକୁ ସମୃଦ୍ଧ କରିବାରେ ଲାଗି ପଡ଼ିଛନ୍ତି। ଏବେ ସେ ୱିକିପିଡିଆର ମୂଳ ସଂସ୍ଥା ‘ୱିକି ଫାଉଣ୍ଡେସନ୍’ର ପ୍ରକଳ୍ପ ସଂଯୋଜକ (ଶିକ୍ଷା) ଭାବେ କାର୍ଯ୍ୟରତ। ବର୍ଷ ସାରା ସେ ଓଡ଼ିଆ ୱିକିପିଡିଆ ପାଇଁ ବିଭିନ୍ନ କର୍ମଶାଳା କରି ଲୋକମାନଙ୍କୁ ଏହା ସହ ଯୋଡ଼ି ଚାଲିଛନ୍ତି। କିଟ୍ ବିଶ୍ବବିଦ୍ୟାଳୟରୁ ମେକାନିକାଲ୍ ଇଂଜିନିୟରିଂରେ ସ୍ନାତକ ପାଠ୍ୟକ୍ରମ ଶେଷ କରିଛନ୍ତି ଶୈଳେଶ।
କେବଳ ଓଡ଼ିଆ ବ୍ୟକ୍ତିତ୍ବ କିମ୍ବା ଓଡ଼ିଶାର ସ୍ଥାନ ପ୍ରସଙ୍ଗକୁ ନେଇ ନୁହେଁ, ଦେଶ ବିଦେଶର ବିଭିନ୍ନ ବ୍ୟକ୍ତିତ୍ବ ଓ ପ୍ରସଙ୍ଗ ବି ଏଥିରେ ସ୍ଥାନ ପାଉଛି। ବିଭିନ୍ନ ଡାକ୍ତର, ଲେଖକ, ଇଂଜିନିୟର୍ ଆଦି ଭିନ୍ନଭିନ୍ନ ପେସାଧାରୀ ଲୋକ ମଧ୍ୟ ଏଥିରେ ସାମିଲ ହୋଇ ସେମାନଙ୍କ ବିଭିନ୍ନ ବିଷୟବସ୍ତୁ ଓ ପ୍ରସଙ୍ଗ ବି ଲେଖୁଛନ୍ତି। ଏଥିସହ ୱିକି ପାଠାଗାର ପାଇଁ ବି ଶୈଳେଶ କାମ କରୁଛନ୍ତି। ଓଡ଼ିଶାର ବିଭିନ୍ନ ପୁସ୍ତକକୁ ଡିଜିଟାଇଜେସନ୍ ପାଇଁ ‘ୱିକି ପାଠାଗାର ପ୍ରୋଜେକ୍ଟ’ ସହ ବି ସେ ଜଡ଼ିତ।
ଶୈଳେଶ କହିଛନ୍ତି, ମୁଁ ଏକା ନୁହେଁ, ଆମର ପୂରା ୱିକିଦଳ ଓଡ଼ିଆ ଭାଷାର ବ୍ୟାପକତା ଓ ପ୍ରଚାରପ୍ରସାର ପାଇଁ କାର୍ଯ୍ୟରତ। ଏଥିରେ ଆମେ ବିଭିନ୍ନ ବର୍ଗର ଲୋକଙ୍କୁ ଯୋଡ଼ିବାକୁ ଚାହୁଛୁ। ବିଶେଷକରି ଯୁବପିଢ଼ିଙ୍କ ଅଧିକ ଧ୍ୟାନ ଦେଉଛି। ଫଳରେ ନିଜ ମାତୃଭାଷା ପ୍ରତି ଥିବା ଆମର କର୍ତ୍ତବ୍ୟ ଓ ଦାୟିତ୍ବ ବିଷୟରେ ସେମାନେ ସଚେତନ ହୋଇପାରିବେ। ଏଥିପାଇଁ ଆମେ ବର୍ଷସାରା ବୁଲି ବୁଲି ବିଭିନ୍ନ କଲେଜ, ଗଣମାଧ୍ୟମ ସଂସ୍ଥା, ଅନୁଷ୍ଠାନରେ କର୍ମଶାଳା କରି ଲୋକଙ୍କୁ ଏଥିରେ ଯୋଡ଼ିବାକୁ ଚେଷ୍ଟା କରୁଛୁ।
ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ଆଇଆଇଏମ୍ସି ଢେଙ୍କାନାଳ, କିଟ୍ ବିଶ୍ବବିଦ୍ୟାଳୟ ଓ ବିଭିନ୍ନ ସ୍କୁଲ କଲେଜରେ ଆମେ କର୍ମଶାଳା କରି ଯୁବପିଢ଼ିଙ୍କୁ ଏଥିରେ ଯୋଡ଼ିବାରେ ଲାଗିଛୁ ବୋଲି ଶୈଳେଶ କହିଛନ୍ତି।