ଓଏସ୍‌ଏସ୍‌ସିରେ ଏମିତି ହୋଇଛି ଚାକିରି ଦୁର୍ନୀତି? ଚୂଡ଼ାନ୍ତ ତାଲିକାରେ ଅଯୋଗ୍ୟ ପ୍ରାର୍ଥୀ ସ୍ଥାନ ପାଇଛନ୍ତି

ଅଧିକ ନମ୍ବର ପାଇଥିବା ପ୍ରାର୍ଥୀ ବାଦ୍ ପଡ଼ିଛନ୍ତି, ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ୩ ପରୀକ୍ଷାର୍ଥୀଙ୍କ ଅଭିଯୋଗ

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନର କୁବେର କର୍ମଚାରୀ ବିରଞ୍ଚି ସାହୁଙ୍କ ଘରୁ କୋଟିକୋଟି ଟଙ୍କାର ସମ୍ପତ୍ତି ସହ ଦେଢ଼ଶହରୁ ଅଧିକ ଚାକିରି ଆଶାୟୀଙ୍କ ଆଡମିଟ୍ କାର୍ଡ ମିଳିବା ପରେ ଓଏସ୍ଏସସି ପରୀକ୍ଷାରେ ଜାଲିଆତି ଓ ଦୁର୍ନୀତି ହୋଇଥିବା ନେଇ ସନ୍ଦେହ କରାଯାଉଥିଲା। ତେବେ ବିରଞ୍ଚିଙ୍କ ନାଁରେ ‌ଏ ନେଇ କେହି ନିର୍ଦ୍ଦିଷ୍ଟ ଅଭିଯୋଗ କରିନାହାନ୍ତି ବୋଲି କହି ଭିଜିଲାନ୍ସ ତଦନ୍ତକୁ କେବଳ ବିରଞ୍ଚିଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଉପରେ କେନ୍ଦ୍ରୀଭୂତ କରିଥିଲା। ଆଜି କିନ୍ତୁ ଗୋଟିଏ କି ଦୁଇଟି ନୁହେଁ; ବିରଞ୍ଚିଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହିତ ଟଙ୍କା ଆଦାୟର ଅଭିଯୋଗ ଆଣିଛନ୍ତି ୩ ଯୁବକ। ବିଭିନ୍ନ ପରୀକ୍ଷାରେ ଚୂଡ଼ାନ୍ତ ତାଲିକାରୁ ବାଦ୍ ପଡ଼ିଥିବା ତିନି ଜଣ ପରୀକ୍ଷାର୍ଥୀ ଭୁବନେଶ୍ବର ଭିଜିଲାନ୍ସ ଏସ୍‌ପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ଯେ ଚୂଡ଼ାନ୍ତ ତାଲିକାରେ ଅଯୋଗ୍ୟ ପ୍ରାର୍ଥୀଙ୍କୁ ‌ରଖି ଚାକିରି ଦିଆଯାଇଥିବାବେଳେ ସେମାନଙ୍କଠାରୁ ବେଶି ନମ୍ବର ପାଇଥିବା ପ୍ରାର୍ଥୀଙ୍କୁ ବାଦ୍ ଦିଆଯାଇଛି। ସେମାନେ ସୂଚନା ଅଧିକାର ଆଇନ ବଳରେ ହାସଲ କରିଥିବା ତଥ୍ୟକୁ ଏହାର ପ୍ରମାଣ ଆକାରରେ ଦାଖଲ କରିଛନ୍ତି। ଏମିତି ଅଭିଯୋଗ କ୍ରମଶଃ ବଢ଼ିବାରେ ଲାଗିଥିବାରୁ ଏହା ପୂରା ଓଏସ୍ଏସ୍‌ସିକୁ ସନ୍ଦେହ ଘେରକୁ ଟାଣି ଆଣିଛି।

ଆଜି ଅଭିଯୋଗ କରିଥିବା ଜଣେ ଚାକିରି ଆଶାୟୀ ହେଉଛନ୍ତି କେନ୍ଦ୍ରାପଡ଼ା ଔପଦାର ଚିନ୍ମୟ ରାଉତ। ଚିନ୍ମୟଙ୍କ କହିବା ଅନୁସାରେ, ୨୦୧୦ ମସିହାରେ ଜୁନିୟର ଆସିଷ୍ଟାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୧ରେ ଉଭୟ ପ୍ରିଲିମ୍ ଓ ମେନ୍ ପରୀକ୍ଷା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ସେ ପରୀକ୍ଷାରେ ଭଲ କରିଥିଲେ ମଧ୍ୟ କାହିଁକି ବାଦ୍ ପଡ଼ିଲେ ବୋଲି ତାଙ୍କ ମନରେ ସନ୍ଦେହ ହୋଇଥିଲା। ଏ ସମ୍ପର୍କରେ ସେ ଓଏସ୍ଏସ୍‌ସିକୁ ଆର୍‌ଟିଆଇରେ ତଥ୍ୟ ମାଗିଥିଲେ। ସେ ଏସ୍‌ଇବିସି (ପୁରୁଷ) ବର୍ଗର ହୋଇଥିବା ବେଳେ ତାଙ୍କର କେତେ ନମ୍ବର ରହିଛି ଏବଂ ଚୂଡ଼ାନ୍ତ ତାଲିକାର ଏସ୍‌ଇବିସି (ପୁରୁଷ) ବର୍ଗର ପ୍ରାର୍ଥୀଙ୍କର କଟ୍‌ଅଫ୍ ମାର୍କ କେତେ ଆର୍‌ଟିଆଇ ଜରିଆରେ ପ୍ରଶ୍ନ କରିଥିଲେ। ୨୦୧୧ ସେପ୍ଟେମ୍ବର ୩ ତାରିଖରେ ଓଏସ୍ଏସସି ପକ୍ଷରୁ ତାଙ୍କୁ ଉତ୍ତର ମିଳିଥିଲା। ଏଥିରେ ତାଙ୍କର ୧୭୭.୨୫ ମାର୍କ ଥିବା ଦର୍ଶାଯାଇଥିଲା। କିନ୍ତୁ ଚୂଡ଼ାନ୍ତ ତାଲିକାର ପ୍ରାର୍ଥୀଙ୍କ କଟ୍‌ଅଫ୍ ମାର୍କ ଦର୍ଶା ଯାଇ ନ ଥିଲା। ଏହି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଏକାଧିକ ପ୍ରାର୍ଥୀ ଆର୍‌ଟିଆଇ ଜରିଆରେ ସେହି ସମାନ କଥା ଜାଣିବାକୁ ଚାହିଁଥିଲେ। ଏସ୍ଇବିସି(ପୁରୁଷ) ବର୍ଗର ପ୍ରାର୍ଥୀଙ୍କର କଟ୍‌ଅଫ୍ ମାର୍କ ୧୭୫ ବୋଲି ଦର୍ଶା ଯାଇଥିଲା। ଶାରଦା ପ୍ରସାଦ ସାହୁ ନାମକ ଜଣେ ପରୀକ୍ଷାର୍ଥୀ ପାଇଥିବା ଏହି ଆର୍‌ଟିଆଇ ତଥ୍ୟକୁ ଆଧାର କରି ଚିନ୍ମୟ ଓଏସ୍ଏସ୍‌ସି କମିସନ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।

ନିଜ ଆର୍‌ଟିଆଇ ତଥ୍ୟକୁ ନିଜେ ଭୁଲ୍ ଦର୍ଶାଇଥିଲେ
ସନ୍ଦେହ ଘେରରେ ପୂରା ଓଏସ୍‌ଏସ୍‌ସି

ଯେଉଁଦିନ ଅଭିଯୋଗ କରିବାକୁ ଯାଇଥିଲେ ସେହିଦିନ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ବିରଞ୍ଚି ଓ ଜଣେ ମହିଳା ଅଧିକାରୀଙ୍କୁ ସେଠାକୁ ଡକା ଯାଇଥିଲା। ଏମିତି ହୋଇ ନ ଥିବ ବୋଲି ସେମାନେ କହିଥିଲେ। ପରେ ଚିନ୍ମୟଙ୍କୁ ଓଏସ୍‌ଏସ୍‌ସିଙ୍କ ପକ୍ଷରୁ ଚିଠି କରାଯାଇଥିଲା। ସେଥିରେ ଉଲ୍ଲେଖ ରହିଥିଲା, ଶାରଦା ସାହୁଙ୍କୁ ମିଳିଥିବା ଆର୍‌ଟିଆଇ ତଥ୍ୟରେ ଟାଇପ୍ ସମୟରେ ଭୁଲ୍ ରହିଥିଲା। କଟ୍‌ଅଫ୍ ମାର୍କ ୧୭୭.୫୦ ବଦଳରେ ତାହା ୧୭୫ ଲେଖା ଯାଇଥିଲା। କିନ୍ତୁ ଆର୍‌ଟିଆଇ ତଥ୍ୟରେ ଅନ୍ୟ ପ୍ରାର୍ଥୀମାନଙ୍କୁ ମିଳିଥିବା ଉତ୍ତର କଥା ଦର୍ଶାଯାଇ ନ ଥିଲା। ଯଦି ଶାରଦାଙ୍କ କ୍ଷେତ୍ରରେ ଭୁଲ୍ ହୋଇଥିଲା; ତାହେଲେ ଆଉ ଏକାଧିକ ପ୍ରାର୍ଥୀମାନଙ୍କୁ ଆର୍‌ଟିଆଇରେ କେମିତି ସମାନ ତଥ୍ୟ ମିଳିଥିଲା? ଚିନ୍ମୟଙ୍କୁ ଓଏସ୍ଏସସି ପକ୍ଷରୁ ଯେଉଁ ଉତ୍ତର ଦିଆଯାଇଥିଲା ସେଥିରେ କେବଳ ଶାରଦାଙ୍କ ତଥ୍ୟ ଭୁଲ୍ ଥିବା କାହିଁକି ଉଲ୍ଲେଖ କରାଯାଇଥିଲା? ତେଣୁ ଏଥିରେ ନିଶ୍ଚିତ ଭାବେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଚିନ୍ମୟ। ଯେଉଁମାନେ ଏହି ଦୁର୍ନୀତିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

ତେବେ ଇଏ କେବଳ ଗୋଟିଏ ଘଟଣା ନୁହେଁ। ଅବକାରୀ ସବ୍ଇନ୍ସପେକ୍ଟର-୨୦୧୧ ପରୀକ୍ଷାରେ ସୁଧୀର ସାହୁ ନାମକ ଜଣେ ପରୀକ୍ଷାର୍ଥୀ ଚାକିରିରୁ ବଞ୍ଚିତ ହୋଇଥିବା କହିଛନ୍ତି। ସାଧାରଣ ବିଜ୍ଞାନରେ ତାଙ୍କର ୩୨ ନମ୍ବର ରହିଥିଲା। ସୁଧୀରଙ୍କର ସନ୍ଦେହ ହେବାରୁ ଆର୍‌ଟିଆଇରେ ଉତ୍ତର ଖାତା ମାଗିଥିଲେ। ସେଥିରେ ତାଙ୍କର ୯୧ ନମ୍ବର ରହିଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ସେ ଓଏସ୍ଏସ୍‌ସିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା। ଏମିତି କେତେ ଘଟଣାରେ ପରୀକ୍ଷାର୍ଥୀ ଚାକିରିରୁ ବଞ୍ଚିତ ହୋଇଛନ୍ତି? କିଏ ଏହି କାରସାଦିର ମାଷ୍ଟରମାଇଣ୍ଡ? ଓଏସ୍‌ଏସ୍‌ସିରେ ଏମିତି ହୋଇଛି କି ଚାକିରି ଦୁର୍ନୀତି? ଏହିସବୁ ଅଭିଯୋଗ ପରେ ସାଧାରଣରେ ଅନେକ ପ୍ରଶ୍ନ ଛିଡ଼ା ହେଲାଣି। ଓଏସ୍ଏସସି ମଧ୍ୟ ସନ୍ଦେହଘେରକୁ ଚାଲି ଆସିଲାଣି। ତେଣୁ ଭିଜିଲାନ୍ସ ଆଉ ତଦନ୍ତକୁ ବିରଞ୍ଚି ଉପରେ ସୀମିତ ନ ରଖି ପୂରା ଓଏସ୍‌ଏସ୍‌ସି ଚାକିରି ଦୁର୍ନୀତିର ତଦନ୍ତ କରିବା ଜରୁରୀ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର